୪-ଜି ସ୍ମାର୍ଟଫୋନ ମୂଲ୍ୟ ୨ ହଜାର ଟଙ୍କାରୁ ବି କମିଯିବ !

ଭାରତୀୟ ବଜାରରେ ବଜେଟ୍‌ ଓ ହାଇଏଣ୍ଡ ସ୍ମାର୍ଟଫୋନ ସେଗମେଣ୍ଟକୁ ଚାଇନିଜ, ଜାପାନିଜ୍‌ ଓ ଅନ୍ୟାନ୍ୟ ବିଦେଶୀ କମ୍ପାନି ଆଧିପତ୍ୟ ବିସ୍ତାର କରିବା ପରେ ଭାରତୀୟ ସ୍ମାର୍ଟଫୋନ ନିର୍ମାତା କମ୍ପାନି ମାଇକ୍ରୋମାକ୍ସ, ଲାଭା, ଇଣ୍ଟେକ୍ସ, କାର୍ବନ ଆଦି କମ୍ପାନି ପ୍ରବଳ ପ୍ରତିଯୋଗିତାର ସମ୍ମୁଖୀନ ହୋଇନପାରି ପଛରେ ପଡିଯାଇଛନ୍ତି । କିନ୍ତୁ ଏବେ ଏହି କମ୍ପାନିମାନେ ଏଣ୍ଟ୍ରିଲେବଲ ୪-ଜି ସ୍ମାର୍ଟଫୋନ ବଜାର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ।
ଯଦି ଏସବୁ କମ୍ପାନିମାନଙ୍କ ଯୋଜନା ସଫଳ ହୁଏ ଆସନ୍ତା ବର୍ଷଠାରୁ ଭାରତୀୟ ବଜାରରେ ଶସ୍ତାରେ ଭଲ ଫିଚର ଥିବା ୪-ଜି ସ୍ମାର୍ଟଫୋନ ପାଇପାରିବେ । ଏପରିକି ମାତ୍ର ଦୁଇ, ଅଢେଇ ହଜାର ଟଙ୍କାରେ ଭଲ ଭଲ ଫିଚର ଥିବା ୪-ଜି ସ୍ମାର୍ଟଫୋନ ମିଳିବ । ଏହାର କାରଣ ହେଉଛି ଗୁଗୁଲ ପକ୍ଷରୁ କମ ମୂଲ୍ୟର ସ୍ମାର୍ଟଫୋନମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅପରେଟିଂ ସିଷ୍ଟମ ଆଣ୍ଡ୍ରଏଡ୍‌ ଗୋ ଆସନ୍ତା ଜାନୁୟାରୀରୁ ଲଞ୍ଚ୍‌ କରିବାକୁ ଯୋଜନା ଚାଲିଛି । ଏହି ଅପରେଟିଂ ସିଷ୍ଟମ ଆସିବା ପରେ ୪-ଜି ସ୍ମାର୍ଟଫୋନ ଗୁଡିକର ମୂଲ୍ୟ ଅଢେଇ ହଜାର, ଏପରିକି ଦୁଇ ହଜାର ତଳକୁ ଖସିଯିବ । ଏବେ ୫-୬ ହଜାର ଟଙ୍କାର ସ୍ମାର୍ଟଫୋନରେ ଯେଉଁ ସବୁ ଫିଚର ରହିଛି, ସେଗୁଡିକ ଏକ ୨ ହଜାର ଟଙ୍କିଆ ସ୍ମାର୍ଟଫୋନରେ ମିଳିବ ।
ଜାନୁୟାରୀ, ଫେବ୍ରୁଆରୀରେ ଏସବୁ କମ୍ପାନି ଆଣ୍ଡ୍ରଏଡ ଗୋ ବ୍ୟବହାର କରି ନୂଆ ନୂଆ ସ୍ମାର୍ଟଫୋନ ବଜାରକୁ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି । ଏସମସ୍ତ କମ୍ପାନି ନିଜ ନିଜର ଫୋନକୁ ହାରାହାରି ଅଢେଇ ହଜାର ଟଙ୍କା ରଖିଛନ୍ତି । ତେବେ ପ୍ରକୃତ ମୂଲ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ପୁଣି କେତେକ କମ୍ପାନି ଏୟାରଟେଲ, ଭୋଡାଫୋନ ପ୍ରଭୃତି ମୋବାଇଲ ଅପରେଟରଙ୍କ ସହ ମିଶି ବଣ୍ଡଲଡ୍‌ ଅଫର ଘୋଷଣା କରିଛନ୍ତି । ଏୟାରଟେଲ କାର୍ବନ, ଇଣ୍ଟେକ୍ସ ଓ ସେଲକନ ସହ ମିଶି ଶସ୍ତା ୪-ଜି ଫୋନ ଛାଡିବା ବିଷୟ ଘୋଷଣା କରିଛି । ଏଗୁଡିକର ମୂଲ୍ୟ ୧୭ ହଜାର ତଳକୁ ରହିଛି । ସେହିପରି ଭୋଡାଫୋନ ମଧ୍ୟ ମାଇକ୍ରୋମାକ୍ସ ଓ ଇଣ୍ଟେକ୍ସ ସହ ମିଶି ସମାନ ପ୍ରକାରର ଅଫର ଘୋଷଣା କରିଛନ୍ତି । ଏସମସ୍ତ ସେଟ୍‌ ଆଣ୍ଡ୍ରଏଡ୍‌ ଗୋ ସହ ଆସିବାର ସମ୍ଭାବନା ରହିଛି । ଆଣ୍ଡ୍ରଏଡ୍‌ ଗୋ ଛାଡିବା ପରେ ଗୁଗୁଲ୍‌ର ବ୍ୟବହାରକାରୀ ସଂଖ୍ୟା ମଧ୍ୟ ବଢିବ ।

୨୦୧୭ରେ ଭାରତରେ ପ୍ରାୟ ୧୩ କୋଟି ୫୦ ଲକ୍ଷ ଏଣ୍ଟ୍ରିଲେବଲ ସ୍ମାର୍ଟଫୋନ ( ୫ ହଜାର ଟଙ୍କାରୁ କମ) ବିକ୍ରି ହେବା ଅଟକଳ କରାଯାଉଛି, ଯାହାକି ମୋଟ ସ୍ମାର୍ଟଫୋନ ବିକ୍ରିର ପ୍ରାୟ ୧୪ ପ୍ରତିଶତ ।

ସମ୍ବନ୍ଧିତ ଖବର