ଭାଗବଣ୍ଟା ପରେ ଅନିଲଙ୍କ ସମ୍ପତ୍ତି ବହୁତ କମିଛି

ଗୋଟିଏ ପରେ ଗୋଟିଏ କାରବାର ବନ୍ଦ କରୁଛନ୍ତି

ମୁମ୍ବାଇ: ବ୍ୟବସାୟରେ ଉନ୍ନତି ନୁହେଁ ବରଂ ଅବନତି ପାଇଁ ଚର୍ଚା ପରିସରକୁ ଆସିଛନ୍ତି ଧୀରୁଭାଇ ଅମ୍ବାନିଙ୍କ ସାନ ପୁଅ ଅନିଲ ଅମ୍ବାନି। ପାହାଡ଼ ଭଳି ଋଣ ବୋଝକୁ ହାଲୁକା କରିବା ପାଇଁ ମୋବାଇଲ୍‌ ବ୍ୟବସାୟରୁ ସମ୍ପୂର୍ଣ୍ଣ ଓହରିଯିବାକୁ ନିଷ୍ପତ୍ତି ନେଇଥିବା ଅନିଲ ଅମ୍ବାନିଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚା। ୨୦୦୬ରେ ଧୀରୁଭାଇ ଅମ୍ବାନିଙ୍କ ବ୍ୟବସାୟ ସାମ୍ରାଜ୍ୟ ତାଙ୍କ ଦୁଇ ପୁଅ ମୁକେଶ ଏବଂ ଅନିଲଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ଫୋବର୍ସ୍‌ ତଥ୍ୟ ଅନୁଯାୟୀ ସେହି ସମୟରେ ମୁକେଶଙ୍କ ସମ୍ପତ୍ତି ପରିମାଣ ଥିଲା ୪୯ ବିଲିଅନ୍‌ ଡଲାର। ଅନିଲଙ୍କ ସମ୍ପତ୍ତି ମୂଲ୍ୟ ଥିଲା ୪୫ ବିଲିଅନ ଡଲାର। ସମ୍ପତ୍ତିରେ ଭାଗବଣ୍ଟା ହେବା ପରେ ଅନିଲ ଅମ୍ବାନିଙ୍କ ସମ୍ପତ୍ତି ପରିମାଣ ବହୁତ କମିଛି। ୨୦୧୭ ବେଳକୁ ଅନିଲ ଅମ୍ବାନିଙ୍କ ସମ୍ପତ୍ତି ପରିମାଣ ୩.୧୫ ବିଲିଅନ ଡଲାର ଭଳି ଅବିଶ୍ୱସନୀୟ ସ୍ତରକୁ ଖସିଯାଇଛି। ସେହି ସମୟରେ ବଡ଼ ଭାଇ ମୁକେଶଙ୍କ ସମ୍ପତ୍ତି ପରିମାଣ ହେଉଛି ୩୮ ବିଲିଅନ୍‌ ଡଲାର। ମୁକେଶଙ୍କଠାରୁ ଅଲଗା ହେବା ରେ ଅନିଲ ଅମ୍ବାନିଙ୍କୁ ମିଳିଥିବା ରିଲାଏନ୍‌ସ କମ୍ୟୁନିକେସନ, ରିଲାଏନ୍‌ସ କ୍ୟାପିଟାଲ୍‌ ଏବଂ ରିଲାଏନ୍‌ସ ଇନଫ୍ରାଷ୍ଟ୍ରକଚର୍‌ ଭଳି ସଂସ୍ଥା। ସେଥି ମଧ୍ୟରୁ ରିଲାଏନ୍ସ କମ୍ୟୁନିକସେନ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ବିଗତ ୧୦ ବର୍ଷ ଭିତରେ ଅନିଲ ଅମ୍ବାନିଙ୍କ ଗ୍ରୁପ୍‌ରେ ଥିବା କଂପାନିଗୁଡ଼ିକର ବିକ୍ରି, ଲାଭ ଏବଂ ରିଟର୍ଣ୍ଣ ପରିମାଣ ହ୍ରାସ ପାଇଛି। ସେହି ସମୟରେ ମୁକେଶଙ୍କ ପାଖରେ ଥିବା ସମ୍ପତ୍ତିଗୁଡ଼ିକର ବିକ୍ରି, ଲାଭ ଓ ରାଜସ୍ୱ ବଢ଼ିଛି।
୨୦୦୬ ପରେ ମୁକେଶଙ୍କ ଗ୍ରୁପ୍‌ କଂପାନି ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ବଜାର ପୁଞ୍ଜି ମୂଲ୍ୟ ୬ ଗୁଣା ବୃଦ୍ଧି ପାଇ ୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯାଇଛି। ସେହି ସମୟରେ ଅନିଲ ଅମ୍ବାନିଙ୍କ ଗ୍ରୁପ୍‌ କଂପାନି ଏଡିଏଜିର ବଜାର ପୁଞ୍ଜି ମୂଲ୍ୟ ୧୭% ହ୍ରାସ ପାଇ ୪୭,୦୧୭ କୋଟି ଟଙ୍କା ରହିଯାଇଛି। ଦୁଇ ଭାଇ ଅଲଗା ହେବା ବେଳେ ମୁକେଶଙ୍କ ଗ୍ରୁପ୍‌ କଂପାନିର ବଜାର ପୁଞ୍ଜି ପରିମାଣ ୫୬,୬୦୦ କୋଟି ଟଙ୍କା ଏବଂ ଅନିଲଙ୍କ କଂପାନିର ବଜାର ପୁଞ୍ଜି ପରିମାଣ ୪୭,୦୦୦ କୋଟି ଟଙ୍କା ଥିଲା।

୨୦୦୬ ପରେ ମୁକେଶ ନିଜର ବ୍ୟବସାୟକୁ ସୁଦୃଢ଼ କରିଚାଲିଥିବା ବେଳେ ଅନିଲ ଅମ୍ବାନି ଗୋଟିଏ ପରେ ଗୋଟିଏ କାରବାରରୁ ବିଦାୟ ନେଇଛନ୍ତି। ପ୍ରଥମେ ମିଡିଆ ଓ ମନୋରଞ୍ଜନ କ୍ଷେତ୍ରରୁ ବିଦାୟ ନେବା ପରେ ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍‌ଚର୍‌ ପାଖରେ ଥିବା ମୁମ୍ବାଇର ଏକ ସମ୍ପତ୍ତିକୁ ମଧ୍ୟ ଅନିଲ ଅମ୍ବାନି ବିକ୍ରି କରିଛନ୍ତି। ଏବେ ସେ ମୋବାଇଲ୍‌ ବ୍ୟବସାୟରୁ ମଧ୍ୟ ବିଦାୟ ନେବାକୁ ଯାଉଛନ୍ତି। ଅନିଲଙ୍କ ରିଲାଏନ୍‌ସ ପାଓ୍ଵାର ମଧ୍ୟ ବିପୁଳ ପରିମାଣର ଋଣ ବୋଝ ତଳେ ଦବି ରହିଛି।

ସମ୍ବନ୍ଧିତ ଖବର