ଜିଏସ୍‌ଟି କ୍ଷତିପୂରଣ ପ୍ରସ୍ତାବକୁ ଆନ୍ଧ୍ରର ସମର୍ଥନ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗେହଲଟ୍‌

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣ ରାଶିକୁ ନେଇ କେନ୍ଦ୍ର ସରକାର ଦେଇଥିବା ଋଣ ବିକଳ୍ପକୁ ସମର୍ଥନ କରିଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି। ଏହି ସମସ୍ୟା ସମାଧାନ ଲାଗି ଋଣ ଏକମାତ୍ର ବିକଳ୍ପ ବୋଲି ସେ କହିଛନ୍ତି। ଅତିରିକ୍ତ ରାଜସ୍ବ ହାସଲ କରିବା ଲାଗି ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି। ଲୋକମାନଙ୍କ ଉପରେ ଅଧିକ ଟିକସ ଲଗାଇ ହେବ ନାହିଁ। ତେଣୁ ଏହି ସଙ୍କଟ ଦୂର କରିବା ଲାଗି ଋଣ ଏକମାତ୍ର ବିକଳ୍ପ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଦେଇଥିବା ଦୁଇଟି ପ୍ରସ୍ତାବକୁ ଅନେକ ରାଜ୍ୟ ବିରୋଧ କରୁଥିବା ବେଳେ ଜଗନମୋହନ ଏହାକୁ ସମର୍ଥନ କରିଛନ୍ତି। ନିକଟରେ ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଛତିଶଗଡ଼, ତେଲେଙ୍ଗାନା ଓ କେରଳର ମୁଖ୍ୟମନ୍ତ୍ରୀ କେନ୍ଦ୍ର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ।

ଜିଏସ୍‌ଟି କ୍ଷତିପୂରଣକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ଲାଗି ହସ୍ତକ୍ଷେପ କରିବାକୁ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସେ ଲେଖିଛନ୍ତି ଯେ, ଗତବର୍ଷ ତୁଳନାରେ ୧୦ ପ୍ରତିଶତ ରାଜସ୍ବ ବୃଦ୍ଧି ଓ କରୋନା ମହାମାରୀ ପ୍ରଭାବ ହିସାବକୁ ନେଇ ଜିଏସ୍‌ଟି କ୍ଷତିପୂରଣ ରାଶି ଆକଳନ କରାଯାଇଛି। କେନ୍ଦ୍ର ସରକାର କେବଳ ନିଜ ଦୃଷ୍ଟିକୋଣ ବିଚାରକୁ ନେଇ ଏହି ହିସାବ କରିଛନ୍ତି। ଏହା ଏକପାଖିଆ ନିଷ୍ପତ୍ତି। ଏହାର ଆଇନଗତ ବୈଧତା ନାହିଁ ବୋଲି ଗେହଲଟ୍ ଜଣାଇଛନ୍ତି। କୋଭିଡ୍‌ର ପୂର୍ବବର୍ଷ ଅର୍ଥାତ ୨୦୧୯-୨୦ରେ ଜିଏସ୍‌ଟି ରାଜସ୍ବ ଆୟରେ ୪% ବୃଦ୍ଧି ଘଟିଥିଲା ଓ ଜିଡିପି ଅଭିବୃଦ୍ଧି ସେହି ସମୟରେ ୪.୨ ପ୍ରତିଶତ ‌ହୋଇଛି। ତେଣୁ କ୍ଷତିପୂରଣ ରାଶିରେ ଦେଖାଦେଉଥିବା ଅଭାବ ହିସାବ ଲାଗି ୧୦ ପ୍ରତିଶତ ଅଭିବୃଦ୍ଧିକୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର