ଅନିଲ ଚୌଧୁରୀ ସେଲ୍‌ର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ (ସେଲ୍‌)ର ନୂଆ ଅଧ୍ୟକ୍ଷ ଭାବେ ଅନିଲ କୁମାର ଚୌଧୁରୀଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ଚୌଧୁରୀ ଏବେ ସେଲ୍‌ର ଅର୍ଥ ନିର୍ଦ୍ଦେଶକଭାବେ କାର୍ଯ୍ୟ କରୁଛନ୍ତି। ଚଳିତବର୍ଷ ଜୁନ୍‌ ୩୦ ତାରିଖରେ ପି. କେ. ସିଂହ ଅବସର ନେବା ପରେ ଏହି ପଦ ଖାଲି ପଡ଼ିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ପକ୍ଷରୁ ଶ୍ରୀ ଚୌଧୁରୀଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ୨୦୨୦ ଡିସେମ୍ବରରେ ଅବସର ନେବା ପର୍ଯ୍ୟନ୍ତ ଶ୍ରୀ ଚୌଧୁରୀ ଏହି ପଦରେ ରହିବେ। ଏତଦ୍‌ବ୍ୟତୀତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ (ଆର୍‌ଆଇଏନ୍‌ଏଲ୍‌)ର ସିଏମ୍‌ଡି ଭାବେ ମଧ୍ୟ ପ୍ରଦୋଷ କୁମାର ରଥଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ରଥ ଏବେ ଆର୍‌ଆଇଏନ୍‌ଏଲ୍‌ରେ ନିର୍ଦ୍ଦେଶକ (ଅପରେସନ୍ସ) ଭାବେ କାର୍ଯ୍ୟଭାର ସମ୍ଭାଳୁଛନ୍ତି। ସେହିଭଳି ଅମ୍ବୁଜା ସିମେଣ୍ଟର ଉପାଧ୍ୟକ୍ଷ ଭାବେ କାର୍ଯ୍ୟରତ ଡକ୍ଟର ବିବେକାନନ୍ଦ ମହାପାତ୍ରଙ୍କୁ ହରିୟାଣାର ବଲବଗଡ଼ରେ ଥିବା ନ୍ୟାସନାଲ କାଉନ୍‌ସିଲ୍‌ ଫର୍‌ ସିମେଣ୍ଟ୍‌ ଆଣ୍ଡ୍‌ ବିଲ୍‌ଡିଂ ମ୍ୟାଟେରିଆଲ୍‌ସ (ଏନ୍‌ସିସିବିଏମ୍‌)ର ମହାନିର୍ଦ୍ଦେଶକ (ଡିଜି) ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର