ୱାସିଂଟନ : ଚଳିତବର୍ଷ ଆମେରିକା ଭାରତୀୟଙ୍କୁ ୧୦ ଲକ୍ଷରୁ ଅଧିକ ଭିସା ପ୍ରଦାନ କରିବ। ଆମେରିକାର ଭିସା ପାଇବା ପାଇଁ ଭାରତୀୟଙ୍କୁ ଦୀର୍ଘଦିନ ଧରି ଅପେକ୍ଷା କରିବାକୁ ପଡ଼ୁଛି। ବିଶେଷକରି ବି୧ (ବ୍ୟବସାୟ) ଏବଂ ବି୨(ପର୍ଯ୍ୟଟନ) ଉଦ୍ଦେଶ୍ୟରେ ଭିସା ପାଇଁ ଯେଉଁମାନେ ଆବେଦନ କରୁଛନ୍ତି ସେମାନଙ୍କୁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ୁଥିବାରୁ ତାହାକୁ ନେଇ ଚିନ୍ତା ବଢ଼ିଯାଇଛି। ଏଭଳି ସ୍ଥିତିରେ ଚଳିତବର୍ଷ ଭାରତୀୟଙ୍କୁ ୧୦ ଲକ୍ଷରୁ ଅଧିକ ଭିସା ପ୍ରଦାନ କରାଯିବ ବୋଲି ବାଇଡେନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଆମେରିକାର ପରରାଷ୍ଟ୍ର ବିଭାଗ (ଦକ୍ଷିଣ ଏସିଆ ଏବଂ କେନ୍ଦ୍ରୀୟ ଏସିଆ)ର ସହକାରୀ ସଚିବ ଡୋନାଲ୍ଡ ଲୁ କହିଛନ୍ତି ଏ ନେଇ ବର୍ତ୍ତମାନ କାର୍ଯ୍ୟ ଚାଲିଛି। ଆମେରିକାରେ ପଢ଼ିବା ପାଇଁ ଆସିବାକୁ ଥିବା ସବୁ ଭାରତୀୟଙ୍କ ଭିସା ପ୍ରଦାନ କାର୍ଯ୍ୟ ସଂପାଦନ ପାଇଁ ଆମେରିକା ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଏଚ୧-ବି ସମେତ ଏଲ୍ ଭିସାକୁ ବାଇଡେନ ପ୍ରଶାସନ ଅଗ୍ରାଧିକାର ଦେଉଛି ବୋଲି ସେ କହିଛନ୍ତି। ଏଚ୧-ବି ଭିସା ଜରିଆରେ ଆମେରିକୀୟ କମ୍ପାନିଗୁଡ଼ିକ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଥାନ୍ତି। ଏହାଦ୍ବାରା ମୁଖ୍ୟତଃ ଆଇଟି କମ୍ପାନିର କର୍ମଚାରୀମାନେ ବିଶେଷଭାବେ ଉପକୃତ ହୋଇଥାନ୍ତି।