ମୁମ୍ବାଇ: ଶିଳ୍ପପତି ଅନିଲ୍ ଅମ୍ବାନିଙ୍କ ସଂସ୍ଥା ରିଲାଏନ୍ସ କ୍ୟାପିଟାଲ୍ର ବୋର୍ଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଅକ୍ତିଆରକୁ ଆଣିଛନ୍ତି। ପ୍ରଶାସନିକ ସମସ୍ୟା ଓ ଦେୟ ଦେବାରେ ବିଫଳ ହେଉଥିବାରୁ ଏହି କଂପାନିର ବୋର୍ଡକୁ ହଟାଇ ଦିଆଯାଇଛି। ଖୁବ୍ଶୀଘ୍ର କଂପାନି ବିରୋଧରେ ଇନସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି କୋଡ୍ (ଆଇବିସି) ଅଧୀନରେ ମାମଲା ରୁଜୁ କରି ବିଚାର ଚାଲିବ। ରିଲାଏନ୍ସ କ୍ୟାପିଟାଲ୍ର ବୋର୍ଡକୁ ହଟାଇବା ପରେ କଂପାନିର ପରିଚାଳନା ପାଇଁ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ପୂର୍ବତନ ଇଡି ନାଗେଶ୍ବର ରାଓ ୱାଇଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ରିଲାଏନ୍ସ କ୍ୟାପିଟାଲ୍ ୮୩,୧୩୮ କୋଟି ଟଙ୍କା ଫେରସ୍ତ କରିପାରୁନାହିଁ। କଂପାନିର ବାର୍ଷିକ ରିପୋର୍ଟ ଅନୁସାରେ ଏହା ଅଧୀନରେ ୬୩,୮୭୮ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏକଦା ଭାରତର ଅନ୍ୟତମ ଶ୍ରେଷ୍ଠ ଧନୀ ଭାବେ ବିବେଚିତ ହେଉଥିବା ଅନିଲ ଅମ୍ବାନି ହେଉଛନ୍ତି ଧୀରୁଭାଇ ଅମ୍ବାନିଙ୍କ ସାନ ପୁଅ ଓ ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ଭାଇ। ଗତବର୍ଷ ବ୍ରିଟେନ୍ରେ ତାଙ୍କୁ ଦେବାଳିଆ ଘୋଷଣା କରାଯାଇଥିଲା।
ନିଜର ଆଉ ଏକ ସଂସ୍ଥା ହରାଇଲେ ଅନିଲ ଅମ୍ବାନି, ଅକ୍ତିଆରକୁ ନେଲା ରିଜର୍ଭ ବ୍ୟାଙ୍କ
/sambad/media/post_attachments/wp-content/uploads/2019/07/Anil-ambani2.jpg)