ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ୨୮୮ ବ୍ଲକ୍ର ୨୦୦୦ ଗ୍ରାମ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ରାଜ୍ୟରେ ଆମ ବ୍ୟାଙ୍କ ସଂଖ୍ୟା ୨୭୫୦କୁ ବୃଦ୍ଧି ପାଇଛି। ପ୍ରଥମ ପର୍ଯ୍ୟାୟରେ ଗତବର୍ଷ ନଭେମ୍ବରରେ ୭୫୦ଟି ଆମ ବ୍ୟାଙ୍କ ଖୋଲାଯାଇଥିଲା। ଓଡ଼ିଶାର ୬,୭୯୮ଟି ଗ୍ରାମ ପଞ୍ଚାୟତଟି ମଧ୍ୟରୁ ୪୩୭୩ଟି ପଞ୍ଚାୟତରେ ବ୍ୟାଙ୍କ ଶାଖା ନ ଥିଲା। ପର୍ଯ୍ୟାୟକ୍ରମେ ରାଜ୍ୟର ଅବଶିଷ୍ଟ ସମସ୍ତ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ସୁବିଧା ମିଳିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମୁଁ ଚାହେଁ କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ହଇରାଣ ନହୁଅନ୍ତୁ। ସମସ୍ତ ସୁବିଧା ସିଧାସଳଖ ହିତାଧିକାରୀଙ୍କ ଖାତାରେ ଜମା ହେଉଛି। ସମସ୍ତେ ସୁବିଧାରେ ଓ ଠିକ୍ ସମୟରେ ପ୍ରାପ୍ୟ ପାଆନ୍ତୁ ବୋଲି ଆମେ ଚାହୁଛୁ। ସେଥିପାଇଁ ଆମ ବ୍ୟାଙ୍କ ଖୋଲାଯାଉଛି। ଆମ ବ୍ୟାଙ୍କ ହିତାଧିକାରୀଙ୍କୁ ୧୫ ପ୍ରକାର ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବ୍ୟାଙ୍କ କ୍ଷେତ୍ରରେ ଏହି ପଦକ୍ଷେପ ଜାତୀୟ ସ୍ତରରେ ଏକ ଉଦାହରଣ। ମଧୁବାବୁ ପେନସନ ଯୋଜନା, ମମତା ଯୋଜନା, ବୁଣାକାର ଓ କଳାକାରମାନଙ୍କ ପେନସନ ଓ ସହାୟତା ନିକଟରେ ବୃଦ୍ଧି କରାଯାଇଛି। ଏମାନଙ୍କ ସହିତ ମିଶନ ଶକ୍ତି ମା’ ମାନେ ମଧ୍ୟ ଏହି ବ୍ୟାଙ୍କ ଜରିଆରେ ସୁବିଧା ପାଇବେ। ଆମ ବ୍ୟାଙ୍କ ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଶାରିରୀକ ଅକ୍ଷମମାନଙ୍କୁ ସେମାନଙ୍କ ଘର ପାଖରେ ସେବା ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ବ୍ୟାଙ୍କଗୁଡ଼ିକୁ ଖୋଲିବାରେ ସହଯୋଗ କରିଥିବା ୬ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସେ ଧନ୍ୟବାଦ ଜଣାଇଛନ୍ତି। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଗାଁମାନଙ୍କରେ ଡିଜିଟାଲ ଭିତ୍ତିଭୂମିକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଥିଲେ।
ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ପୂର୍ବରୁ ରାଜ୍ୟରେ ବ୍ୟାଙ୍କଗୁଡିକ ସଂଖ୍ୟା ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ବ୍ୟାଙ୍କିଙ୍ଗ ଏକ ଜରୁରୀ ସେବା ହୋଇଥିବାରୁ ରାଜ୍ୟର ସମସ୍ତ ଅଞ୍ଚଳର ନାଗରିକମାନଙ୍କୁ ଏହି ମୌଳିକ ସେବା ଉପଲବ୍ଧ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ‘ଆମ ବ୍ୟାଙ୍କ’ ଯୋଜନା ପରିକଳ୍ପନା କରିଛନ୍ତି। ବାଲେଶ୍ୱର, ବଲାଙ୍ଗୀର ଓ ଗଞ୍ଜାମ ଜିଲ୍ଲାର ୩ ଜଣ ହିତାଧିକାରୀ ଶୁଭଶ୍ରୀ ପଣ୍ଡା, ମମତା ମହାକୁଡ ଓ ବିକାଶ ସେଠୀ କାର୍ଯ୍ୟକ୍ରମରେ ସେମାନଙ୍କ ମତ ବିନିମୟ କରି କହିଥିଲେ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ସେମାନେ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର ଅନୁ ଗର୍ଗ, ପଞ୍ଚାୟତରାଜ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ସ୍ୱାଗତ ଭାଷଣ ଦେଇଥିଲେ।