କୋର୍ଟରେ ଅଢ଼େଇ ଘଣ୍ଟା‌ ଠିଆ ହେଲେ ଅନିଲ, ଏସି କାହିଁକି ଲାଗୁନି ପଚାରିଲେ, ପଛ ଧାଡ଼ିରେ ବସିଲେ

ନୂଆଦିଲ୍ଲୀ: ଏରିକ୍ସନ ପକ୍ଷରୁ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲାରେ ଦେଶର ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନି ସୁପ୍ରିମକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ନୀଳ ରଙ୍ଗର ସୁଟ୍ ଏବଂ ଦାମୀ ଗୁସି ଟାଇ ପିନ୍ଧିଥିବା ଅନିଲ ସକାଳ ୧୦ଟାରେ କୋର୍ଟ ରୁମ୍‌ରେ ପ୍ରବେଶ କରିଥିଲେ। ଅଦାଲତରେ ଶୁଣାଣି ଆରମ୍ଭ ହେବାକୁ କିଛି ସମୟ ବାକି ଥିଲା। କୋର୍ଟ ରୁମ୍‌ରେ ପ୍ରବେଶ କରୁଥିବା ଚିହ୍ନା ଲୋକମାନଙ୍କୁ ସେ ହାତ ହଲାଇ ଅଭିନନ୍ଦନ ଜଣାଉଥିଲେ। କିଛି ସମୟ ପରେ ସେ ରିଲାଏନ୍‌ସ ଟେଲିକମ୍‌ର ଅଧ୍ୟକ୍ଷ ସତୀଶ ସେଠ୍‌ଙ୍କ ସହ ଶେଷ ଧାଡ଼ିରେ ବସିଥିଲେ।
କିଛି ସମୟ ବସିବା ପରେ ଗରମ ଅନୁଭବ କରିବାରୁ ଏସି ଲାଗିଛି ନା ନାହିଁ ବୋଲି ଅନିଲ ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତରରେ ତାଙ୍କ ଆଇନଜୀବୀ କହିଥିଲେ ଯେ, ନିୟମ ଅନୁସାରେ କେବଳ ମାର୍ଚରେ ଏସି ଲାଗିପାରିବ। ତାଙ୍କ କପାଳରୁ ବାହାରି ଆସୁଥିବା ଝାଳକୁ ଅନିଲ ପୋଛି ଦେଉଥିଲେ। କିନ୍ତୁ ନିଜ ଟାଇକୁ ଢିଲା କରିନଥିଲେ। କିଛି ସମୟ ଅପେକ୍ଷା କରିବା ପରେ ବିଚାରପତି ଆର୍‌ ଏଫ୍ ନରିମାନ୍ ଏବଂ ବିନୀତ ସରଣ କୋର୍ଟ ରୁମ୍‌ରେ ପ୍ରବେଶ କରିଥିଲେ। ଆଶ୍ଚର୍ଯ୍ୟର ବିଷୟ ହେଉଛି କେସ୍‌ ନମ୍ବର-୮ ଶୁଣାଣି ଆଗ ଆରମ୍ଭ କରିବାକୁ ଖଣ୍ଡପୀଠ କହିଥିଲେ। ଏହା ଜାଣିବା ପରେ ସାମ୍ନା ଧାଡ଼ିରେ ଅନିଲ ଦୀର୍ଘ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ନିଜ ଆଇନଜୀବୀଙ୍କ ସହ ଠିଆ ହୋଇରହିଥିଲେ। ଏହା ପରେ ତାଙ୍କ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। କିଛି ମିନିଟ୍‌ ପରେ ଶୁଣାଣିକୁ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ଏବଂ ଅନିଲଙ୍କୁ ବ୍ୟକ୍ତିଗତ ଭାବେ ହଜାର ରହିବାକୁ ନିର୍ଦେଶ ଦିଆଯାଇଥିଲା। ଆଜି ପୁଣି ଥରେ ମାମଲାର ଶୁଣାଣି ହୋଇଥିଲା ଏବଂ ରାୟକୁ କୋର୍ଟ ସଂରକ୍ଷିତ ରଖିଥିବା ଜଣାପଡ଼ିଛି। ୨୦୧୩ରେ ଟୁଜି ଦୁର୍ନୀତି ମାମଲାରେ ଶେଷ ଥର ପାଇଁ ଅଦାଲତକୁ ଆସିଥିଲେ ଅନିଲ। ତା’ ପୂର୍ବରୁ ୨୦୦୯ରେ କେଜି-ଡି୬ ମାମଲାରେ ସେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ରିଲାଏନ୍ସ କମ୍ୟୁନିକେସନ୍‌ ଠାରୁ ଏରିକ୍ସନ ୫୫୦ କୋଟି ଟଙ୍କାର ପେମେଣ୍ଟ୍‌ ପାଇବାର ଅଛି। ଅନିଲଙ୍କ କଂପାନି ପେମେଣ୍ଟ୍‌ ଦେବାରେ ବିଫଳ ହୋଇଛି। ଏହା ବିରୋଧରେ ଏରିକ୍ସନ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ଏରିକ୍ସନର ସବୁ ପେମେଣ୍ଟ୍‌ ଦେଇଦେବେ ବୋଲି ଅନିଲ ‌ଅତୀତରେ କୋର୍ଟଙ୍କୁ ଅବଗତ କରିଥିଲେ କିନ୍ତୁ, ନିଜର ପ୍ରତିଶ୍ରୁତି ରଖିପାରିନଥିଲେ। ନିକଟରେ ଏରିକ୍ସନ ପକ୍ଷରୁ ତାଙ୍କ ନାମରେ ଅଦାଲତ ଅବମାନନା ମାମଲା ଦାୟର କରାଯାଇଥିଲା।

ସମ୍ବନ୍ଧିତ ଖବର