ବୁଡ଼ିଗଲା ଆମେରିକାର ସିଲିକନ୍ ଭାଲି ବ୍ୟାଙ୍କ: ୨୦୦୮ ପରେ ସବୁଠୁ ବଡ଼ ବ୍ୟାଙ୍କ ବିଫଳତା

ବ୍ୟାଙ୍କକୁ କିଣିବା ଲାଗି ମସ୍କ ଆଗ୍ରହୀ, ୪୦ ଭାରତୀୟ ‌ଷ୍ଟାର୍ଟଅପ୍ ଚିନ୍ତିତ

ନୂଆଦିଲ୍ଲୀ: ଷ୍ଟାର୍ଟଅପ୍‌ଗୁଡ଼ିକୁ ଋଣ ଓ ପାଣ୍ଠି ଦେଉଥିବା ଆମେରିକାରେ ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି) ଦେବାଳିଆ ହୋଇ ବୁଡ଼ିଯିବା ପରେ ଏହି ଘଟଣାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପାଖରେ ଏତେ ସମ୍ପତ୍ତି ଥାଇ ହଠାତ ଏକ ବ୍ୟାଙ୍କ ଏଭଳି ବୁଡ଼ିଯିବା ଖବରକୁ କେହି ସହଜରେ ବିଶ୍ବାସ କରିପାରୁନାହାନ୍ତି। ଏହି ଘଟଣାକୁ ୨୦୦୮ର ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ସମୟ ସହ ତୁଳନା କରାଯାଉଛି। ସେହି ବର୍ଷ ଲେହ୍‌ମ୍ୟାନ୍ ବ୍ରଦର୍ସ ବୁଡ଼ିଯିବାରୁ ସାରା ବିଶ୍ବରେ ମାନ୍ଦାବସ୍ଥା ଦେଖାଦେଇଥିଲା। ଆମେରିକାର ୱାସିଂଟନ୍ ମ୍ୟୁଚୁଆଲ୍ ନାମକ ବ୍ୟାଙ୍କ ମଧ୍ୟ ସେହିବର୍ଷ ଦେବାଳିଆ ହୋଇପଡ଼ିଥିଲା। ଆମେରିକାର ଆର୍ଥିକ କ୍ଷେତ୍ରର ନିୟାମକ ସଂସ୍ଥା ତାହାର ନିୟନ୍ତ୍ରଣ ନିଜ ପାଖକୁ ଆଣି ସ୍ଥିତି ସୁଧାରିବା ପରେ ସେହି ବ୍ୟାଙ୍କକୁ ଜେପି ମୋର୍ଗାନ୍ ଚେଜ୍‌କୁ ବିକ୍ରି କରିଥିଲେ।
ଗତ ଶୁକ୍ରବାର ସିଲିକନ୍ ଭ୍ୟାଲି ବ୍ୟାଙ୍କକୁ କାଲିଫର୍ଣ୍ଣିଆର ବ୍ୟାଙ୍କିଙ୍ଗ ନିୟାମକ ସଂସ୍ଥା ବନ୍ଦ କରିଦେଇ ତାହାର ସମସ୍ତ ସମ୍ପତ୍ତି ଓ ଜମାକୁ ନିଜ କବ୍‌ଜାକୁ ଆଣିଛନ୍ତି। ବ୍ୟାଙ୍କକୁ ଚଲାଇବା ଲାଗି ଏକ ନୂଆ ସଂସ୍ଥା ଗଠନ କରାଯାଇଛି ଯାହା ଆସନ୍ତା ସୋମବାରଠାରୁ କାର୍ଯ୍ୟକ୍ଷମ ହେବ। ନିୟାମକ ସଂସ୍ଥାର ଏଭଳି କଠୋର ପଦକ୍ଷେପ ପରେ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଷ୍ଟାର୍ଟଅପ୍, ନିବେଶକ ଓ ସାଧାରଣ ଗ୍ରାହକମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ମହାମାରୀ ପରବର୍ତ୍ତୀ ସମୟରେ ଆମେରିକାର ଫେଡେରାଲ୍ ରିଜର୍ଭ (ରିଜର୍ଭ ବ୍ୟାଙ୍କ ଭଳି ସଂସ୍ଥା) ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ବାରମ୍ବାର ସୁଧ ବଢ଼ାଇବା ସିଲିକନ୍ ଭ୍ୟାଲି ବ୍ୟାଙ୍କ ଲାଗି କାଳ ସାଜିଥିଲା। ସୁଧ ଅଧିକ ହେବାରୁ ଗ୍ରାହକମାନେ ଋଣ ନେବାକୁ ଚାହିଲେ ନାହିଁ। ଯେଉଁ ଷ୍ଟାର୍ଟଅପ୍‌ଗୁଡ଼ିକ ପାଣ୍ଠି ଜମା ରଖିଥିଲେ ସେମାନେ ନିଜର ଦୈନନ୍ଦିନ କାର୍ଯ୍ୟ ଚାଲୁ ରଖିବା ଲାଗି ତାହାକୁ ଉଠାଇବା ଆରମ୍ଭ କଲେ। ସେମାନେ ଏତେ ପାଣ୍ଠି ଉଠାଇନେଲେ ଯେ ବ୍ୟାଙ୍କ ଆଗକୁ ବଢ଼ିବା ଲାଗି ପାଣ୍ଠିର ଅଭାବ ଦେଖାଦେଲା। ନୂଆ ପାଣ୍ଠି ହାସଲ କରିବା ଲାଗି ବ୍ୟାଙ୍କ ଉଦ୍ୟମ ଜାରି ରଖିଥିବା ବେଳେ ନିୟାମକ ସଂସ୍ଥା ତାହାର ଦେବାଳିଆ ସ୍ଥିତିକୁ ଜାଣିପାରି ନିଜ କବ୍‌ଜାକୁ ନେଇଆସିଛନ୍ତି। ସିଲିକନ୍ ଭ୍ୟାଲି ବ୍ୟାଙ୍କ ଥିଲା ଆମେରିକାର ୧୬ତମ ବଡ଼ ବ୍ୟାଙ୍କ। ଏହା ପାଖରେ ଥିବା ସମ୍ପତ୍ତି ପରିମାଣ ଗତବର୍ଷ ୨୦,୯୦୦ କୋଟି ଡଲାର ଥିଲା। ସେହି ବ୍ୟାଙ୍କ ବୁଡ଼ିଯିବା ପରେ ସେଥିରେ ପାଣ୍ଠି ଜମା ରଖିଥିବା ଷ୍ଟାର୍ଟଅପ୍, ଭେଞ୍ଚର କ୍ୟାପିଟାଲିଷ୍ଟ୍‌ ଓ ପ୍ରଯୁକ୍ତି କଂପାନିଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି। ନିଜ ଅର୍ଥ ଫେରିପାଇବା ଲାଗି ସେମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ଯେଉଁ ଗ୍ରାହକମାନଙ୍କ ଜମାର ବୀମା ହୋଇଥିଲା ସେମାନେ ଆସନ୍ତା ସୋମବାରଠାରୁ ବୀମା ରାଶି ପାଇଁ ଦାବି ଉପସ୍ଥାପନ କରିପାରିବେ। ଗ୍ରାହକମାନଙ୍କ ପ୍ରାପ୍ୟ ଦେବା ଲାଗି ବ୍ୟାଙ୍କର ସମ୍ପତ୍ତି ବିକ୍ରି କରିବା ଉପରେ ବିଚାର ଚାଲିଛି।

ବ୍ୟାଙ୍କକୁ କିଣିବା ଲାଗି ମସ୍କ ଆଗ୍ରହୀ

Image Courtesy of The Hill

ନୂଆଦିଲ୍ଲୀ: କିଛି ମାସ ପୂର୍ବେ ସୋସିଆଲ ମିଡିଆ ସଂସ୍ଥା ଟ୍ବିଟରକୁ ୪୪୦୦ କୋଟି ଡଲାରରେ କିଣିଥିବା ବିଶ୍ବର ଦ୍ବିତୀୟ ବଡ଼ ଧନୀ ଏଲନ୍‌ ମସ୍କ ଦେବାଳିଆ ହୋଇପଡ଼ିଥିବା ସିଲିକନ୍ ଭ୍ୟାଲି ବ୍ୟାଙ୍କକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଏହି ବ୍ୟାଙ୍କକୁ କିଣି ତାହାକୁ ଏକ ଡିଜିଟାଲ୍‌ ବ୍ୟାଙ୍କରେ ପରିଣତ କରିବାକୁ ରେଜର୍‌ ନାମକ ଗେମିଂ ସଂସ୍ଥାର ସିଇଓ ମିନ୍ ଲିଆଙ୍ଗ୍‌ ଟାନ୍ ପ୍ରସ୍ତାବ ଦେଇଥିଲେ। ତାହାର ଉତ୍ତରରେ ମସ୍କ ଲେଖିଥିଲେ ଯେ ମୁଁ ସେଥିପାଇଁ ରାଜି ଅଛି।

୪୦ ଭାରତୀୟ ‌ଷ୍ଟାର୍ଟଅପ୍ ଚିନ୍ତିତ
ନୂଆଦିଲ୍ଲୀ: ସିଲିକନ୍ ଭ୍ୟାଲି ବ୍ୟାଙ୍କ ବନ୍ଦ ହୋଇଯିବା ପରେ ଭାରତରେ ୪୦ଟି ଷ୍ଟାର୍ଟଅପ୍ ସଂସ୍ଥା ଚିନ୍ତିତ ହୋଇପଡ଼ିଛନ୍ତି। ସିଲିକନ୍‌ ଭ୍ୟାଲିର ପ୍ରମୁଖ ଆସେଲେଟର ୱାଇ କମ୍ବିନେଟର (ୱା‌ଇସି)ଠାରୁ ପାଣ୍ଠି ହାସଲ କରିଥିବା ଭାରତୀୟ ଷ୍ଟାର୍ଟଅପ୍‌ଗୁଡ଼ିକର ଚିନ୍ତା ବଢ଼ିଯାଇଛି। କାରଣ ସେହି ସଂସ୍ଥା ସିଲିକନ ଭ୍ୟାଲି ବ୍ୟାଙ୍କ ସହ କାରବାର କରୁଥିଲା। ଭାରତୀୟ ଷ୍ଟାର୍ଟଅପ୍‌ଗୁଡ଼ିକ ବୁଡ଼ିଯାଇଥିବା ବ୍ୟାଙ୍କରେ ୨,୫୦,୦୦୦ ଡଲାରରୁ ଆରମ୍ଭ କରି ଏକ ନିୟୁତ ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ଜମା ରଖିଥିଲେ। କୋଡ଼ିଏରୁ ଅଧିକ ସଂସ୍ଥା ୧ ନିୟୁତ ଡଲାରରୁ ଅଧିକ ଜମା ରଖିଥିଲେ। ଭାରତରେ ୱାଇସିରୁ ପାଣ୍ଠି ପାଇଥିବା ପ୍ରମୁଖସଂସ୍ଥାଗୁଡ଼ିକ ହେଉଛି ରେଜରପେ’, ମିଶୋ ଓ ଜେପ୍‌ଟୋ। ଗ୍ରୋ, ଖାତାବୁକ୍‌, ଓକେକ୍ରେଡିଟ୍, କ୍ୟାସ୍‌ଫ୍ରି ପେମେଣ୍ଟ୍‌ସ ଓ ଫାର୍ମପେ ଭଳି ୨୦୦ ପାଖାପାଖି ସଂସ୍ଥା ୱାଇସିରୁ ପାଣ୍ଠି ପାଇଛନ୍ତି। ସିଲିକନ୍ ଭ୍ୟାଲି ବ୍ୟାଙ୍କ ବନ୍ଦ ହେବା ପରେ ଭାରତର ସଫ୍ଟଓୟାର ବିକାଶ କରୁଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ପ୍ରଭାବିତ ହେବେ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଏବେ ୱାଇସିରୁ ପାଣ୍ଠି ପାଇଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି। ୱାଇସିରୁ ପାଣ୍ଠି ନେଇଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ୩୦ ଦିନ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଦରମା ଦେଇପାରିବେନି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର