ବିଜୟୱାଡ଼ା: ଆନ୍ଧ୍ର ପ୍ରଦେଶସ୍ଥିତ ଗୋଟାଏ ରେସ୍ତୋରାଁ ଗୁରୁବାର ଦିନ ଆଶ୍ଚର୍ଯ୍ୟଜନକ ‘ଫୁଡ୍ ଅଫର୍’ ଘୋଷଣା କରି ୪୨୦ ଟଙ୍କାର ଥାଳିକୁ ମାତ୍ର ୫ ପଇସା ବିନିମୟରେ ଗ୍ରାହକମାନଙ୍କୁ ପରିବେଷଣ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ଗ୍ରାହକମାନଙ୍କ ପାଇଁ ୩୫ ପ୍ରକାରର ବ୍ୟଞ୍ଜନ ଥିବା ଏହି ‘ଅନ୍ ଲିମିଟେଡ୍ ଫୁଡ୍ ଅଫର୍’ ଘୋଷଣା କରିଥିବା ରେସ୍ତୋରାଁଟି ହେଉଛି ବିଜୟୱାଡ଼ାର ‘ରାଜଭୋଗ ରେସ୍ତୋରାଁ’।

ରେସ୍ତୋରାଁର ମାଲିକ ମୋହିତ ଗଣମାଧ୍ୟମକୁ କହିଛନ୍ତି, ଗତକାଲିର ‘ଅଫର୍’ ଅତ୍ୟନ୍ତ ସଫଳ ହୋଇଥିଲା। ଏତେ ସଂଖ୍ୟକ ଗ୍ରାହକ ଆସିବେ ବୋଲି ଆମେ ଆଶା କରି ନ ଥିଲୁ। ୩୦୦ରୁ ୪୦୦ ଗ୍ରାହକ ଆସିବେ ବୋଲି ଆମର ଧାରଣା ହୋଇଥିଲା, କିନ୍ତୁ ଆମ ‘ଅଫର୍’ ପୋଷ୍ଟ୍ ଭାଇରାଲ୍ ହୋଇ ମାତ୍ର ୩ ଦିନରେ ଚହଳ ପକାଇ ଦେଲା। ପ୍ରଚାର ପାଇଁ ଏହା ଗୋଟାଏ ଅଭିନବ ଉପାୟ। ତେଣୁ, ୫ ପଇସିଆ ‘ଅଫର୍‘ ଦେଇ ଆମେ ପ୍ରଚାର ଚଳାଇଲୁ। ୫ ପଇସି ଆଣିଥିବା ବ୍ୟକ୍ତିମାନଙ୍କୁ ଆମେ ପ୍ରଥମ ୫୦ ଥାଳି ମାଗଣାରେ ଦେଲୁ। ତା’ପରେ ବାକି ୧୦୦୦ ଗ୍ରାହକଙ୍କୁ ୫୦% ରିହାତିରେ ଥାଳି ପରିବେଷଣ କଲୁ। ବଡ଼ ସଫଳତା ମିଳିଲା। ଗୁଜରାଟୀ, ରାଜସ୍ଥାନୀ ଓ ଉତ୍ତର ଭାରତୀୟ ବ୍ୟଞ୍ଜନ ସମେତ ୩୫ କିସମର ବ୍ୟଞ୍ଜନ ଥିବା ଏହି ଥାଳିର ‘ଅଫର୍’ ଥିଲା ଅନ୍ଲିମିଟେଡ୍ ବା ଅସୀମିତ।

ଉଲ୍ଲେଖଯୋଗ୍ୟ, ଏହି ‘ଅଫର୍’ କେବଳ ଦିନକ ପାଇଁ ଚାଲିଥିଲା। ‘ରାଜଭୋଗ ରେସ୍ତୋରାଁ’ର ଅନ୍ୟତମ ମାଲିକ ଦୀପ୍ତି କହିଛନ୍ତି, ଆମେ ଯେ, ରାଜସ୍ଥାନୀ, ଗୁଜରାଟୀ ଓ ଉତ୍ତର ଭାରତୀୟ ଭୋଜନ ପରିବେଷଣ କରୁ, ତାହା ଜଣାଇବା ଥିଲା ଏହି ‘ଅଫର୍’ର ମୁଖ୍ୟ ଉଦ୍ଦେଶ୍ୟ। ବିଜୟୱାଡ଼ାରେ ଅନେକ ଦକ୍ଷିଣ ଭାରତୀୟ ଅଛନ୍ତି। ସେମାନଙ୍କୁ ଉପରୋକ୍ତ ଖାଦ୍ୟ ବିଷୟରେ ଅବଗତ କରାଇବାକୁ ୫ ପଇସିଆ ‘ଅଫର୍’ ଘୋଷଣା କରିଥିଲୁ।