ମୁମ୍ବାଇ: କିଂବଦନ୍ତି ଶିଳ୍ପପତି ସ୍ବର୍ଗତ ଧୀରୁଭାଇ ଅମ୍ବାନିଙ୍କ ସାନ ପୁଅ ଅନିଲ ଅମ୍ବାନିଙ୍କ କାଙ୍ଗାଳ ହୋଇଯିବା କାହାଣୀ ସମସ୍ତେ ଜାଣିଥିବେ। ଏକଦା ବିଶ୍ବର ଷଷ୍ଠ ବଡ଼ ଧନୀ ବ୍ୟକ୍ତି ଭାବେ ଗଣା ହେଉଥିବା ଅନିଲ ଗତ ଦେଢ଼ ଦଶନ୍ଧି ଭିତରେ ଋଣ ଯନ୍ତ୍ରାରେ ପଡ଼ି ତଳିତଳାନ୍ତ ହୋଇପଡ଼ିଛନ୍ତି। ତାଙ୍କର ପ୍ରାୟ ସବୁ ଲୋକପ୍ରିୟ କମ୍ପାନି ବିକ୍ରି ଅଥବା ବନ୍ଦ ହୋଇଯାଇଛି। ଯେଉଁ କିଛିଟା କମ୍ପାନି ରହିଛି, ସେଗୁଡ଼ିକୁ ବଞ୍ଚାଇବାକୁ ସେ ସଂଘର୍ଷ ଜାରି ରଖିଛନ୍ତି। କିନ୍ତୁ ଗତ କିଛି ଦିନ ଭିତରେ ଏଭଳି କିଛି ଘଟଣା ଘଟିଛି ଯାହା ଅନିଲଙ୍କ ପୁନରୁତ୍‌ଥାନର ମୂଳଦୁଆ ପକାଇଛି। ଲୋକମାନେ ଭୁଲି ଯାଇଥିବା ଅନିଲ ନିଜ ବ୍ୟବସାୟ ସାମ୍ରାଜ୍ୟକୁ ସଜାଡ଼ିବା ଲାଗି ଉଦ୍ୟମ କରୁଛନ୍ତି। ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ଭାଇ ଅନିଲ ପ୍ରାୟ ସବୁ ଋଣକୁ ପରିଶୋଧ କରିଛନ୍ତି।

Advertisment

ଯେଉଁଭଳି ଦ୍ରୁତ ବେଗରେ ସେ ଋଣ ଶୁଝିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ଋଣମୁକ୍ତ ହେବାର ଦ୍ବାରଦେଶରେ ପହଞ୍ଚିବା ପରେ ଏବେ ସେ ପାଣ୍ଠି ଯୋଗାଡ଼ କରିବାରେ ଲାଗିଛନ୍ତି। ନିଜ କମ୍ପାନି ରିଲାଏନ୍ସ ଇନଫ୍ରାଷ୍ଟକ୍‌ଚର୍‌ ଲାଗି ୬୦୦୦ କୋଟି ଟଙ୍କା ଯୋଗାଡ଼ କରିବା ପ୍ରସ୍ତାବକୁ କମ୍ପାନି ବୋର୍ଡର ମଞ୍ଜୁରି ମିଳିଛି। ତାଙ୍କ ଅନ୍ୟତମ କମ୍ପାନି ରିଲାଏନ୍ସ ପାୱାର ଲାଗି ମଧ୍ୟ ପାଣ୍ଠି ଯୋଗାଡ଼ ପ୍ରକ୍ରିୟା ଆରମ୍ଭ ହୋଇଛି। ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍‌ଚର୍‌ରେ ସେ ୧୧୦୦ କୋଟି ଟଙ୍କା ନିବେଶ କରିବେ ବୋଲି ଘୋଷଣା କରିଛନ୍ତି। ଏହି ସବୁ ଘଟଣା ପୁଣି ଥରେ ଅନିଲ ଅମ୍ବାନିଙ୍କ କମ୍ପାନି ଉପରେ ନିବେଶକମାନଙ୍କ ଭରସା ଫେରାଇ ଆଣିଛି। 

ଚୁପ୍‌ଚାପ୍ ନିଜ ବ୍ୟବସାୟ ସାମ୍ରାଜ୍ୟ ସଜାଡ଼ିବା ଲାଗି ଅନିଲ କରୁଥିବା ଉଦ୍ୟମ ପ୍ରଭାବରେ ତାଙ୍କ ଦୁଇ କମ୍ପାନିର ସେୟାର ମୂଲ୍ୟ ବଢ଼ିବାରେ ଲାଗିଛି। ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍‌ଚର୍‌ର ‌ମାର୍କେଟ୍‌ କ୍ୟାପିଟାଲାଇଜେସନ୍ (ବଜାର ପୁଞ୍ଜି)ସପ୍ତାହକ ଭିତରେ ୮୫୦୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୨୫୦୦ କୋଟି ଟଙ୍କା ହୋଇଛି। ସେହିପରି ରିଲାଏନ୍ସ ପାୱାରର ବଜାର ପୁଞ୍ଜି ସେହି ସମୟରେ ୧୧୫୦୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୪୬୦୦ କୋଟି ଟଙ୍କା ହୋଇଛି। ଅନିଲଙ୍କ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର୍‌ ନିକଟରେ ୩୮୩୧ କୋଟି ଟଙ୍କାର ଋଣ ପରିଶୋଧ କରିଛି।  କମ୍ପାନି ଉପରେ ଆଉ ମାତ୍ର ୪୭୫ କୋଟି ଟଙ୍କା ବାକି ରହିଛି।