ସବକୋ ସହି ଓଡ଼ିଶା ଦିଖାୟା : ଏହି ଶୀର୍ଷକରେ ପୋଷ୍ଟର ସେୟାର କରି ‘ଫନି’ ମୁକାବିଲାକୁ ପ୍ରଶଂସା କଲା ଅମୁଲ୍

ଭୁବନେଶ୍ବର : ପ୍ରଳୟଙ୍କାରୀ ବାତ୍ୟା ଫୋନିକୁ ସଫଳତାର ସହ ମୁକାବିଲା ପାଇଁ ଚାରିଆଡୁ ଉଚ୍ଚ ପ୍ରଂଶସିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନବୀନଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି।  ମିଳିତ ଜାତିସଂଘ ପକ୍ଷରୁ ମଧ୍ୟ ବାତ୍ୟା ମୁକାବିଲା ପାଇଁ ନବୀନଙ୍କ ଫର୍ମୁଲାକୁ ମଧ୍ୟ ବେଶ ପ୍ରଂଶସା କରାଯାଇଛି ।

ଏସବୁ ଭିତରେ ଦେଶର  ପ୍ରମୁଖ ଦୁଗ୍ଧ ସାମଗ୍ରୀ ଉତ୍ପାଦନକାରୀ କମ୍ପାନି ଅମୁଲ ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲା କୌଶଳକୁ ପ୍ରଂଶସା କରିବାକୁ ଯାଇ ନିଜ ଟ୍ୱିଟର ପେଜରେ ଏକ ପୋଷ୍ଟର ସେୟାର କରିଛି । ଯେଉଁଥିରେ ବାତ୍ୟା ଫୋନି ଆସିବାର ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରିବା, ରିଲିଫ୍ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟକୁ ବେଶ ପ୍ରଂଶସା କରାଯାଇଛି । ରାଜ୍ୟ ସରକାରଙ୍କ ବାତ୍ୟା ପ୍ରସ୍ତୁତିର ପ୍ରଶଂସା କରିବାକୁ ଏକ ସ୍ବତନ୍ତ୍ର ପୋଷ୍ଟର ରିଲିଜ୍ କରିଛି ଅମୁଲ କମ୍ପାନି ।

ଏହି ପୋଷ୍ଟରରେ ବାତ୍ୟା ଫୋନିର ବିଭୀଷିକା ସହ ଉଦ୍ଧାର କାର୍ଯ୍ୟର ଚିତ୍ର ଦର୍ଶାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅମୁଲ ଗର୍ଲ କିଛି କହୁଥିବାର ଦର୍ଶାଯାଇଛି । ଏହି ପୋଷ୍ଟରର ଟ୍ୟାଗ୍ ଲାଇନ ରହିଛି -ସବକୋ ସହି ଓଡ଼ିଶା ଦିଖାୟା । ବିପର୍ଯ୍ୟୟ ମୁକାବିଲା ନେଇ ଅନ୍ୟମାନଙ୍କୁ ରାସ୍ତା ଦେଖାଇଛି ଓଡିଶା । ସାଧାରଣତଃ ବିଭିନ୍ନ କ୍ଷେତ୍ରରେ ଭଲ କାମ କରିଥିବା ଲୋକଙ୍କୁ ନେଇ ଅମୁଲ କମ୍ପାନି ଏଭଳି ପୋଷ୍ଟର ପ୍ରସ୍ତୁତ କରିଥାଏ।

ଅମୁଲ କମ୍ପାନି ପକ୍ଷରୁ ଛଡାଯାଇଥିବା ପୋଷ୍ଟରକୁ ସେୟାର କରିବା ସହ କମ୍ପାନିକୁ ଧନ୍ୟବାଦ ଜଣାଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସମ୍ବନ୍ଧିତ ଖବର