ନୂଆଦିଲ୍ଲୀ: ଆମ୍ରପାଲି ଗ୍ରୁପ୍ର ସିଏମ୍ଡି ଅନିଲ ଶର୍ମା ଏବଂ କଂପାନିର ଅନ୍ୟ ଦୁଇ ନିର୍ଦେଶକ ଶିବ ପ୍ରିୟ ଏବଂ ଅଜୟ କୁମାରଙ୍କୁ ଗିରଫ କରି ଜେରା କରିବାକୁ ଦିଲ୍ଲୀ ପୁଲିସକୁ ସୁପ୍ରିମକୋର୍ଟ ଆଜି ଅନୁମତି ଦେଇଛନ୍ତି। ଆମ୍ରପାଲି ଗ୍ରୁପ୍ ଦେଶର ଅନେକ ଗ୍ରାହକଙ୍କୁ ଘର ଦେବାକୁ ପ୍ରତିଶ୍ରୁତି ଦେଇ ଟଙ୍କା ନେଇଥିଲା ଓ ସେମାନଙ୍କ ଟଙ୍କାକୁ ହଡ଼ପ କରିନେଇଥିଲା। ସମସ୍ତ ତିନି ବ୍ୟକ୍ତିଙ୍କ ବ୍ୟକ୍ତିଗତ ସମ୍ପତ୍ତି ଜବତ କରିବାକୁ କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଗତବର୍ଷ ଅକ୍ଟୋବର ୯ରେ ଉତ୍ତର ପ୍ରଦେଶ ପୁଲିସ ଏହି ତିନି ଜଣଙ୍କୁ ଗିରଫ କରି ନୋଏଡ଼ାର ଏକ ହୋଟେଲ୍ରେ ଅଟକ ରଖିଛି। ଏହି କଂପାନି କରିଥିବା ଜାଲିଆତିର ମାତ୍ରା ଜାଣିବା ପାଇଁ କୋର୍ଟ ଏକ ଫୋରେନ୍ସିକ୍ ଅଡିଟର୍ ନିଯୁକ୍ତ କରିଥିଲେ। ତଦନ୍ତ ଜାରି ରହିଛି ଏବଂ ଅଡିଟ୍ ରିପୋର୍ଟ ମାର୍ଚ ୨୨ ସୁଦ୍ଧା ମିଳିଯିବ ବୋଲି ଆଶା କରାଯାଉଛି। ଏହି ମାମଲାର ପରବର୍ତି ଶୁଣାଣି ମାର୍ଚ ୨୪ରେ ହେବ। ଆଜି ଶୁଣାଣି ବେଳେ ଅଡିଟର୍ କୋର୍ଟଙ୍କୁ ଅବଗତ କରିଥିଲେ ଯେ, ତଦନ୍ତରେ ଅନେକ କଂପାନି ଓ ବ୍ୟକ୍ତି ସହଯୋଗ କରୁନାହାନ୍ତି। କେଉଁମାନେ ସହଯୋଗ କରୁନାହାନ୍ତି ସେମାନଙ୍କ ତାଲିକା ଦେବାକୁ କୋର୍ଟ କହିଥିଲେ। ୨୦୦ ପାଖାପାଖି ସଂସ୍ଥା ଓ ବ୍ୟକ୍ତି ତଦନ୍ତରେ ଅସହଯୋଗ କରୁଥିବା ଜଣାପଡ଼ିଛି। ସେମାନଙ୍କୁ ତିନିଟି ଦଳରେ ବିଭକ୍ତ କରି ଯଥାକ୍ରମେ ମାର୍ଚ ୫,୬,୭ ଏବଂ ୮ ତାରିଖରେ ଅଡିଟର୍ଙ୍କ ପାଖରେ ନିଶ୍ଚିତ ଭାବେ ହାଜର ହେବାକୁ କୋର୍ଟ ନର୍ଦେଶ ଜାରି କରିଛନ୍ତି। ଏହି ନିର୍ଦେଶ ପାଳନ କରିବାରେ ଯେଉଁମାନେ ବିଫଳ ହେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି। ଆମ୍ରପାଲି ଗ୍ରୁପ୍ ୪୮ ହଜାର ଗ୍ରାହକଙ୍କୁ ଫ୍ଲାଟ୍ ଦେବାକୁ କହି ଟଙ୍କା ହଡ଼ପ କରିଛି। ସେହି ସବୁ ଗ୍ରାହକମାନେ ଦାଖଲ କରିଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏଭଳି ନିର୍ଦେଶ ଜାରି କରିଛନ୍ତି। କଂପାନି ପକ୍ଷରୁ ୧, ୧୧ ଏବଂ ୨୨ ଟଙ୍କା ଭଳି କମ୍ ମୂଲ୍ୟରେ ଫ୍ଲାଟ୍ ବୁକ୍ କରିଥିବା ତଦନ୍ତରୁ ଜଣାପଡ଼ିଛି। ଆମ୍ରପାଲିର ୫୨୨୯ଟି ବିକ୍ରି ହୋଇପାରୁନଥିବା ଫ୍ଲାଟ୍ ରହିଛି।
ସୁପ୍ରିମକୋର୍ଟ ଦେଲେ ଅନୁମତି, ଗିରଫ ହେବେ ଆମ୍ରପାଲି ସିଏମ୍ଡି
/sambad/media/post_attachments/wp-content/uploads/2019/03/Untitled-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)