ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଭାବେ ନିଯୁକ୍ତି ମିଳିଛି। ଗତକାଲି ଅନୁଷ୍ଠିତ କମ୍ପାନିର ବୋର୍ଡ ବୈଠକରେ ଅନନ୍ତଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପୂର୍ଣ୍ଣକାଳୀନ ସଦସ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ୫ ବର୍ଷ ପାଇଁ ନିଯୁକ୍ତ କରାଯାଇଥିବା ଘୋଷଣା କରାଯାଇଛି। ଆସନ୍ତାମାସ ପହିଲାରୁ ସେ ଏହି ଦାୟିତ୍ବ ସମ୍ଭାଳିବେ।
କମ୍ପାନି ପକ୍ଷରୁ ଉଭୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜକୁ ଏ ସଂପର୍କରେ ସୂଚନା ଦିଆଯାଇଛି। ୨୦୨୩ରୁ ଅନନ୍ତ କମ୍ପାନିର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରହିଛନ୍ତି। ଏଥିସହିତ ସେ ୨୦୨୦ ମାର୍ଚ୍ଚରୁ ଜିଓ ପ୍ଲାଟଫର୍ମ ଲିମିଟେଡର ବୋର୍ଡରେ, ୨୦୨୨ ମେ’ ରୁ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ ବୋର୍ଡରେ ଏବଂ ୨୦୨୧ ଜୁନରୁ ରିଲାଏନ୍ସ ନ୍ୟୁ ଏନର୍ଜି ଲିମିଟେଡ ଓ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜି ଲିମିଟେଡ ବୋର୍ଡରେ କାର୍ଯ୍ୟ କରୁଛନ୍ତି। ରିଲାଏନ୍ସ ଫାଉଣ୍ଡେସନର ବୋର୍ଡରେ ମଧ୍ୟ ସେ ୨୦୨୨ରୁ କାର୍ଯ୍ୟ କରୁଛନ୍ତି। ଅମ୍ବାନୀଙ୍କ ୩ ସନ୍ତାନଙ୍କ ମଧ୍ୟରୁ ଅନନ୍ତ ପ୍ରଥମେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଛନ୍ତି। ବଡ଼ ଭାଇ ଆକାଶ ଅମ୍ବାନୀ ୨୦୨୨ରୁ ରିଲାଏନ୍ସ ଜିଓର ଅଧ୍ୟକ୍ଷ ରହିଛନ୍ତି। ସେହିଭଳି ଭଉଣୀ ଇଶା ଅମ୍ବାନୀ ରିଲାଏନ୍ସ ରିଟେଲ ବ୍ୟବସାୟର ନେତୃତ୍ବ ନେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/27/Iub3cZm4wPIbHfzxPiwq.jpg)