ନୂଆଦିଲ୍ଲୀ: ‌ଷ୍ଟକ୍‌ ମାର୍କେଟ୍‌ ଜାଲିଆତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ସକାଳେ ‘ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌’ର ପୂର୍ବତନ ଗ୍ରୁପ୍‌ ଅପରେଟିଙ୍ଗ୍‌ ଅଧିକାରୀ ଆନନ୍ଦ ସୁବ୍ରମଣିଆନ୍‌ଙ୍କୁ ‘ସିବିଆଇ’ ଗିରଫ କରିଛି।

Advertisment

‘ଷ୍ଟକ୍‌ ଏକ୍ସ୍‌ଚେଞ୍ଜ୍‌’ରେ ତାଙ୍କର ଭୂମିକା ସମ୍ପର୍କରେ ଚଳିତ ସପ୍ତାହ ପ୍ରାରମ୍ଭରେ ‘ସିବିଆଇ’ ସୁବ୍ରମଣିଆନ୍‌ଙ୍କୁ ଜେରା କରିଥିଲା।

ସୂଚନାଯୋଗ୍ୟ, କୁଖ୍ୟାତ ‘ଟିକ୍‌ ବାଇ ଟିକ୍‌’ ମାର୍କେଟ୍‌ ମ୍ୟାନିପୁଲେସନ୍‌ ମାମଲାରେ ସମ୍ପ୍ରତି ‘ସିବିଆଇ’ ସ୍କାନର୍‌ରେ ଥିବା ଚିତ୍ରା ରାମକୃଷ୍ଣା ତାଙ୍କୁ ‘ଏନ୍‌ଏସ୍ଇ’ର ଗ୍ରୁପ୍‌ ଅପରେଟିଙ୍ଗ୍‌ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ।

୨୦୧୮ରେ ‘ସିବିଆଇ’ ‘ଓପିଜି ସିକ୍ୟୁରିଟିଜ୍‌’ ଏବଂ ତା’ର ପରିଚାଳନା ନିର୍ଦେଶକ ସଞ୍ଜୟ ଗୁପ୍ତା, ସଫ୍‌ଟୱେର୍‌ ବିକଶିତ କରିବାରେ ସାହାଯ୍ୟ କରିଥିବା ଅଜୟ ଶାହ, ‘ଏନ୍‌ଏସ୍‌ଇ’ର କେତେକ ଅଜ୍ଞାତ କର୍ମଚାରୀ ଏବଂ ନିୟନ୍ତ୍ରଣକାରୀ କମିଟି ‘ଏସ୍‌ଇବିଆଇ’ ବିରୋଧରେ ‘ଟିକ୍‌ ବାଇ ଟିକ୍‌’ ମାମଲା ରୁଜୁ କରିଥିଲା। ୨୦୧୦ରୁ ୨୦୧୪ ମଧ୍ୟରେ ହୋଇଥିବା ‘ଷ୍ଟକ୍‌ ମାର୍କେଟ୍‌’ ଜାଲିଆତିରେ ସେମାନେ ସମ୍ପୃକ୍ତ ଥିଲେ।

publive-image Image Courtesy of News18

ଉକ୍ତ ମାମଲାର ତଦନ୍ତ ସମୟରେ ଜଣାପଡ଼ିଥିଲା କି, ‘ଏନ୍‌ଏସ୍‌ଇ’ର ପୂର୍ବତନ ‘ସିଇଓ’ ଚିତ୍ରା ରାମକୃଷ୍ଣା ଏବଂ ହିମାଳୟରେ ବାସ କରୁଥିବା ଜଣେ ଯୋଗୀଙ୍କ ମଧ୍ୟରେ ଇ-ମେଲ୍‌ ବିନିମୟ ଚାଲିଥିଲା। ଏହି ଇ-ମେଲ୍‌ ଆଇ.ଡି.କୁ ଚଳାଉଥିଲେ ସୁବ୍ରମଣିଆନ୍।

ଅଜ୍ଞାତ ଯୋଗୀଙ୍କୁ ଗୋପନୀୟ ସୂଚନା ଦେଇଥିବା ଅଭିଯୋଗରେ ‘ଏସ୍‌ଇବିଆଇ’ ଚିତ୍ରାଙ୍କ ଉପରେ ୩ କ‌ୋଟି ଟଙ୍କା, ସୁବ୍ରମଣିଆନ୍‌ଙ୍କ ଉପରେ ୨ କୋଟି ଟଙ୍କା ଏବଂ ରାମକୃଷ୍ଣାଙ୍କ ପୂର୍ବରୁ ‘ଏନ୍‌ଏସ୍‌ଇ’ର ପୂର୍ବତନ ଏମ୍‌.ଡି. ତଥା ‘ସିଇଓ’ ଥିବା ରବି ନାରାୟଣଙ୍କ ଉପରେ ମଧ୍ୟ ୨ କୋଟି ଟଙ୍କା ଜରିମାନା କରିଥିଲା।