ଲଣ୍ଡନ କୋର୍ଟରେ ଅନିଲ ଅମ୍ବାନି, କହିଲେ ମୁଁ ଗରିବ ହୋଇଯାଇଛି

ଲଣ୍ଡନ: ବିଶିଷ୍ଟ ଉଦ୍ୟୋଗୀ ଅନିଲ ଅମ୍ବାନି ଦେବାଳିଆ ହୋଇଯାଇଛନ୍ତି। ‌ତାଙ୍କ ନିକଟରେ କିଛି ସମ୍ପତ୍ତି ନାହିଁ। ଲଣ୍ଡନର ଏକ କୋର୍ଟକୁ ଏହା କହିଛନ୍ତି ଏକଦା ଭାରତର ଜଣେ ପ୍ରମୁଖ ଧନୀ ବ୍ୟକ୍ତିଭାବେ ବିବେଚିତ ହେଉଥିବା ଅନିଲ ଅମ୍ବାନି। ପରିବାର ଲୋକଙ୍କ ସାହାଯ୍ୟ ମଧ୍ୟ ତାଙ୍କୁ ମିଳୁନାହିଁ। ମାଆ, ପତ୍ନୀ ଏବଂ ପୁଅର ସମ୍ପତ୍ତି ନିକଟରେ ତାଙ୍କର ପହଞ୍ଚ ନାହିଁ। ଚୀନର ବ୍ୟାଙ୍କରୁ କରିଥିବା ଋଣ ମାମଲାରେ ଅନିଲ ଏଭଳି ବୟାନ ରଖିଛନ୍ତି। ତେ‌ବେ ଅନିଲଙ୍କ ପକ୍ଷରୁ ରଖାଯାଇଥିବା ଓକିଲାତିନାମାକୁ ଲଣ୍ଡନର କୋର୍ଟ ଖାରଜ କରିବା ସହିତ ୬ ସପ୍ତାହ ମଧ୍ୟରେ ୧୦ କୋଟି ଡଲାର ( ପ୍ରାୟ ୭୧୪ କୋଟି ଟଙ୍କା) ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆକାଉଣ୍ଟରେ ଏହି ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅନିଲ ଏହା ବିରୋଧରେ ଆବେଦନ କରିବା ନେଇ ଯୋଜନା ରଖିଥିବା କୁହାଯାଉଛି।

ଚୀନର ତିନୋଟି ବ୍ୟାଙ୍କ-ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍ ଚୀନ୍, ଚୀନ୍ ଡେଭଲପମେଣ୍ଟ ବ୍ୟାଙ୍କ ଏବଂ ଏକ୍‌ଜିମ୍ ବ୍ୟାଙ୍କ ଅଫ୍ ଚୀନ ପକ୍ଷରୁ ଅମ୍ବାନିଙ୍କ ବିରୋଧରେ ଲଣ୍ଡନ କୋର୍ଟରେ ମାମଲା ହୋଇଛି। ଏହି ବ୍ୟାଙ୍କ ଗୁଡ଼ିକ ଅନିଲ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ କମ୍ୟୁନିକେସନ୍ସକୁ ୨୦୧୨ରେ ୯୨୫ ନିୟୁତ ଡଲାର ଋଣ ନେଇଥିଲେ। ତେବେ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ତାଙ୍କ ଠାରୁ ୭୦ ୦ ନିୟୁତ ଡଲାର ଋଣ ପରିଶୋଧ ପାଇଁ ଆବେଦନ କରାଯାଇଛି। ବ୍ୟାଙ୍କ ପକ୍ଷରୁ ଦାବି କରାଯାଇଛି କମ୍ପାନି ନେଇଥିବା ଏହି ‌ଋଣ ପାଇଁ ଅନିଲ ଗ୍ୟାରେଣ୍ଟର ରହିଥିଲେ। ଅନିଲଙ୍କ ଓକିଲ ଅଦାଲତକୁ କହିଛନ୍ତି, ୨୦୧୯ରେ ତାଙ୍କ ମହକିଲଙ୍କ ନିବେଶ ମୂଲ୍ୟ ୭୦୦ କୋଟି ଡଲାର (୫୦ ହଜାର କୋଟି ଟଙ୍କା) ଥିଲା। କିନ୍ତୁ ଏବେ ଏହା ଶୂନ ହୋଇଯାଇଛି। ଅନିଲଙ୍କ ଓକିଲଙ୍କ ଏହି ଯୁକ୍ତି ଉପରେ ବ୍ୟାଙ୍କର ଓକିଲ ଆପତ୍ତି ଉଠାଇଥିଲେ। ସେ ଅନିଲଙ୍କ ଜୀବନୀଶୈଳୀ ଏବଂ ଖର୍ଚ୍ଚ ପ୍ରସଙ୍ଗକୁ ଉଲ୍ଲେଖ କରିଥିଲେ। ଅନିଲଙ୍କ ନିକଟରେ ୧୧ଟି ବିଳାସପୂର୍ଣ୍ଣ କାର, ଗୋଟିଏ ଘ‌ରୋଇ ଜେଟ୍, ୟାଟ୍ ଓ ଅନ୍ୟାନ୍ୟ ସମ୍ପତ୍ତି ରହିଛି। ଦୁଇ ପକ୍ଷ ଓକିଲଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ଡେଭିଡ ୱାକ୍ସମ୍ୟାନ କହିଥିଲେ ଅନିଲଙ୍କ ପକ୍ଷରୁ ଯେଉଁ ଦଲିଲ ଉପସ୍ଥାପନ କରାଯାଇଛି ତାହାର ପାରଦର୍ଶିତା ନାହିଁ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅନିଲ ଏରିକସନକୁ ୫୫୦ କୋଟି ଟଙ୍କା ପ୍ରଦାନ କରିବାକୁ ବିଫଳ ହେଲେ ଜେଲ୍ ଯିବାକୁ ପ୍ରସ୍ତୁତ ରହିବାକୁ କହିଥିଲେ। ତେବେ ଶେଷ ମୁହୂର୍ତ୍ତରେ ତାଙ୍କ ଭାଇ ମୁକେଶ ସହାୟତାର ହାତ ବଢ଼ାଇ ତାଙ୍କୁ ଋଣମୁକ୍ତ କରିଥିଲେ। ସେତେବେଳେ ଏହା ଖୁବ୍ ଚର୍ଚ୍ଚାର ବିଷୟ ‌ପାଲଟିଥିଲା।

ସମ୍ବନ୍ଧିତ ଖବର