ମୁଖ୍ୟାଳୟ ବଦଳାଇଲା ଅନିଲ ଅମ୍ବାନିଙ୍କ କମ୍ପାନି

ମୁମ୍ବାଇ: ଅନିଲ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୁପ୍‌ ଏହାର କର୍ପୋରେଟ ମୁଖ୍ୟାଳୟ ସ୍ଥାନାନ୍ତର କରିଛି। ଦୀର୍ଘବର୍ଷ ହେଲା କମ୍ପାନିର କର୍ପୋରେଟ ମୁଖ୍ୟାଳୟ ବାଲାର୍ଡ ଇଷ୍ଟେଟ୍‌ରେ ରହିଥିଲା। ରିଲାଏନ୍ସ ସେଣ୍ଟର ନାମରେ ଏହା ପରିଚିତ ଥିଲା। ତେବେ ଋଣ ବୋଝରେ ବୁଡ଼ି ରହିଥିବା ଅନିଲଙ୍କ ରିଲାଏନ୍ସ ଗ୍ରୁପ୍‌ ଏବେ ଋଣମୁକ୍ତ ହେବା ଲାଗି କେତେକ ପଦକ୍ଷେପ ନେଉଛି। ଏହିକ୍ରମରେ କମ୍ପାନି ଏହାର ବାଲାଡ ଇଷ୍ଟେଟ ପରିବର୍ତ୍ତେ ସାନ୍ତାକ୍ରୁଜ୍‌ରୁ ଏହାର କର୍ପୋରେଟ ଅଫିସ ପରିଚାଳନା କରିବ। ଅନିଲଙ୍କ କମ୍ପାନି ଉପରେ ପ୍ରାୟ ୬୦ ହଜାର କୋଟି ଟଙ୍କାର ଋଣ ରହିଛି। ଏହାକୁ କମାଇବା ଲାଗି କମ୍ପାନି ବିଭିନ୍ନ ପଦକ୍ଷେପ ନେଉଛି। କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ନିଜର ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଅନିଲ ଅମ୍ବାନିଙ୍କଠାରୁ ଆରମ୍ଭ କରି ସବୁ ବରିଷ୍ଠ ଅଧିକାରୀମାନେ ସାନ୍ତାକ୍ରୁଜ୍‌ସ୍ଥିତ କାର୍ଯ୍ୟାଳୟରେ ବସୁଛନ୍ତି। ତେଣୁ ଦକ୍ଷିଣ ମୁମ୍ବାଇରେ ଅଫିସ ରଖିବାର କୌଣସି ଯଥାର୍ଥତା ନାହିଁ। ରିଲାଏନ୍ସ ସେଣ୍ଟରରେ କେବଳ ବୋର୍ଡ ବୈଠକ କିମ୍ବା ସାମ୍ବାଦିକ ସମ୍ମିଳନୀ ଆଦି କରାଯାଇଥାଏ ବୋଲି ସେ କହିଛନ୍ତି। ତେବେ ରିଲାଏନ୍ସ ସେଣ୍ଟରକୁ କମ୍ପାନି କେଉଁ କାର୍ଯ୍ୟରେ ଉପଯୋଗ କରିବ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର