ପୁଣି ଅନିଶ୍ଚିତତାରେ ଅର୍ଥନୀତି, ଅଭିବୃଦ୍ଧିକୁ ବାଧା ଦେଇପାରେ ଓମିକ୍ରନ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ୍ ‘ଓମିକ୍ରନ’ ଚିହ୍ନଟ ହେବାପରେ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି। ପୂର୍ବ ଭାରିଆଣ୍ଟ ଗୁଡ଼ିକ ତୁଳନାରେ ଏହା ଅଧିକ ମାରାତ୍ମକ ଓ ସଂକ୍ରାମକ ହୋଇଥିବାରୁ ଚିନ୍ତା ବଢ଼ିଯାଇଛି।

କରୋନା ମହାମାରୀ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଭାରତରେ ଦୁଇଟି ଲହର ଯାଇଛି। ପ୍ରଥମ ଲହର ଓ ଦ୍ବିତୀୟ ଲହରରେ ବହୁ ଲୋକ ଜୀବନ ହରାଇଛନ୍ତି। ଲୋକଙ୍କ ଜୀବିକାକୁ ମଧ୍ୟ କରୋନା ଛଡ଼ାଇ ନେଇଯାଇଛି। ବର୍ତ୍ତମାନ ସୁଦ୍ଧା ଭାରତରେ ପାଖାପାଖି ୪ ଲକ୍ଷ ୬୮ ହଜାର ଲୋକଙ୍କ ପ୍ରାଣ ମହାମାରୀ ନେଇଛି। କରୋନା ଯୋଗୁ ରାତାରାତି ଲୋକଙ୍କ କର୍ମସଂସ୍କୃତି ବଦଳିଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି। କିନ୍ତୁ କରୋନା ପ୍ରକୋପ ହ୍ରାସ ପାଇବା ପରେ ଅର୍ଥନୀତିରେ କିଛିଟା ସୁଧାରର ଲକ୍ଷଣ ଆସିଥିଲା। ପୁଞ୍ଜି ବଜାରରୁ ନିବେଶକମାନଙ୍କୁ ଭଲ ରିଟର୍ଣ୍ଣ ମିଳୁଥିଲା। ଏସବୁ ଯୋଗୁ ଲୋକଙ୍କ ମନୋଭାବରେ କିଛିଟା ସକାରାତ୍ମକ ପରିବର୍ତ୍ତନ ମଧ୍ୟ ଆସିଥିଲା। କିନ୍ତୁ ଏବେ ଓମିକ୍ରନ ସବୁକିଛିକୁ ଅନିଶ୍ଚିତତା ମଧ୍ୟକୁ ଠେଲିଦେଇଛି। ଯଦି ଭାରତରେ ଏହି ନୂଆ ପ୍ରଜାତି ଭୂତାଣୁ ତୃତୀୟ ଲହର‌ ଆଣେ ତା’ହେଲେ ଅର୍ଥନୈତିକ ଅଭିବୃଦ୍ଧି ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

ସ୍ବିସ୍ ବ୍ରୋ‌କରେଜ୍ ସଂସ୍ଥା ୟୁବିଏସ୍‌ ସିକ୍ୟୁରିଟିଜ୍‌ର ଆକଳନ ଅନୁଯାୟୀ ବିଶ୍ବର ପ୍ରମୁଖ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ର ମଧ୍ୟରେ ଭାରତ ରହିବ। କରୋନା ମହାମାରୀ ଯୋଗୁ ପ୍ରଭାବିତ ହୋଇଥିବା ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ଯାତାୟତ କଟକଣା ସ୍ବାଭାବିକ ହେଲେ ଅର୍ଥନୀତିରେ ସୁଧାର ଆସିବ। କିନ୍ତୁ ନୂଆ ଷ୍ଟ୍ରେନ ପାଇଁ କରୋନା ସଂକ୍ରମଣ ବୃଦ୍ଧି ପାଇଲେ ଏବଂ ଟିକାକରଣରୁ ଲୋକଙ୍କୁ ସୁରକ୍ଷା ନମିଳିଲେ ସବୁକିଛି ଗଡ଼ବଡ଼ ହୋଇଯିବ ବୋଲି କୁହାଯାଇଛି। ନୂଆ ପ୍ରଜାତିର କରୋନା ଭୂତାଣୁ ପାଇଁ ଲୋକଙ୍କ ଯାତାୟତ ଉପରେ କଟକଣା ଲଗାଇବାକୁ ସରକାର ବାଧ୍ୟ ହୋଇପାରନ୍ତି। ଓମିକ୍ରନ ପ୍ରଜାତି ବ୍ୟାପିବା ପରେ ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ୟୁରୋପର କେତେକ ଦେଶ, ହଂକଂ, ଇସ୍ରାଏଲ ଆଦି ଦେଶ କେତେକ ଦକ୍ଷିଣ ଆଫ୍ରିକୀୟ ଦେଶର ଲୋକଙ୍କ ଆଗମନ ଉପରେ କଟକଣା ଲଗାଇ ସାରିଲେଣି। ପୁଞ୍ଜି ବଜାର ପୁଣି ଥରେ ନିମ୍ନମୁଖୀ ହେଲାଣି। ଶୁକ୍ରବାର ସେନସେକ୍ସ ୧୬୮୭ ପଏଣ୍ଟ ଏବଂ ନିଫ୍ଟି ୫୧୦ ପଏଣ୍ଟ ତଳକୁ ଖସିଛି। ଅଶୋଧିତ ତେଲ ଦର ୧୩ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୭୦ ଡଲାର ନିମ୍ନକୁ କମିଛି। ତେଣୁ ନୂଆ ପ୍ରଜାତି ଭୂତାଣୁ କବଳରୁ ଟିକା ନୂଆ ଟିକା ନଆସିବା ପର୍ଯ୍ୟନ୍ତ ଅର୍ଥନୀତି ଉପରେ ମହାମାରୀର ପ୍ରଭାବ କେତେମାତ୍ରାରେ ପଡ଼ିବ ତାହା କହିବା ସହଜ ନୁହେଁ।

ସମ୍ବନ୍ଧିତ ଖବର