ମୋବାଇଲ୍ କଂପାନିକୁ ବଞ୍ଚାଇ ପାରିଲେନି ଅନିଲ

ଦେବାଳିଆ ଘୋଷଣା କରିବାକୁ ଆବେଦନ, ସମ୍ପତ୍ତି ଭାଗବଣ୍ଟା ବେଳେ ପାଇଥିଲେ

ମୁମ୍ବାଇ: ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ଜିଓ ଜରିଆରେ ମୋବାଇଲ୍ ବ୍ୟବସାୟରେ ପ୍ରବେଶ କରିବା ପରେ ଯେଉଁ ଝଡ଼ ସୃଷ୍ଟି ହୋଇଛି ସେଥିରୁ ତାଙ୍କ ସାନ ଭାଇ ଅନିଲ ମଧ୍ୟ ବାଦ ପଡ଼ିନାହାନ୍ତି। ଅନିଲ ଏବେ ନିଜ ମୋବାଇଲ୍ କଂପାନି ‘ରିଲାଏନ୍ସ କମ୍ୟୁନିକେସନ’କୁ ଦେବାଳିଆ ଘୋଷଣା କରିବାକୁ ଆବେଦନ କରିଛନ୍ତି। ରିଲାଏନ୍ସ କମ୍ୟୁନିକେସନ୍ ଉପରେ ୪୫ ହଜାର କୋଟି ଟଙ୍କାର ଋଣ ବାକି ପଡ଼ିଛି। ‌ପାହାଡ଼ ସଦୃଶ ଏହି ଋଣ ପରିଶୋଧ କରିବାକୁ ଅନିଲ ଅନେକ ପ୍ରୟାସ କରିଛନ୍ତି। ନିଜ ଭାଇ ମୁକେଶଙ୍କ ପାଖକୁ ମଧ୍ୟ ଯାଇଥିଲେ। କିନ୍ତୁ କୌଣସି ଠାରେ ତାଙ୍କୁ ସଫଳତା ମିଳିନଥିଲା। ଟଙ୍କା ଯୋଗାଡ଼ କରିବାରେ ସେ ସମ୍ପୂର୍ଣ୍ଣ ବିଫଳ ହେବା ପରେ କଂପାନିକୁ ଦେବାଳିଆ ଘୋଷଣା କରିବା ଭଳି କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି। କିଛି ବର୍ଷ ପୂର୍ବେ ମୁକେଶ ଓ ଅନିଲଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଯେତେବେଳେ ଝଗଡ଼ା ଚାଲିଥିଲା, ସେହି ସମୟରେ ରିଲାଏନ୍ସ କମ୍ୟୁନିକେସନ୍‌ ଏକ ଆଗଧାଡ଼ିର କଂପାନି ଥିଲା। ସମ୍ପତ୍ତି ଭାଗବଣ୍ଟା ବେଳେ ଏହି ମୋବାଇଲ୍ କଂପାନି ଅନିଲଙ୍କ ଭାଗରେ ପଡ଼ିଥିଲା ଓ ସେ ବହୁତ ଖୁସି ହୋଇଯାଇଥିଲେ। କିନ୍ତୁ ଭବିଷ୍ୟତରେ ସେହି କଂପାନିକୁ ସେ ବଞ୍ଚାଇ ପାରିବେ ନାହିଁ ବୋଲି କେବେବି ସ୍ବପ୍ନରେ ଭାବିନଥିବେ। ରିଲାଏନ୍ସ କମ୍ୟୁନିକେସନ୍ ପକ୍ଷରୁ କୁହାଯାଇଛି ‌ଯେ, କଂପାନିକୁ ଋଣ ଦେଇଥିବା ୪୫ଟି ସଂସ୍ଥା ସହିତ ବିଗତ ୧୨ ମାସ ଭିତରେ ୪୫ ଥର ବୈଠକ ହୋଇଥିଲା। କିନ୍ତୁ କଂପାନିର କୌଣସି ଯୋଜନାରେ ଏହି ସଂସ୍ଥାଗୁଡ଼ିକ ରାଜି ହୋଇନଥିଲେ। ରିଲାଏନ୍ସ କମ୍ୟୁନିକେସନ୍ ଏହାର ମୋବାଇଲ୍ ସେବାକୁ ବନ୍ଦ କରିଦେଇଛି। ‌ତେଣୁ ସେଥିରୁ ଆଉ କିଛି ଆୟ ହେଉନାହିଁ। କଂପାନି ପାଖରେ ଥିବା ସମ୍ପତ୍ତି ବିକ୍ରି କରି ଟଙ୍କା ଯୋଗାଡ଼ କରିବାକୁ ଅନିଲ ଉଦ୍ୟମ କରିଥିଲେ। କିନ୍ତୁ ତାହାକୁ କିଣିବାକୁ ନିବେଶକ ମିଳିଲେନି। ଗୋଟିଏ ପରେ ଋଣ ପରିଶୋଧ କରିବାକୁ ରିଲାଏନ୍ସ କମ୍ୟୁନିକେସନ୍ ସଂଘର୍ଷ କରୁଥିବା ବେଳେ ଏହାର ନେଟ୍‌ୱର୍କର ଦେଖାଶୁଣା କରୁଥିବା ଏରିକ୍ସନ୍ ନାମକ କଂପାନି ନିଜ ପ୍ରାପ୍ୟ ପାଇବାକୁ ସୁପ୍ରିମ କୋର୍ଟରେ ଆବେଦନ କରିବା ପରେ ଅନିଲଙ୍କ ସଙ୍କଟ ଆହୁରି ବଢ଼ିଯାଇଥିଲା। ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି) ଅଧୀନରେ ଥିବା ବ୍ୟବସ୍ଥା ଅନୁଯାୟୀ, ରିଲାଏନ୍ସ କମ୍ୟୁନିକେସନ୍‌କୁ ଦେବାଳିଆ ଘୋଷଣା କରିବା ପାଇଁ ଅନିଲ ଆବେଦନ କରିଛନ୍ତି। ଏନ୍‌ସିଏଲ୍‌ଟିରେ ଏହି ମାମଲାର ବିଚାର ଚାଲିବ। କଂପାନିକୁ ବିକ୍ରି କରିବା ଦ୍ବାରା ଯେଉଁ ଟଙ୍କା ଆସିବ ତାହାକୁ ଋଣ ପ୍ରଦାନକାରୀ ସଂସ୍ଥାଙ୍କ ମଧ୍ୟରେ ବାଣ୍ଟିଦିଆଯିବ।

ସମ୍ବନ୍ଧିତ ଖବର