ଆଜିଠାରୁ ଦୁଗ୍ଧ ଦର ଲିଟର୍‌ପିଛା ୩ ଟଙ୍କା ବୃଦ୍ଧି କଲା ‘ଅମୂଲ’

ଅହମଦାବାଦ: ଆଜିଠାରୁ ‘ଗୁଜରାଟ ଡାଏରି କୋଅପରେଟିଭ୍‌ ଅମୂଲ’ ସଦ୍ୟ ଦୁଗ୍ଧ ଦର ଲିଟର୍‌ପିଛା ୩ ଟଙ୍କା ବୃଦ୍ଧି କରିଛି।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଅମୂଲ ମାର୍କେଟିଙ୍ଗ୍‌ ଫେଡେରେସନ୍‌ କହିଛି, ଫେବ୍ରୁଆରି ୩ ତାରିଖରୁ ସବୁ ପ୍ରକାରର ‘ଅମୂଲ’ ପାଉଚ୍‌ ଦୁଗ୍ଧ ଦର ବୃଦ୍ଧି କରାଯାଇଛି।

ବର୍ଦ୍ଧିତ ଦର ଲାଗୁ ହେବା ପରେ ଏଥର ଲିଟର୍‌ପିଛା ‘ଅମୂଲ ଗୋଲ୍‌ଡ୍‌’ ୬୬ ଟଙ୍କା, ‘ଅମୂଲ ତାଜା’ ୫୪ ଟଙ୍କା, ‘ଅମୂଲ ଗୋଦୁଗ୍ଧ’ ୫୬ ଟଙ୍କା ଏବଂ ‘ଅମୂଲ ଏ୨ ମଇଁଷି ଦୁଗ୍ଧ’ ୭୦ ଟଙ୍କାରେ ବିକ୍ରୟ କରାଯିବ ବୋଲି ଗୁରୁବାର ଦିନ ଜାରି କରାଯାଇଥିବା ବିବୃତିରେ ଉଲ୍ଲେଖ କରାଯାଇଛି।

Image Courtesy of Amar Ujala

ଗତ ଅକ୍ଟୋବର ମାସରେ ‘ଅମୂଲ’ ଦୁଗ୍ଧ ଲିଟର୍‌ପିଛା ୨ ଟଙ୍କା ବୃଦ୍ଧି କରିଥିଲା।

ସାମଗ୍ରିକ ପରିଚାଳନା ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବ୍ୟୟ ବୃଦ୍ଧି ଯୋଗୁଁ ଦୁଗ୍ଧ ଦର ବୃଦ୍ଧି କରାଯାଇଛି। ଗତବର୍ଷ ତୁଳନାରେ ଗୋଖାଦ୍ୟ ମୂଲ୍ୟ ପ୍ରାୟ ୨୦% ବୃଦ୍ଧି ପାଇଛି। ବ୍ୟୟ ବୃଦ୍ଧି କଥା ବିଚାର କରି ସଂଘର ସଦସ୍ୟମାନେ ଗତବର୍ଷ ତୁଳନାରେ କୃଷକମାନଙ୍କର ପ୍ରାପ୍ୟ ମଧ୍ୟ ୮ରୁ ୯ ପ୍ରତିଶତ ବୃଦ୍ଧି କରିଛନ୍ତି ବୋଲି କମ୍ପାନି ସେତେବେଳେ କହିଥିଲା।

ଏହାଛଡ଼ା, ଡିସେମ୍ବର ମାସରେ ‘ମଦର ଡାଏରି’ ମଧ୍ୟ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଗୋଦୁଗ୍ଧ ଲିଟର୍‌ପିଛା ୨ ଟଙ୍କା ବୃଦ୍ଧି କରିଥିଲା।

ସମ୍ବନ୍ଧିତ ଖବର