ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଘର କିଣିବା ଲାଗି ଭାରତୀୟ ଧନୀ ଓ ଉଦ୍ୟୋଗୀମାନଙ୍କ ଲାଗି ଦୁବାଇ ଏକ ପସନ୍ଦର ସ୍ଥାନରେ ପରିଣତ ହୋଇଛି। ୨୦୨୨ରେ ଭାରତୀୟମାନେ ଦୁବାଇର ବିଭିନ୍ନ ସ୍ଥାନରେ ଘର କିଣିବାରେ ୩୫ ହଜାର କୋଟି ଟଙ୍କା ବ୍ୟୟ କରିଛନ୍ତି। ବିଶ୍ବର ସୁଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ଥିବା ଅଞ୍ଚଳରେ ସେମାନେ ଅଧିକ ଘର କିଣିଛନ୍ତି।
୨୦୨୧ ତୁଳନାରେ ୨୦୨୨ରେ ଭାରତୀୟମାନେ ଦୁବାଇରେ ଘର କିଣିବାରେ ଦୁଇ ଗୁଣା ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଦୁବାଇରେ ଯେତିକି ଘର ବିକ୍ରି ହୋଇଛି ସେଥିରୁ ୨୨ ପ୍ରତିଶତ ଘରକୁ ଦିଲ୍ଲୀ-ଏନ୍ସିଆର୍, ଅହମ୍ମଦାବାଦ, ସୁରଟ, ହାଇଦ୍ରାବାଦ ଓ ପଞ୍ଜାବରେ ବାସ କରୁଥିବା ଧନୀମାନେ କିଣିଛନ୍ତି। ୟୁଏଇରେ ବାସ କରୁଥିବା ଭାରତୀୟମାନେ ୪୦ ପ୍ରତିଶତ ଘର କିଣିଥିବା ବେଳେ ୨୦ ପ୍ରତିଶତ ଘରକୁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ବାସ କରୁଥିବା ଭାରତୀୟମାନେ କିଣିଛନ୍ତି। ଭାରତୀୟମାନେ ଦୁବାଇରେ ଘର କିଣିବା ପାଇଁ ଘର ପିଛା ହାରାହାରି ୩.୬-୩.୮ କୋଟି ଟଙ୍କା ବ୍ୟୟ କରିଛନ୍ତି। ଘରରୁ ଭଲ ଭଡ଼ା ମିଳୁଛି। ଘର ପିଛା ଭଡ଼ା ୩-୩.୫ ଲକ୍ଷ ଟଙ୍କା ରହିଛି।
ବିଶ୍ବର ବିଭିନ୍ନ ଦେଶକୁ ଦୁବାଇରୁ ବିମାନ ସଂଯୋଗ ରହିଛି। ସେଥିପାଇଁ ବିଶ୍ବସ୍ତରୀୟ କଂପାନିଗୁଡ଼ିକର ବରିଷ୍ଠ ଅଧିକାରୀ ଭାବେ କାମ କରୁଥିବା ଲୋକମାନେ ଦୁବାଇରେ ଘର କିଣୁଛନ୍ତି। କାରଣ ସେଠାରୁ ସହଜରେ ବିଭିନ୍ନ ଦେଶକୁ ଯାତ୍ରା କରି ହେଉଛି। ଭାରତର ମେଟ୍ରୋ ସହରରେ ରହୁଥିବା ଅନେକ ଧନୀ ଏବେ ଦୁବାଇରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ୍ କିଣୁଛନ୍ତି। ଦୁବାଇରେ ବିକ୍ରି ହେଉଥିବା ୧୫-୨୦ ପ୍ରତିଶତ ଘରକୁ ଭାରତୀୟମାନେ କିଣୁଥିବା ବେଳେ ବ୍ରିଟେନ୍, ଚୀନ୍ ଓ ପାକିସ୍ତାନ ନାଗରିକମାନେ ମଧ୍ୟ ସେଠାରେ ଘର କିଣୁଛନ୍ତି। ଗୋଲ୍ଡେନ୍ ଭିସା ପାଇଁ ମଧ୍ୟ ଦୁବାଇରେ ଘର ବିକ୍ରି ବଢ଼ୁଥିବା କୁହାଯାଉଛି।