ବୋର୍ଡରୁମ୍‌ରୁ ପ୍ଲାଷ୍ଟିକ୍‌ ବୋତଲ ହଟାଇଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ: ଦେଶର ଖ୍ୟାତନାମା ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଜଣେ ଟ୍ବିଟରାଇଟ୍ (ଟ୍ବିଟର ବ୍ୟବହାରକାରୀ)ଙ୍କୁ କିଛିଦିନ ପୂର୍ବେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛନ୍ତି। ଟ୍ବିଟରାଇଟ୍‌ଙ୍କ ପରାମର୍ଶକ୍ରମେ ଆନନ୍ଦ କମ୍ପାନିର ବୋର୍ଡ ରୁମ୍‌ରୁ ପ୍ଲାଷ୍ଟିକ୍ ବୋତଲ ଗୁଡ଼ିକୁ ହଟାଇ ଦେଇଛନ୍ତି। ଟ୍ବିଟରରେ ଜଣେ ମହିଳା ଆନନ୍ଦଙ୍କୁ ପ୍ଲା‌ଷ୍ଟିକ୍ ବୋତଲ ବଦଳରେ ଇସ୍ପାତ ବୋତଲ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ।‌ ଫଳରେ ମହିନ୍ଦ୍ରା ଗ୍ରୁପ୍‌ର ବୋର୍ଡ ରୁମ୍‌ରୁ ଆନନ୍ଦ ପ୍ଲା‌ଷ୍ଟିକ୍ ବୋତଲ ହଟାଇ ଦେଇ ତାହା ସ୍ଥାନରେ କାଚ ଜାର୍‌ ଏବଂ ବୋତଲ ରଖିଛନ୍ତି ବୋଲି କମ୍ପାନିର ଜଣେ ପ୍ରବକ୍ତା କହିଛନ୍ତି।

କେସି ମହିନ୍ଦ୍ରା ଶିକ୍ଷା ଟ୍ରଷ୍ଟର ମେଧାବୃତ୍ତି ଚୟନ ବୋର୍ଡ ବୈଠକରେ ଯୋଗଦେବାର ଫଟୋ ଆନନ୍ଦ ମହିନ୍ଦ୍ରା ଟ୍ବିଟରରେ ପୋଷ୍ଟ କରିବା ପରେ ଜଣେ ବ୍ୟକ୍ତି ତାଙ୍କୁ ଉପରୋକ୍ତ ପରାମର୍ଶ ଦେଇଥିଲେ। ଆନନ୍ଦ ତୁରନ୍ତ ସେହି ଟ୍ବିଟ୍‌ର ଉତ୍ତର ଦେବା ସହିତ ପ୍ଲାଷ୍ଟିକ ବୋତଲ ଗୁଡ଼ିକୁ ନିଷିଦ୍ଧ କରାଯିବ ବୋଲି କହିଥିଲେ। ଆନନ୍ଦ ମହିନ୍ଦ୍ରା ଉପରୋକ୍ତ ଉତ୍ତର ଦେବା ପରେ ଟ୍ବିଟରରେ ତାଙ୍କର ଅନେକ ପ୍ରଶଂସା ଟ୍ବିଟରାଇଟମାନେ କରିଛନ୍ତି। ଟ୍ବିଟରରେ ଆନନ୍ଦ ମହିନ୍ଦ୍ରାଙ୍କର ୭୦.୭ ଲକ୍ଷ ଅନୁଗାମୀ ଅଛନ୍ତି।

ସମ୍ବନ୍ଧିତ ଖବର