ନୂଆଦିଲ୍ଲୀ: ଗତକାଲି ବଡ଼ ଗ୍ରାହକମାନଙ୍କ ଲାଗି ଡିଜେଲ୍ର ଲିଟର ପିଛା ଦାମ୍ରେ ୨୫ ଟଙ୍କାର ବୃଦ୍ଧି ଘୋଷଣା କରାଯାଇଛି। ଟ୍ୟାଙ୍କର ଜରିଆରେ ଯେଉଁମାନେ ଡିଜେଲ୍ କିଣନ୍ତି ସେମାନେ ଏହା ଦ୍ବାରା ପ୍ରଭାବିତ ହେବେ। ସେଭଳି ଗ୍ରାହକମାନେ ହେଉଛନ୍ତି ଭାରତୀୟ ରେଳ, ସପିଙ୍ଗ ମଲ୍, ଶିଳ୍ପ ସଂସ୍ଥା, କଳ କାରଖାନା, ବିମାନବନ୍ଦର, ପରିବହନକାରୀ ଏବଂ ବସ୍ ପରିବହନ ସଂସ୍ଥା ଇତ୍ୟାଦି। ଏହି ସଂସ୍ଥାଗୁଡ଼ିକ ଯେହେତୁ ବିପୁଳ ପରିମାଣର ଡିଜେଲ୍ ବ୍ୟବହାର କରିଥାନ୍ତି ତେଣୁ ସେମାନେ ପେଟ୍ରୋଲ୍ ପମ୍ପ୍ରୁ ତେଲ ମଗାଇବା ବଦଳରେ ସିଧାସଳଖ ଟ୍ୟାଙ୍କର ଜରିଆରେ ଡିଜେଲ୍ ଆଣିଥାନ୍ତି। ମାତ୍ର, ସେମାନଙ୍କ ପାଇଁ ଡିଜେଲ୍ ଦାମ୍ ହଠାତ୍ ୨୫ ଟଙ୍କା ବୃଦ୍ଧି କରାଯାଇଥିବାରୁ ସେମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ଏହାର ପ୍ରଭାବରେ ବସ୍ ଓ ଟ୍ରକ୍ ପରିବହନ, ମଲ୍ରେ ମିଳୁଥିବା ସେବା ଏବଂ କଳ କାରଖାନାରେ ତିଆରି ହେଉଥିବା ସାମଗ୍ରୀ ମହଙ୍ଗା ହେବାର ଆଶଙ୍କା ରହିଛି। କିନ୍ତୁ, ପେଟ୍ରୋଲ୍ ପମ୍ପ୍ରୁ ସାଧାରଣ ଲୋକମାନେ କିଣୁଥିବା ଡିଜେଲ୍ ଦାମ୍ ନିକଟ ଭବିଷ୍ୟତରେ ବଢ଼ିବାର କମ୍ ସମ୍ଭାବନା ରହିଛି ବୋଲି କୁହାଯାଇଛି।
ବଡ଼ ଗ୍ରାହକମାନେ ଟ୍ୟାଙ୍କର ଜରିଆରେ ତେଲ ମଗାଇବା ଲାଗି ତୈଳ କଂପାନିଗୁଡ଼ିକ ସହ ଚୁକ୍ତି ସ୍ବାକ୍ଷର କରିଥାନ୍ତି। ହଠାତ୍ ଦାମ୍ରେ ୨୫ ଟଙ୍କା ବୃଦ୍ଧି କରାଯାଇଥିବାରୁ ଏଭଳି ଗ୍ରାହକମାନଙ୍କ ପାଖରେ ଏବେ ତିନିଟି ବିକଳ୍ପ ରହିଛି। ପ୍ରଥମ ବିକଳ୍ପଟି ହେଉଛି ଡିଜେଲ୍ ଦରବୃଦ୍ଧିର ଚାପକୁ ସେମାନେ ଗ୍ରାହକଙ୍କ ଉପରେ ଲଦିପାରିବେ। ଦ୍ବିତୀୟ ବିକଳ୍ପଟି ହେଉଛି ନିଜ ସାମଗ୍ରୀ କିମ୍ବା ସେବା ଦାମ୍ ନବଢ଼ାଇ ସେମାନେ ସେହି ଚାପକୁ ସହିନେବେ। ତୃତୀୟ ବିକଳ୍ପଟି ହେଉଛି ଟ୍ୟାଙ୍କର୍ ଜରିଆରେ ତେଲ ନମଗାଇ ସେମାନେ ପେଟ୍ରୋଲ୍ ପମ୍ପ୍ରୁ ସିଧାସଳଖ ଡିଜେଲ୍ କିଣିପାରିବେ। ପ୍ରଥମ ବିକଳ୍ପ ଚୟନ କରିବା ସେମାନଙ୍କ ଲାଗି ଅଧିକ ସହଜ ହେବ। ତାହା ହେଲେ ବହୁ ସାମଗ୍ରୀ ଓ ସେବା ପାଇବା ଲାଗି ଗ୍ରାହକମାନଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ତୃତୀୟ ବିକଳ୍ପ ଚୟନ କରିବାକୁ ହେଲେ ଏଭଳି ଗ୍ରାହକମାନଙ୍କୁ ଏକ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ।
ବସ୍ ଓ ଟ୍ରକ୍ ପରିବହନକାରୀ ସଂସ୍ଥାଗୁଡ଼ିକ ସିଧାସଳଖ ପେଟ୍ରୋଲ୍ ପମ୍ପ୍ରୁ କମ୍ ଦାମ୍ରେ ତେଲ ପକାଇପାରିବେ। କିନ୍ତୁ, ବହୁ ସଂଖ୍ୟକ ଗାଡ଼ିର ତେଲ ପକାଇବା ଖର୍ଚ୍ଚ ପରିଚାଳନା କରିବା କଷ୍ଟକର ହୋଇପାରେ। ପ୍ରତି ଗାଡ଼ି ଉପରେ ନଜର ରଖିବା ମଧ୍ୟ ସହଜ ହେବ ନାହିଁ। ଯଦି ବଡ଼ ଗ୍ରାହକମାନେ ଟ୍ୟାଙ୍କର୍ରେ ତେଲ ନମଗାଇ ପେଟ୍ରୋଲ୍ ପମ୍ପ୍ ମୁହାଁ ହେବେ ତେବେ ଡିଜେଲ୍ ଦାମ୍ରେ ଯେଉଁ ୨୫ ଟଙ୍କାର ବୃଦ୍ଧି ହୋଇଛି ତାହାର ଲାଭ ତୈଳ କଂପାନିଗୁଡ଼ିକ ପାଇବେ ନାହିଁ। ଓଲଟା ସେମାନେ ଅଧିକ ରାଜସ୍ବ ହରାଇବେ। ଦେଶର ୯୦% ପେଟ୍ରୋଲ୍ ପମ୍ପ୍ ତିନି ସରକାରୀ ତୈଳ କଂପାନି ଇଣ୍ଡିଆନ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଓ ଭାରତ ପେଟ୍ରୋଲିୟମ୍ ମାଲିକାନାରେ ରହିଛି। ଏହା ବ୍ୟତୀତ ନାୟରା ଏନର୍ଜି, ଜିଓ-ବିପି ଓ ସେଲ୍ ଭଳି ଘରୋଇ ସଂସ୍ଥାର ପେଟ୍ରୋଲ୍ ପମ୍ପ୍ ମଧ୍ୟ ଦେଶରେ ରହିଛି।