ନୂଆଦିଲ୍ଲୀ:ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିଥାଆନ୍ତି। ଆନନ୍ଦ ମହିନ୍ଦ୍ରା ତାଙ୍କ ଫଲୋୟର୍ସମାନଙ୍କ ପାଇଁ ସୋସିଆଲ ମିଡିଆରେ ସବୁବେଳେ କିଛି ନୂଆ ଓ ମଜାଳିଆ ଭିଡିଓ ସବୁ ପୋଷ୍ଟ କରିଥାନ୍ତି। ତାଙ୍କ ପୋଷ୍ଟଗୁଡିକ ମଜାଳିଆ ହେବା ସହିତ ଜୀବନର ମୂଲ୍ୟ ବିଷୟରେ ଏକ ଭିନ୍ନ ଢଙ୍ଗରେ ଶିକ୍ଷା ଦେଇଥାଏ। ଅନେକ ଭିଡିଓ ଜୀବନରେ ଆଗକୁ ବଢ଼ିବାର ପ୍ରେରଣା ମଧ୍ୟ ଦେଇଥାଏ। ଏଥର ସେ ଏକ ଏଭଳି ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ ସେ ଏପର୍ଯ୍ୟନ୍ତ ଦେଖିଥିବା ପ୍ରେରଣାଦାୟୀ ବାର୍ତ୍ତାଗୁଡ଼ିକ ମଧ୍ୟରୁ ସବୁଠାରୁ ଅଧିକ ପ୍ରେରଣାଦାୟୀ ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କର ଏହି ପୋଷ୍ଟଟି ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ସହ ଜଡିତ, ଯାହାଙ୍କର ଦୃଷ୍ଟିଶକ୍ତି ନଥାଇ ବି ସେ ୩୫୦କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି।

Advertisment

ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟର ଆକାଉଣ୍ଟରେ ୪୫ସେକେଣ୍ଡର ଏକ ଭିଡିଓ ଟୁଇଟ୍ କରିଛନ୍ତି। ଏହି ୪୫ସେକେଣ୍ଡର ଭିଡିଓରେ ଦୃଷ୍ଟିଶକ୍ତି ନଥିବା ବ୍ୟବସାୟୀ ଭାବେଶ ଭାଟିଆଙ୍କ ବିଷୟରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ ତାଙ୍କର ଦୃଷ୍ଟିଶକ୍ତି ନ ଥାଇ ମଧ୍ୟ ସେ ବିଶ୍ୱକୁ କିପରି ଆଲୋକିତ କରିଛନ୍ତି। ଭିଡିଓରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଭାବେଶ ୨୮ବର୍ଷ ପୂର୍ବେ ମହାବଳେଶ୍ବରରେ ସନରାଇଜ୍ କ୍ୟାଣ୍ଡେଲ୍ସ କମ୍ପାନି ଆରମ୍ଭ କରିଥିଲେ। ପ୍ରଥମେ ତାଙ୍କ ବ୍ୟବସାୟକୁ କେହି ଗମ୍ଭୀରତାର ସହ ନେଇନଥିବା ବେଳେ ଆଜି କମ୍ପାନିର ବାର୍ଷିକ କାରବାର ୩୫୦କୋଟି ଟଙ୍କାରେ ପହଞ୍ଚିଛି। କେବଳ ଏତିକି ନୁହେଁ, ଏହି କମ୍ପାନି ପ୍ରାୟ ୧୦,୦୦୦ ଲୋକଙ୍କୁ ରୋଜଗାର ଯୋଗାଇଛି।