ଅନିଲ ଅମ୍ବାନି ୨ଜି ମୋବାଇଲ୍‌, ଡିଟିଏଚ୍‌ ସେବା ବନ୍ଦ କରିବେ!

ମୁମ୍ବାଇ: ରିଲାଏନ୍ସ ଜିଓ ଜରିଆରେ ସମଗ୍ର ଦେଶର ମୋବାଇଲ୍‌ ବଜାରକୁ ଦୋହଲାଇ ଦେଇଛନ୍ତି ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନି। ଏହାର ପ୍ରଭାବରେ ତାଙ୍କ ସାନ ଭାଇ ଅନିଲ ଅମ୍ବାନିଙ୍କ ମୋବାଇଲ୍‌ କାରବାର ମଧ୍ୟ ଦୋହଲିଯାଇଛି। ପରିସ୍ଥିତି ଏଭଳି ସ୍ତରରେ ପହଞ୍ଚିଯାଇଛି ଯେ ଅନିଲ ଅମ୍ବାନି ନିଜର ୨ଜି ମୋବାଇଲ୍‌ ସେବାକୁ ନଭେମ୍ବର ଶେଷ ସୁଦ୍ଧା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ କଂପାନି ରିଲାଏନ୍ସ କମ୍ୟୁନିକେସନ୍‌ କେବଳ ୩ଜି ଏବଂ ୪ଜି ସେବା ଜାରି ରଖିବ। ଯେତେ ଦିନ ପର୍ଯ୍ୟନ୍ତ ଏହି ଦୁଇ ପ୍ରକାର ସେବାରୁ ଲାଭ ମିଳୁଥିବ ସେତେ ଦିନ ପର୍ଯ୍ୟନ୍ତ ତାହା ଜାରି ରହିବ।

କଂପାନି ଏହାର ଡିଟିଏଚ୍‌ ସେବାକୁ ମଧ୍ୟ ନଭେମ୍ବର ୨୧ ପରେ ବନ୍ଦ କରିଦେବ। କଂପାନି ଏହାର ଡିଟିଏଚ୍‌ ଲାଇସେନ୍ସର ନବୀକରଣ କରିବ ନାହିଁ ବୋଲି ଜଣାପଡ଼ିଛି। ରିଲାଏନ୍‌ସ କମ୍ୟୁନିକେସନର କାର୍ଯ୍ୟନିର୍ବାହୀ ନିର୍ଦେଶକ ଗୁରଦୀପ ସିଂହ ଏ ବିଷୟରେ କର୍ମଚାରୀମାନଙ୍କୁ ଆଗୁଆ ସୂଚନା ପ୍ରଦାନ କରିଛନ୍ତି। କଂପାନି କେବଳ ଆନ୍ତର୍ଜାତିକ ଦୂରଗାମୀ ଭଏସ୍‌ କଲ୍‌, ୪ଜି ପୋଷ୍ଟପେଡ୍‌ ଡଙ୍ଗଲ, ଉପଭୋକ୍ତା ଭଏସ୍‌ ଏବଂ ଟାଓ୍ଵାର ବ୍ୟବସାୟକୁ ଲାଭ ମିଳୁଥିବା ପର୍ଯ୍ୟନ୍ତ ଜାରି ରଖିବ। ବାକି ସବୁ ପ୍ରକାର ଓୟାରଲେସ୍‌ ସେବାକୁ କଂପାନି ବନ୍ଦ କରିଦେବ। ରିଲାଏନ୍ସ କମ୍ୟୁନିକେସନ ଉପରେ ୪୬ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। ଏହି ବୋଝ ହାଲୁକା କରିବା ପାଇଁ କଂପାନି ଏୟାରସେଲ୍‌ ସହିତ ମିଶ୍ରଣ ଯୋଜନା ପ୍ରସ୍ତୁତ କରିଥିଲା। କିନ୍ତୁ ସେହି ଯୋଜନା ବିଫଳ ହୋଇଥିଲା। କଂପାନି ଏହାର ଡିଟିଏଚ୍‌ ସେବାକୁ ମଧ୍ୟ ବନ୍ଦ କରିଦେବ। ଚଳିତ ବର୍ଷ ନଭେମ୍ବର ୨୧ରେ ଡିଟିଏଚ୍‌ ସେବାର ଲାଇସେନ୍ସ ଅବଧି ଶେଷ ହେଉଛି। ଏହା ପରେ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କଂପାନି ପକ୍ଷରୁ କୌଣସି ବିଷୟରେ କିଛି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନାହିଁ।

ସମ୍ବନ୍ଧିତ ଖବର