ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ୍ ଭଳି ଜୀବାଶ୍ମ ଇନ୍ଧନ ଉପରେ ରହିଥିବା ନିର୍ଭରଶୀଳତା ହ୍ରାସ କରିବା ଓ ଅକ୍ଷୟ ଶକ୍ତିର ବ୍ୟବହାର ବଢ଼ାଇବା ଲାଗି ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ସେନା ବାହିନୀ ବ୍ୟବହାର କରୁଥିବା ଡିଜେଲ୍ ଚାଳିତ ଟ୍ରକ୍ଗୁଡ଼ିକରେ ମିଥାନଲ୍କୁ ଇନ୍ଧନ ଭାବେ ବ୍ୟବହାର କରିବା ଉପରେ ବିଚାର କରାଯାଉଛି। ଇନ୍ଲାଣ୍ଡ୍ ୱାଟରୱେଜ୍ ପାଇଁ ମିଥାନଲ୍କୁ ଇନ୍ଧନ ଭାବେ ବ୍ୟବହାର କରାଯିବ। ମିଥାନଲ୍କୁ କୋଇଲା, କୃଷିଜାତ ଆବର୍ଜନା, ତାପଜ ବିଦ୍ୟୁତ କେନ୍ଦ୍ରରୁ ବାହାରୁ ଥିବା ଅଙ୍ଗାରକାମ୍ଳ ଗ୍ୟାସ୍ ଓ ପ୍ରାକୃତିକ ଗ୍ୟାସ୍ରୁ ଉତ୍ପାଦନ କରାଯାଉଛି। ଏଥିରେ ଅଙ୍ଗାକାମ୍ଳ ଉପାଦାନ କମ୍ ରହୁଥିବା ବେଳେ ହାଇଡ୍ରୋଜେନ୍ର କଣିକା ମଧ୍ୟ ରହୁଛି।
ଏହାର ମୂଲ୍ୟ ପେଟ୍ରୋଲ୍, ଡିଜେଲ୍ ଓ ଇଥାନଲ୍ ଠାରୁ କମ୍। ମିଥାନଲ୍ ବ୍ୟବହାର କରିବା ଲାଗି ଡିଜେଲ ଇଞ୍ଜିନରେ ଦରକାର ପଡ଼ୁଥିବା ପରିବର୍ତ୍ତନ କରିବାକୁ ଡେକାନ୍ ୱାଟର ଟ୍ରିଟ୍ମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ପୁନେର ଏକ ସଂସ୍ଥା ସହିତ କଥାବାର୍ତା ଆରମ୍ଭ ହୋଇଛି। ଡିଜେଲ୍ ବଦଳରେ ମିଥାନଲ୍ ବ୍ୟବହାର କରି ଭାରତ ଏହାର ତୈଳ ଆମଦାନି ବିଲ୍କୁ କମ୍ କରିବାକୁ ଚାହୁଥିବା ବେଳେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ଲାଗି ପ୍ୟାରିସ୍ ସମ୍ମିଳନୀରେ ଯେଉଁ ପ୍ରତିଶ୍ରୁତି ଦେଇଛି ତାହାକୁ ପୂରଣ କରିବାକୁ ଚାହୁଛି। ମିଥାନଲ୍ ଜରିଆରେ ଦେଶର ତୈଳ ଆମଦାନିରେ ୨୦% ହ୍ରାସ ଆଣିବାକୁ ନିତି ଆୟୋଗ ଯୋଜନା ପ୍ରସ୍ତୁତ କରିଛି। ଏହା ଦେଶରେ ବାୟୁ ପ୍ରଦୂଷଣକୁ ୪୦%ରୁ ଅଧିକ ହ୍ରାସ କରିବ। ୫୦୦ ବୋଟ୍କୁ ୧୦୦% ମିଥାନଲ୍ରେ ଚଲାଇବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ସେହି ବୋଟ୍ଗୁଡ଼ିକରେ ବ୍ୟବହାର କରାଯାଇଥିବା ବଡ଼ ତୈଳ ଓ ବଙ୍କର ଅଏଲ୍କୁ ସମ୍ପୂର୍ଣ୍ଣ ବାହାର କରିଦିଆଯିବ। ଫଳରେ ତୈଳ ମିଶିବା ଯୋଗୁଁ ନଦୀ କିମ୍ବା ସମୁଦ୍ର ଜଳରେ ଯେଉଁ ପ୍ରଦୂଷଣ ହେଉଛି ତାହା ବନ୍ଦ ହୋଇଯିବ। ଏହା ପରେ ସେନା ବାହିନୀର ଡିଜେଲ୍ ଟ୍ରକ୍ ଓ ରେଳ ଇଞ୍ଜିନଗୁଡ଼ିକରେ ମଧ୍ୟ ମିଥାନଲ୍ ବ୍ୟବହାର କରିବା ଲାଗି ବ୍ୟବସ୍ଥା କରାଯିବ। ଦେଶରେ ମିଥାନଲ୍ ଉତ୍ପାଦନ ଯେତିକି ବଢ଼ିବ ସେହି ଅନୁସାରେ ତାହାର ବ୍ୟବହାର ବୃଦ୍ଧି ପାଇବ।
ଡିଜେଲ୍ର ଲିଟର ପିଛା ମୂଲ୍ୟ ୯୪ ଟଙ୍କା ୪୯ ପଇସା ଓ ଇଥାନଲ୍ ଦାମ୍ ୬୯ ଟଙ୍କା ୯୦ ପଇସା ରହିଛି। ମିଥାନଲ୍ ଦାମ୍ କିନ୍ତୁ ଯଥେଷ୍ଟ କମ୍ ଅର୍ଥାତ ୩୭ ଟଙ୍କା ୬୦ ପଇସା ରହିବ। ପ୍ରାକୃତିକ ଗ୍ୟାସ୍, ନାପ୍ଥା ଓ ବାୟୋମାସ ତୁଳନାରେ କୋଇଲାରୁ ମିଥାନଲ୍ ଉତ୍ପାଦନ କରିବା ସୁଲଭ ରହିବ। ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ କିଛି ବର୍ଷ ହେଲାଣି ଗାଡ଼ି ମାଲିକଙ୍କ ପାଇଁ ବଡ଼ ଚିନ୍ତାର କାରଣ ହୋଇରହିଛି। ସେଥିରେ ହୋଇଥିବା ବୃଦ୍ଧି ଗାଡ଼ି ମାଲିକାନା ଖର୍ଚ୍ଚକୁ ବହୁତ ବଢ଼ାଇ ଦେଇଛି। ସେଥିପାଇଁ ଲୋକମାନେ ନୂଆ ଗାଡ଼ି କିଣିବା ବେଳେ ଇଭି ଉପରେ ନଜର ରଖୁଛନ୍ତି।