ନୂଆଦିଲ୍ଳୀ: ପାଠ ପଢ଼ି ଭଲ ଚାକିରି କରିବା ଅଧିକାଂଶ ଲୋକଙ୍କ ସ୍ବପ୍ନ ହୋଇଥାଏ। ମାତ୍ର ସବୁ ଲୋକଙ୍କର ସ୍ବପ୍ନ ଚାକିରି ହୋଇନଥାଏ। ଏମିତି ବି କିଛି ଲୋକ ଅଛନ୍ତି ଯିଏକି ଚାକିରିକୁ ପଛ କରି ଅନ୍ୟ ଜାଗାରେ ନିଜ ସ୍ବପ୍ନ ଖୋଜନ୍ତି। କିଛି ଲୋକ ଶୀର୍ଷ ସ୍ତରୀୟ ଚାକିରିକୁ ବି ଛାଡ଼ିବାକୁ ପଛେଇ ନଥାନ୍ତି। ଜୁପିଟର୍ ଫଣ୍ଡ୍ ମ୍ୟାନେଜ୍ମେଣ୍ଟ୍ ପିଏଲ୍ସିର ସିଇଓ ଆଣ୍ଡ୍ରିଉ ଫୋର୍ମିକା ମଧ୍ୟ ସେହିପରି ଜଣେ ବ୍ୟକ୍ତି।
ସେ ଏବେ ବଡ଼ ଏକ ପୋଷ୍ଟ୍ରେ ରହି ମଧ୍ୟ ନିଜ ଚାକିରିରୁ ଇସ୍ତଫା ଦେଇଛନ୍ତି। ତେବେ ତାଙ୍କର ଇସ୍ତଫା ପଛର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିଛି କରିବେ ନାହିଁ ବୋଲି ସେ ଇସ୍ତଫା ଦେଇଛନ୍ତି। ଅର୍ଥାତ ଅନ୍ୟ କୌଣସି କାମ ପାଇଁ ନୁହେଁ, ବରଂ କିଛି ନକରିବା ପାଇଁ ହିଁ ସେ ଚାକିରି ଛାଡ଼ିଛନ୍ତି। ଚାକିରିରୁ ମୁକ୍ତ ହେଲେ ସେ ସମୁଦ୍ର କୂଳରେ ବସି ଥଣ୍ଡା ପବନ ଖାଇପାରିବେ। ଏହି କଥାକୁ ଆଗରେ ରଖି ଇସ୍ତଫା ଦେଇଛନ୍ତି ଆଣ୍ଡ୍ରିଉ ଫୋର୍ମିକା।
୬୮ ବିଲିୟନ୍ ଡଲାର୍ ଅର୍ଥାତ ୫,୪୦୦ କୋଟିର କମ୍ପାନିର ସିଇଓ ଆଣ୍ଡ୍ରିଉ ଫୋର୍ମିକା ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରିରୁ ଇସ୍ତଫା ଦେଇଛନ୍ତି। ବ୍ଲୁମର୍ଗର ଏକ ଖବର ମୁତାବକ ସେ ଏବେ କିଛି ବି କରିବାକୁ ଚାହାନ୍ତି ନାହିଁ। ଖବରରୁ ଜାଣିବାକୁ ମିଳିଛି ଯେ ସେ ଏବେ ତାଙ୍କ ଦେଶ ଅଷ୍ଟ୍ରେଲିଆ ଫେରିଯିବାକୁ ଚାହାନ୍ତି। ସେ ୨୦୧୯ ମସିହାରେ ଏହି ଚାକିରି କରିଥିଲେ। ଏହି ବର୍ଷ ଅକ୍ଟୋବରରେ ସେ କମ୍ପାନିରୁ ବିଦାୟ ନେବେ।