ନୂଆଦିଲ୍ଲୀ: ବିଶ୍ବର ୨୫ଟି ବଡ଼ ବ୍ୟାଙ୍କ ତାଲିକାରେ ଭାରତର ୩ଟି ବ୍ୟାଙ୍କ ସ୍ଥାନ ପାଇଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ହେଲେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ। ୨୦୨୪ କ୍ୟାଲେଣ୍ଡର ବର୍ଷର ଦ୍ବିତୀୟ ତ୍ରୟମାସ ସୁଦ୍ଧା ବ୍ୟାଙ୍କଗୁଡ଼ିକର ବଜାରପୁଞ୍ଜି ବୃଦ୍ଧିକୁ ବିଚାରକୁ ନିଆଯାଇ ଏହି ତାଲିକା ଗ୍ଲୋବାଲ ଡାଟା ନାମକ ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଛି।

Advertisment

ତଥ୍ୟରୁ ଜଣାଯାଇଛି ଯେ ଏଚ୍‌ଡିଏଫସି ବ୍ୟାଙ୍କର ବଜାରପୁଞ୍ଜି ୧୭ ପ୍ରତିଶତ ବୃଦ୍ଧି ଘଟି ୧୫୪.୪ ବିଲିଅନ ଡଲାରରେ ପହୟ୍ଚିଛି। ଏଥିଯୋଗୁ ଉକ୍ତ ଘରୋଇ ବ୍ୟାଙ୍କ ତାଲିକାରେ ୩ଟି ପାହାଚ ଉପରକୁ ଉଠିଛି। ପୂର୍ବରୁ ତ୍ରୟୋଦଶ ସ୍ଥାନରେ ଥିବାବେଳେ ଏବେ ଦଶମ ସ୍ଥାନରେ ରହିଛି। ପ୍ରଥମ ତ୍ରୟମାସ ସୁଦ୍ଧା ରୟାଲ ବ୍ୟାଙ୍କ ଅଫ୍ କାନାଡ଼ା ଦଶମ ସ୍ଥାନରେ ଥିଲା। ତେଣୁ ଏହାର ସ୍ଥାନ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ନେଇଛି। ସେହିଭଳି ଆଇସିଆଇସିଆଇ ବ୍ୟାଙ୍କର ବଜାର ମୂଲ୍ୟ ୧୧.୫ ପ୍ରତିଶତ ବୃଦ୍ଧି ଘଟି ୨୦୨୪ର ଦ୍ବିତୀୟ ତ୍ରୟମାସ ଶେଷ ସୁଦ୍ଧା ୧୦୨.୭ ବିଲିଅନ ଡଲାରରେ ପହଞ୍ଚିଛି। ଏଥିଯୋଗୁ ଆଇସିଆଇସିଆଇ ବ୍ୟାଙ୍କ ୧୮ତମ ସ୍ଥାନରେ ରହିଛି। ପ୍ରଥମ ତ୍ରୟମାସ ଶେଷରେ ଆମେରିକାର ଟିଡି ବ୍ୟାଙ୍କ ଏହି ସ୍ଥାନରେ ରହିଥିଲା।

ସେହିଭଳି ଭାରତୀୟ ଷ୍ଟେଟ ବ୍ୟାଙ୍କର ବଜାରପୁଞ୍ଜି ୧୧.୯ ପ୍ରତିଶତ ବୃଦ୍ଧି ଘଟି ୯୦.୧ ବିଲିଅନ ଡଲାରରେ ପହଞ୍ଚିଛି। ଏଥିଯୋଗୁ ରାଷ୍ଟ୍ରାୟତ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କ ‌ଏକବିଂଶତମ ସ୍ଥାନରେ ରହିଛି। ପ୍ରଥମ ତ୍ରୟମାସରେ ସାଉଦି ଆରବର ଅଲ ରାଜି ବ୍ୟାଙ୍କିଂ ଆଣ୍ଡ୍‌ ଇନଭେଷ୍ଟମେଣ୍ଟ ଏହି ସ୍ଥାନରେ ରହିଥିଲା। ବିଶ୍ବର ସବୁଠୁ ବଡ଼ ୨୫ଟି ବ୍ୟାଙ୍କର ମୋଟ ବଜାରପୁଞ୍ଜି ଦ୍ବିତୀୟ ତ୍ରୟମାସରେ ୫.୪ ପ୍ରତିଶତ ବୃଦ୍ଧି ଘଟି ୪.୧୧ ଟ୍ରିଲିଅନ ଡଲାରରେ ପହଞ୍ଚିଛି। କ୍ରମାଗତଭାବେ ୯ଟି ତ୍ରୟମାସ ହେଲା ଜେପି ମର୍ଗାନ ଆଣ୍ଡ୍‌ ଚେଜ୍‌ ଶୀର୍ଷ ସ୍ଥାନ ହାସଲ କରିଆସୁଛି ବୋଲି ଗ୍ଲୋବାଲଡାଟା ପକ୍ଷରୁ କୁହାଯାଇଛି।