ଆଉ କେତେ ଲାଭ କଲେ ତେଲ ଦାମ୍ କମାଇବେ: ବର୍ଷେ ହେଲାଣି ଦାମ୍ ସ୍ଥିର

ଅଶୋଧିତ ତେଲ ଦାମ୍ ୩୦ ଡଲାର କମିଲାଣି

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରିରେ ଆଉ କ୍ଷତି ହେଉନି। ଅର୍ଥାତ ଏବେ ଲାଭ ମିଳୁଛି। ତଥାପି ତେଲ ଦାମ୍ କମୁନି। ଗତବର୍ଷର କ୍ଷତି ଭରଣା ହୋଇନଥିବା ବାହାନା କରି ତେଲ ଦର୍‌ କମ୍ କରାଯାଉନି। ଆଉ କେତେ ଲାଭ କଲେ ଦାମ୍ କମିବ ତାହାକୁ ସାଧାରଣ ଜନତା ଚାହିରହିଛନ୍ତି। ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍ ଖୁବ୍‌ଶୀଘ୍ର କମିବ ବୋଲି ଆଜି ଦିନ ସାରା ଚର୍ଚ୍ଚା ହୋଇଥିଲା। ଯେହେତୁ କଂପାନି କ୍ଷତି ସହୁନାହାନ୍ତି ଓ ଆନ୍ତର୍ଜାତିକ ବଜାରରେ ତେଲ ଦାମ୍ କମ୍ ରହିଛି ତେଣୁ ପେଟ୍ରୋଲ ଓ ଡିଜେଲ୍‌ ଦାମ୍ କମିବାର ସମ୍ଭାବନା ସୃଷ୍ଟି ହୋଇଥିଲା।

ଏ ସମ୍ପର୍କିତ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜଣେ ବରିଷ୍ଠ ସରକାରୀ ଅଧିକାରୀ ସେହି ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଗତବର୍ଷର କ୍ଷତି ଭରଣା ହୋଇନି। ୨୦୨୩ର ପ୍ରଥମ ତିନି ମାସ କଂପାନିଗୁଡ଼ିକ ଲାଗି ଭଲ ଥିଲା। ଏବେବି ଆଉ କିଛି କ୍ଷତି ହେଉନି। ଯଦି ଏପ୍ରିଲ୍-ଜୁନ୍ ତ୍ରୈମାସିକରେ ବି କଂପାନିଗୁଡ଼ିକର ପ୍ରଦର୍ଶନ ଭଲ ରହିବ ଏବଂ ଆନ୍ତର୍ଜାତିକ ବଜାରରେ ତେଲ ଦାମ୍ କମ୍ ରହିବ ତେବେ ପେଟ୍ରୋଲ ଓ ଡିଜେଲ୍‌ ଦାମ୍ ହ୍ରାସ କରିବାର ସମ୍ଭାବନା ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି। ଭବିଷ୍ୟତରେ କେବେ ତେଲ ଦାମ୍ କମିବ ତାହା କେହି ଆକଳନ କରିପାରୁନାହାନ୍ତି। ଏହି ଅଧିକାରୀ ଜଣକ କହିଛନ୍ତି ଯେ ଏହି ପ୍ରଶ୍ନର ଉତ୍ତର ଦେବା କଷ୍ଟକର। କାରଣ ଭବିଷ୍ୟତରେ ଆନ୍ତର୍ଜାତିକ ବଜାରରେ ତୈଳ ଦାମ୍ କ’ଣ ରହିବ ତାହା କୁହାଯାଇପାରିବ ନାହିଁ। ‌ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବହୁ ବିଷୟ ଉପରେ ନିର୍ଭର କରୁଛି। ସବୁ ଠିକ୍ ରହିଲେ ଦାମ୍ କମ୍ ହେବା ଭଳି ସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି।

୨୦୨୨ ଏପ୍ରିଲ୍ ୬ ପରଠାରୁ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଅପରିବର୍ତ୍ତିତ ରହିଛି। ସେହି ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ୧୦୪ ଡଲାର ପାଖାପାଖି ଥିଲା। ବର୍ତ୍ତମାନ ସେହି ଦାମ୍ ପ୍ରାୟ ୩୦ ଡଲାର ହ୍ରାସ ପାଇ ୭୬ ଡଲାର ସ୍ତରକୁ ଖସିଆସିଥିଲେ ମଧ୍ୟ ଗ୍ରାହକମାନଙ୍କୁ ତାହାର ଲାଭ ମିଳୁନାହିଁ। ଲୋକମାନେ ଏବେବି ସେହି ପୁରୁଣା ଦାମ୍‌ରେ ପେଟ୍ରୋଲ ଓ ଡିଜେଲ୍‌ କିଣିବାକୁ ବାଧ୍ୟ ହେଉଛନ୍ତି। ପୂର୍ବରୁ ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ଯେ ତେଲ କଂପାନିଗୁଡ଼ିକର ବିକ୍ରିରେ ହେଉଥିବା କ୍ଷତି ଭରଣା ହେବା ପରେ ଦାମ୍ କମିବ।

ସେହି ସ୍ଥିତି ସୃଷ୍ଟି ହୋଇସାରିଥିଲେ ମଧ୍ୟ କଂପାନିଗୁଡ଼ିକ ଦାମ୍ କମ୍ କରୁନାହାନ୍ତି। ଗତବର୍ଷ ଅଶୋଧିତ ତୈଳ ଦାମ୍ ଉଚ୍ଚ ସ୍ତରରେ ରହିବାର କଂପାନିଗୁଡ଼ିକ ବିପୁଳ କ୍ଷତି ସହିଥିଲେ। ସେମାନଙ୍କ କ୍ଷତି ଭରଣା କରିବା ଲାଗି ସରକାର ବାଧ୍ୟହୋଇ ୨୨ ହଜାର କୋଟି ଟଙ୍କାର କ୍ଷତିପୂରଣ ଦେଇଥିଲେ। କଂପାନିଗୁଡ଼ିକ କିନ୍ତୁ ଆହୁରି ୫୦ ହଜାର କୋଟି ଟଙ୍କାର କ୍ଷତିପୂରଣ ମାଗିଥିଲେ। କିନ୍ତୁ ସେହି ଦାବିକୁ ସରକାର ପୂରଣ କରିନଥିଲେ। ତେଣୁ ତେଲ କଂପାନିଗୁଡ଼ିକ ଦାମ୍ ପରିବର୍ତ୍ତନ ନକରି ଗତବର୍ଷ ହୋଇଥିବା କ୍ଷତିକୁ ଭରଣା କରିଚାଲିଛନ୍ତି। ଗତବର୍ଷ ଜୁନ୍‌ରେ ତେଲ କଂପାନିଗୁଡ଼ିକ ପେଟ୍ରୋଲ ଲିଟରରେ ୨୮ ଟଙ୍କା ଓ ଡିଜେଲ୍‌ରେ ୧୭ ଟଙ୍କା ୫୦ ପଇସାର କ୍ଷତି ସହୁଥିଲେ। ଏବେ କିନ୍ତୁ ଟଙ୍କାଟିଏ ବି କ୍ଷତି ହେଉନି। ତଥାପି ଗ୍ରାହକ କମ୍ ଦାମ୍‌ରେ ତେଲ କିଣିବାକୁ ବଞ୍ଚିତ ରହିଛନ୍ତି।

ସମ୍ବନ୍ଧିତ ଖବର