ଭୁବନେଶ୍ବର: ରାଜଭବନର ଅଧିକାଂଶ ଗାଡ଼ିକୁ ଇଲେକ୍ଟ୍ରିକ୍ ଯାନ (ଇଭି)ରେ ପରିବର୍ତ୍ତନ କରିବା ଅଭିଯାନକୁ ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରଶଂସା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ଭିଡିଓ ଜାରି କରି ସେ ଏହାକୁ ଉନ୍ନତି ଓ ପ୍ରଗତିର ପ୍ରତୀକ ବୋଲି କହିଛନ୍ତି। ରାଜଭବନର ଇଲେକ୍ଟ୍ରିକ୍ କାର୍ଗୁଡ଼ିକ ବେଶ୍ ସୁନ୍ଦର ଦେଖାଯାଉଥିବା ସେ କହିଛନ୍ତି। ଜୀବାଶ୍ମ ଇନ୍ଧନ ବ୍ୟବହାର କମ୍ କରିବା ଓ ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବା ପାଇଁ ରାଜଭବନର ଅଧିକାଂଶ ଗାଡ଼ିକୁ ଇଲେକ୍ଟ୍ରିକ୍ ଯାନରେ ପରିବର୍ତ୍ତନ କରାଯାଇଛି।
ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କ କାର୍କେଡ୍କୁ ସମ୍ପୂର୍ଣ୍ଣ ଇଭିରେ ବଦଳାଇ ଦିଆଯାଇଛି। ପେଟ୍ରୋଲ୍ ଓ ଡିଜେଲ ଭଳି ଖଣିଜ ତୈଳ ଉପରେ ନିର୍ଭରଶୀଳତା କମ୍ କରିବା ଲାଗି ରାଜଭବନ ପରିସରରେ ଏକ ୧୫୦ କିଲୋୱାଟ୍ର ସୋଲାର ପାୱାର ପ୍ଲାଣ୍ଟ୍ ରହିଛି। ଖୁବ୍ଶୀଘ୍ର ଆଉ ୪୦୦ କିଲୋୱାଟ୍ର କ୍ଷମତା ଯୋଡ଼ିବାକୁ ପ୍ରୟାସ କରାଯାଉଛି। ରାଜଭବନରେ ମାସକୁ ୫୦,୦୦୦ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର ହେଉଥିବା ବେଳେ ୧୬,୦୦୦ ୟୁନିଟ୍ର ଅକ୍ଷୟ ଶକ୍ତି ଉତ୍ପାଦନ କରାଯାଉଛି। ରାଜଭବନରେ କେବଳ ଇଭି କାର୍ ବ୍ୟବହାର ହେଉନାହିଁ। କର୍ମଚାରୀଙ୍କ ବ୍ୟବହାର ଲାଗି ଦୁଇଚକିଆ ଇଭି ମଧ୍ୟ କିଣାଯାଇଛି। ଅତିଥିମାନଙ୍କ ନେବାଆଣିବା ପାଇଁ ଇଲେକ୍ଟ୍ରିକ୍ ବୁଗି ମଧ୍ୟ ଚାଲୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/11/untitled-2-2025-10-11-10-56-27.jpg)