ସଙ୍କଟରେ ବିମାନ କଂପାନି ସ୍ପାଇସ୍‌ଜେଟ୍‌ : ବାହାର ସଂସ୍ଥାକୁ ପେମେଣ୍ଟ୍‌ ନଦେବା ମହଙ୍ଗା ପଡ଼ିଲା

୨ ସପ୍ତାହରେ ଗଣିବ ୫ ନିୟୁତ ଡଲାର, ବିଫଳ ହେଲେ କଂପାନି ବନ୍ଦ ହୋଇଯିବ

ଚେନ୍ନାଇ: ମାଡ୍ରାସ ହାଇକୋର୍ଟଙ୍କ ଏକ ରାୟ ଯୋଗୁଁ ଘରୋଇ କ୍ଷେତ୍ରର ବିମାନ କଂପାନି ସ୍ପାଇସ୍‌ଜେଟ୍ ଆଡ଼କୁ ଘୋର ସଙ୍କଟ ମାଡ଼ି ଆସିଛି। ଏହି ସଂସ୍ଥାକୁ ବନ୍ଦ କରିବା ଲାଗି ଆଜି ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଅବଶ୍ୟ କିଛି ସମୟ ପରେ ସେହି ରାୟକୁ କୋର୍ଟ ସ୍ଥଗିତ ରଖିବା ସହ କିଛି ସର୍ତ୍ତ ଲାଗୁ କରି କଂପାନିକୁ ତିନି ସପ୍ତାହର ସମୟ ଦେଇଛନ୍ତି। ଏଥିସହ ଦୁଇ ସପ୍ତାହ ଭିତରେ ୫ ନିୟୁତ ଡଲାର ଜମା କରିବାକୁ କଂପାନିକୁ ନିର୍ଦେଶ ‌ଦିଆଯାଇଛି।
ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସ୍ପାଇସ୍‌ଜେଟ୍‌ ତର୍ଜମା କରୁଛି। ଆଗାମୀ ଦିନରେ ଏହା ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଧାରଣ କରିବ। ରାୟ ବିରୋଧରେ କଂପାନି ଅପିଲ୍ କରିବା ଉପରେ ବିଚାର କରୁଛି। କଂପାନି ଭାବୁଛି ଯେ ମାମଲା ଏହ ସପକ୍ଷରେ ରହିଛି ଏବଂ ଅପିଲ୍ କଲେ କଂପାନି ସପକ୍ଷରେ ରାୟ ଆସିବ। ବିମାନ ଇଞ୍ଜିନର ରକ୍ଷଣାବେକ୍ଷଣ କରୁଥିବା ସଂସ୍ଥା ଏସ୍‌ଆର୍‌ଟି ଟେକ୍‌ନିକ୍ସକୁ ସ୍ପାଇସ୍‌ଜେଟ୍ ୨୪.୦୧ ନିୟୁତ ଡଲାର ପ୍ରାପ୍ୟ ଦେଇନଥିଲା। ସେଥିପାଇଁ ଏହି ବିମାନ କଂପାନି ବିରୋଧରେ କ୍ରେଡିଟ୍ ସୁଇସ୍‌ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା।

ସେହି ମାମଲାର ଶୁଶାଣି କରି ସ୍ପାଇସ୍‌ଜେଟ୍‌କୁ ବନ୍ଦ କରିବା ଓ ଅଫିସିଆଲ ଲିକ୍ବିଡେଟର ନିଯୁକ୍ତ କରିବାକୁ ହାଇକୋର୍ଟ ପ୍ରଥମେ ରାୟ ଦେବା ପରେ ତାହାକୁ କିଛି ଘଣ୍ଟା ପରେ ବଦଳାଇଥିଲେ। ଏହି ମାମଲା ସମ୍ପର୍କରେ ସ୍ପାଇସ୍‌ଜେଟ୍‌ ପକ୍ଷରୁ କୁହାଯାଇଛି ଯେ ଇଞ୍ଜିନ ରକ୍ଷଣାବେକ୍ଷଣ କରିବା ଲାଗି ଏସ୍‌ଆର୍‌ଟି ଟେକ୍‌ନିକ୍ସ ପାଖରେ ଡିଜିସିଏର ବୈଧ୍ୟ ମାନ୍ୟତା ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଅବଗତ ଅଛନ୍ତି। ମାତ୍ର ଏବିଷୟରେ କଂପାନି ପକ୍ଷରୁ ଯେଉଁ ଯୁକ୍ତି ଉପସ୍ଥାପନ କରାଯାଇଥିଲା ତାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା ସହ କଂପାନି ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ।

କଂପାନିର ସମ୍ପତ୍ତିକୁ ନିଜ କବ୍‌ଜାକୁ ନେବା ଲାଗି ଅଫିସିଆଲ ଲିକ୍ବିଡେଟରଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ କୋର୍ଟ ନିଜ ନିଷ୍ପତ୍ତିକୁ ବଦଳାଇଛନ୍ତି। ବିମାନ ଇଞ୍ଜିନର ରକ୍ଷଣାବେକ୍ଷଣ ଲାଗି ସ୍ବିଜରଲ୍ୟାଣ୍ଡ୍‌ର କଂପାନି ଏସ୍‌ଆର୍‌ସି ଟେକ୍‌ନିକ୍ସ ସହ ସ୍ପାଇସ୍‌ଜେଟ୍ ୨୦୧୧ରେ ଏକ ୧୦ ବର୍ଷିଆ ବୁଝାମଣା କରିଥିଲା। ୨୦୧୨ରେ ସେହି ଚୁକ୍ତିରେ ଆଉ କେତେକ ସର୍ତ୍ତ ଯୋଡ଼ାଯାଇଥିଲା। ପେମେଣ୍ଟ୍‌ର ସମୟ ସୀମା ବଢ଼ାଇବା ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇଥିଲା। ଇଞ୍ଜିନ ରକ୍ଷଣ‌ାବେକ୍ଷଣ ବାବଦ ଖର୍ଚ୍ଚର ବିଲ୍ ଏସ୍‌ଆର୍‌ସି ଟେକ୍‌ନିକ୍ସ ଦେଉଥିଲା ଓ ସ୍ପାଇସ୍‌ଜେଟ୍‌ ମଧ୍ୟ ତାହାକୁ ଗ୍ରହଣ କରୁଥିଲା।

କିନ୍ତୁ ଠିକ୍‌ ସମୟରେ ପେମେଣ୍ଟ୍‌ ଜାରି କରୁନଥିଲା। ୨୦୧୨ ସେପ୍ଟେମ୍ବରରେ ଏସ୍‌ଆର୍‌ସି ଟେକ୍‌ନିକ୍ସ ଓ ଆର୍ଥିକ ସଂସ୍ଥା କ୍ରେଡିଟ୍ ସୁଇସ୍‌ ଏଜି ମଧ୍ୟରେ ଏକ ବୁଝାମଣା ହୋଇଥିଲା। କଂପାନିର ସମସ୍ତ ଭବିଷ୍ୟତର ପେମେଣ୍ଟ୍‌ ଗ୍ରହଣ କରିବାର କ୍ଷମତା କ୍ରେଡିଟ୍ ସୁଇସ୍‌କୁ ଦିଆଯାଇଥିଲା। ସେହି କ୍ଷମତା ଆଧାରରେ କ୍ରେଡିଟ୍ ସୁଇସ୍‌ ସ୍ପାଇସ୍‌ ଜେଟ୍‌କୁ ପ୍ରାପ୍ୟ ମାଗିଥିଲା। ବାରମ୍ବାର ନୋଟିସ୍‌ ଜାରି କରିବା ସତ୍ତ୍ବେ ପେମେଣ୍ଟ୍ ମିଳୁନଥିଲା। ତେଣୁ କଂପାନି ନିୟମ, ୧୯୫୬ରେ ଥିବା ବ୍ୟବସ୍ଥାକୁ ଆଧାର କରି କ୍ରେଡିଟ୍ ସୁଇସ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଓ ସ୍ପାଇସ୍‌ଜେଟ୍‌କୁ ବନ୍ଦ କରି ଏହାର ସମ୍ପତ୍ତି, ଆକାଉଣ୍ଟ୍‌, ଷ୍ଟକ ଆଦି ସବୁ କିଛିକୁ ଜବତ କରିବା ଲାଗି ନିବେଦନ କରିଥିଲା। ସେହି ମାମଲାର ଶୁଣାଣି ବେଳେ ମାଡ୍ରାସ ହାଇକୋର୍ଟଙ୍କୁ ସ୍ପାଇସ୍‌ଜେଟ୍ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା। ସେଥିପାଇଁ ଏହାକୁ ବନ୍ଦ କରିବାକୁ କୋର୍ଟ ପ୍ରଥମେ ନିର୍ଦେଶ ଦେଇଥିଲେ।

ସ୍ପାଇସ୍‌ଜେଟ୍ କ୍ଷତିରେ ଚାଲୁଛି। ୨୦୧୯-୨୦ରେ ଏହା ୯୩୪.୮ କୋଟି ଟଙ୍କା ଓ ୨୦୨୦-୨୧ରେ ୯୯୮.୩ କୋଟି ଟଙ୍କାର କ୍ଷତି ସହିଥିଲା। ୨୦୨୧ର ଏପ୍ରିଲ୍‌-ଜୁନ୍ ତିନିମାସରେ କଂପାନି ୭୨୯ କୋଟି ଟଙ୍କାର କ୍ଷତି ସହିଛି।

ସମ୍ବନ୍ଧିତ ଖବର