ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଚଳିତ ବର୍ଷ ପାଇଁ ୨.୩୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବିକୁ ଉପସ୍ଥାପନ କରି ସଂସଦର ଅନୁମୋଦନ ଲୋଡ଼ିଛନ୍ତି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ପାଇଁ ୪୦ ହଜାର କୋଟି ଟଙ୍କା ମଗାଯାଇଛି। ଏହି ଦାବି ଗୃହୀତ ହେଲେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମନରେଗା ବ୍ୟୟବରାଦ ପରିମାଣ ୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। କରୋନା ମହାମାରୀ ମୁକାବିଲା ଲାଗି ଲକ୍ଡାଉନ୍ ଘୋଷଣା କରାଯିବାପରେ ଅଧିକାଂଶ ପ୍ରବାସୀ ଶ୍ରମିକ ନିଜ ରାଜ୍ୟ ଓ ଗାଁକୁ ଫେରିଯାଇଥିବାରୁ ସେମାନଙ୍କ ପାଇଁ ମନରେଗା ଜରିଆରେ କର୍ମନିଯୁକ୍ତି ଯୋଗାଡ଼ କରିବାକୁ ସରକାର ଲକ୍ଷ୍ୟ ରଖିଛି।
ସରକାରୀ ବ୍ୟାଙ୍କଗୁଡ଼ିକୁ ୨୦ ହଜାର କୋଟି ଟଙ୍କା ପାଣ୍ଠି ଦେବା ଲାଗି ଅର୍ଥମନ୍ତ୍ରୀ ସଂସଦର ଅନୁମୋଦନ ଲୋଡ଼ିଛନ୍ତି। ସେହିପରି ରାଜ୍ୟଗୁଡ଼ିକୁ ଅନୁଦାନ ଆକାରରେ ଅତିରିକ୍ତ ୪୬,୬୦୨ କୋଟି ଟଙ୍କା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଅନୁସାରେ ସେଥି ମଧ୍ୟରୁ ରାଜସ୍ବ ନିଅଣ୍ଟ ରାଜ୍ୟଗୁଡ଼ିକୁ ୪୪,୩୪୦ କୋଟି ଟଙ୍କା ଦିଆଯିବ। ଓଡ଼ିଶା ରାଜସ୍ବ ବଳକା ରାଜ୍ୟ ହୋଇଥିବାରୁ ଏଥିରୁ କିଛି ପାଇବ ନାହିଁ। ତେବେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ମଗାଯାଇଥିବା ୨୨୬୨ କୋଟି ଟଙ୍କାରୁ ଓଡ଼ିଶାକୁ ନିଜର ଭାଗ ମିଳିବ। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପାଇଁ ମୋଟ ୩୩,୭୭୧ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଛି। ସେଥି ମଧ୍ୟରୁ ୩୦,୯୫୭ କୋଟି ଟଙ୍କା ଜନ ଧନ ଯୋଜନାର ମହିଳା ଗ୍ରାହକଙ୍କ ପାଇଁ ଓ ବଳକା ୨୮୧୫ କୋଟି ଟଙ୍କା ଇନ୍ଦୀରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ସ୍କିମ୍ ପାଇଁ ମଗାଯାଇଛି। ଖାଦ୍ୟ ସୁରକ୍ଷା ସ୍କିମ୍ ପାଇଁ ଅତିରିକ୍ତ ୧୦ ହଜାର କୋଟି ଟଙ୍କାର ଖର୍ଚ୍ଚ ଦାବି ଉପସ୍ଥାପନ କରାଯାଇଛି। ସରକାରୀ ବ୍ୟାଙ୍କଗୁଡ଼ିକର ନିୟାମକ ଆବଶ୍ୟକତା ନିୟମ ପାଳନ କରିବା ଲାଗି ସେମାନଙ୍କୁ ୨୦ ହଜାର କୋଟି ଟଙ୍କାର ପାଣ୍ଠି ଦିଆଯିବ। ସରକାରୀ ପ୍ରତିଭୂତି ଜାରି କରି ଏହି ପାଣ୍ଠି ଦିଆଯିବ। ଗତ ଆର୍ଥିକ ବର୍ଷରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କକୁ ୧୬,୦୯୧ କୋଟି ଟଙ୍କା, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୧୧,୭୬୮ କୋଟି ଟଙ୍କା, କାନାରା ବ୍ୟାଙ୍କକୁ ୬୫୭୧ କୋଟି ଟଙ୍କା ଓ ଇଣ୍ଡିଆନ୍ ବ୍ୟାଙ୍କକୁ ୨୫୩୪ କୋଟି ଟଙ୍କା, ଆହ୍ଲାବାଦ ବ୍ୟାଙ୍କକୁ ୨୧୫୩ କୋଟି ଟଙ୍କା, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୧୬୬୬ କୋଟି ଟଙ୍କା ଓ ଆନ୍ଧ୍ର ବ୍ୟାଙ୍କକୁ ୨୦୦ କୋଟି ଟଙ୍କାର ସରକାରୀ ପାଣ୍ଠି ଦିଆଯାଇଥିଲା। ସରକାରଙ୍କ ଠାରୁ ବ୍ୟାଙ୍କ ଅଫ୍ ବରୋଦାକୁ ୭୦୦୦ କୋଟି ଟଙ୍କା, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କକୁ ୪୩୬୦ କୋଟି ଟଙ୍କ, ୟୁକୋ ବ୍ୟାଙ୍କକୁ ୨୧୪୨ କୋଟି ଟଙ୍କା, ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କକୁ ୭୮୭ କୋଟି ଟଙ୍କା ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୩୩୫୩ କୋଟି ଟଙ୍କା ମିଳିଥିଲା।