ଅନିଲଙ୍କୁ‌ ଜେଲ ଯିବାକୁ ଦେବନି ରିଲାଏନ୍ସ

ଏନ୍‌ସିଏଲ୍‌ଟିରେ କହିଲା ଷ୍ଟେଟ୍‌ ବ୍ୟାଙ୍କ

ନୂଆଦିଲ୍ଲୀ: ରିଲାଏନ୍ସ କମ୍ୟୁନିକେସନ (ଆର୍‌କମ୍) ଏହାର ମାଲିକ ଅନିଲ ଅମ୍ବାନିଙ୍କୁ ଜେଲ ଯିବାକୁ ଦେବ ନାହିଁ। ଏହି କଂପାନିକୁ ଋଣ ପ୍ରଦାନ କରିଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏହା କୁହାଯାଇଛି। ଆଜି ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)‌ରେ ଆର୍‌କମ୍ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏହା କୁହାଯାଇଛି। ବିଦେଶୀ ସଂସ୍ଥା ଏରିକ୍ସନ ପକ୍ଷରୁ ଅନିଲଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ଦାୟର କରାଯାଇଥିଲା। ସେଥିରେ ଅନିଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଚଳିତ ମାସ ୧୯ ତାରିଖ ସୁଦ୍ଧା ଏରିକ୍ସନର ସବୁ ଟଙ୍କା ନଫେରାଇଲେ ଅନିଲଙ୍କୁ ତିନି ମାସ ଜେଲ୍ ଯିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଆର୍‌କମ୍ ପକ୍ଷରୁ ଏରିକ୍ସନକୁ ମୋଟ ୫୭୧ କୋଟି ଟଙ୍କା ଦେବାକୁ ହେବ। ସେଥି ମଧ୍ୟରୁ ୧୧୮ କୋଟି ଟଙ୍କା ଦିଆଯାଇସାରିଲାଣି। ରିଲାଏନ୍ସ ନାମରେ ଯେଉଁ ୨୬୦ କୋଟି ଟଙ୍କାର ଆୟକର ରିଫଣ୍ଡ୍‌ ଆସିଛି ତାହାକୁ ସିଧାସଳଖ ଏରିକ୍ସନକୁ ହସ୍ତାନ୍ତର କରାଯାଉ ବୋଲି ଆର୍‌କମ୍ ଚାହୁଁଛି। କିନ୍ତୁ, ଟିକସଦାତାଙ୍କ ଅର୍ଥକୁ ଏକ ଘରୋଇ କଂପାନିକୁ‌ ପେମେଣ୍ଟ୍‌ କରିବା ପାଇଁ କଂପାନି କରୁଥିବା ଦାବିକୁ ବିରୋଧ କରାଯାଉଛି। ଯଦି ଟିକସ ରିଫଣ୍ଡ୍‌ ଟଙ୍କା ନମିଳିବ ତେବେ ଏରିକ୍ସନ ପେମେଣ୍ଟ୍‌ ଦେବା ପାଇଁ କେଉଁ ଠାରୁ ଟଙ୍କା ଯୋଗାଡ଼ କରିବ ବୋଲି ଏନ୍‌ସିଏଲ୍‌ଟିର ଖଣ୍ଡପୀଠ ରିଲାଏନ୍ସ କମ୍ୟୁନିକେସନର ଆଇନଜୀବୀ କପିଲ ଶିବଲଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ଶିବଲ କହିଛନ୍ତି ଯେ, ବ୍ୟାଙ୍କ ଠାରୁ ଟଙ୍କା ଅଣାଯିବ କିମ୍ବା ସେଭଳି କିଛି ବ୍ୟବସ୍ଥା କରାଯିବ। ଉଲ୍ଲେଖଯୋଗ୍ୟ, ଅନିଲଙ୍କ କଂପାନି ଆର୍‌କମ୍‌ର ନେଟ୍‌ୱର୍କକୁ ଏରିକ୍ସନ ସମ୍ଭାଳୁଥିଲା। ଆର୍‌କମ୍ ବନ୍ଦ ହୋଇଯିବା ପରେ ଏରିକ୍ସନର ପେମେଣ୍ଟ୍‌କୁ କଂପାନି ଅଟକାଇ ଦେଇଥିଲେ। ଏହା ବିରୋଧରେ ଏରିକ୍ସନ ଅଦାଲତର ଦ୍ବାରସ୍ଥ ହୋଇଥିଲା।

ସମ୍ବନ୍ଧିତ ଖବର