ଧୋନୀଙ୍କୁ ଠକିଛି ଆମ୍ରପଲ୍ଲୀ, ବୁକ୍ କରିଥିବା ପେଣ୍ଟ୍‌ ହାଉସ୍ ଦେଉନି

ସୁପ୍ରିମକୋର୍ଟରେ କଲେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କୁ ରିଅଲ ଇଷ୍ଟେଟ କମ୍ପାନି ଆମ୍ରପଲ୍ଲୀ ଗ୍ରୁପ୍ ଠକିଛି। ରାଞ୍ଚିସ୍ଥିତ ଆମ୍ରପଲ୍ଲୀ ସଫାରିରେ ଧୋନୀ ପାଖାପାଖି ୫ ହଜାର ୫୦୦ ବର୍ଗଫୁଟର ଏକ ପେଣ୍ଟ୍ ହାଉସ୍ ୧୦ ବର୍ଷ ପୂ‌ର୍ବେ ବୁକ୍ କରିଥିଲେ। ଏଥିପାଇଁ ଧୋନୀ ୨୦ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଏହି ପେଣ୍ଟ ହାଉସର ଅଳ୍ପ କିଛି କାମ ହୋଇଛି ଏବଂ ତାଙ୍କୁ ଏହା ହସ୍ତାନ୍ତର କରାଯାଇ ନାହିଁ। ଏଥିସହିତ ତାଙ୍କୁ ଏହି ରିଅଲ ଇଷ୍ଟେଟ କମ୍ପାନିର କ୍ରେଡିଟର ତାଲିକାରେ ମଧ୍ୟ ତାଙ୍କ ନାମ ସାମିଲ କରିବା ଲାଗି ଧୋନୀ ଅଦାଲତଙ୍କୁ ଆବେଦନ କରିଛନ୍ତି। ଧୋନୀ ଆମ୍ରପଲ୍ଲୀ ସଫାରିରେ ପେଣ୍ଟହାଉସ୍ ବୁକ୍ କରିବା ସହିତ କମ୍ପାନି ତାଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ଭାବେ ମଧ୍ୟ ନିଯୁକ୍ତି ଦେଇଥିଲା। କିନ୍ତୁ ବ୍ରାଣ୍ଡ୍ ଆମ୍ବସାଡର ଭାବେ କମ୍ପାନି ଯେତିକି ଅର୍ଥ ଦେବାକୁ ପ୍ରତିଶ୍ରୁତି ଦେଇଥିଲା ତାହା ନ ଦେଇ ତାଙ୍କୁ ଠକିଛି ବୋଲି ଧୋନୀ ଅଭିଯୋଗ କରିଛନ୍ତି। ବ୍ରାଣ୍ଡ୍ ଆମ୍ବାସଡରଭାବେ ଧୋନୀଙ୍କର କମ୍ପାନି ଉପରେ ୪୦ କୋଟି ଟଙ୍କା ବାକି ପଡ଼ିଛି। ଏହି ଟଙ୍କା ତାଙ୍କୁ ଦେବା ଲାଗି ଗତମାସରେ ଧୋନୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ଧୋନୀ ଏହି କମ୍ପାନିର ବ୍ରାଣ୍ଡ୍ ଆମ୍ବାସାଡର ରହିଥିଲେ। କମ୍ପାନିର ବିଜ୍ଞାପନ କରୁଥିଲେ। କେବଳ ଧୋନୀ ନୁହଁନ୍ତି ତାଙ୍କ ପତ୍ନୀ ସାକ୍ଷୀ ମଧ୍ୟ କମ୍ପାନିର ଦାତବ୍ୟ ଶାଖା ପାଇଁ କାର୍ଯ୍ୟ କରୁଥିଲେ। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଗ୍ରାହକମାନଙ୍କୁ ଠକିଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଆମ୍ରପଲ୍ଲୀ ଗ୍ରୁପର ସିଏମଡି ଅନିଲ ଶର୍ମା ଏବଂ ଦୁଇ ଜଣ ନିର୍ଦେଶକ ଶିବ ଦିୱାନୀ ଏବଂ ଅଜୟ କୁମାରଙ୍କୁ ଗିରଫ ନିର୍ଦେଶ ଦେଇଥିଲେ। ଏହି ମାମଲାର ବିଚାର ଏବେ ଚାଲିଛି।

ସମ୍ବନ୍ଧିତ ଖବର