ଅନିଲଙ୍କ ଆଉ ଏକ କଂପାନି ବନ୍ଦ ହେବ

ମୁମ୍ବାଇ: ଅନିଲ ଅମ୍ବାନିଙ୍କ ଆଉ ଏକ କଂପାନି ବନ୍ଦ ହେବାକୁ ଯାଉଛି। ତାହା ହେଉଛି ରିଲାଏନ୍ସ ନାଭାଲ୍ ଆଣ୍ଡ୍‌ ଇଞ୍ଜିନିୟରିଂ। ଏହି କଂପାନି ଆଇଡିବିଆଇ ବ୍ୟାଙ୍କ ଠାରୁ ୯୦୦୦ କୋଟି ଟଙ୍କାର ଋଣ ନେଇଥିଲା। ତାହାକୁ ପରିଶୋଧ କରିପାରୁନାହିଁ। ଋଣ ପରିଶୋଧ ପାଇଁ କଂପାନି ଯେଉଁ ପ୍ଲାନ୍ ପ୍ରଦାନ କରିଥିଲା ତାହାକୁ ଆଇଡିବିଆଇ ବ୍ୟାଙ୍କ ପ୍ରତ୍ୟାଖ୍ୟାନ କରିଦେଇଛି। ବ୍ୟାଙ୍କ ଖୁବ୍‌ଶୀଘ୍ର ଅନିଲଙ୍କ ଏହି କଂପାନିକୁ ଦେବାଳିଆ ଘୋଷଣା କରିବା ପ୍ରକ୍ରିୟ‌ା ଆରମ୍ଭ କରିବ। ବ୍ୟାଙ୍କ ଯେଉଁ ଋଣ ଦେଇଛି ତାହାକୁ ଇକ୍ବିଟି ପାଣ୍ଠିରେ ପରିଣତ କରି କଂପାନିର ଅଂଶଧନକାରୀ ହେବାକୁ ରିଲାଏନ୍ସ ନାଭାଲ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ବ୍ୟାଙ୍କ କିନ୍ତୁ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିନାହିଁ। ଏହି କଂପାନି ୨୦୧୩ ପର ଠାରୁ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ପୂର୍ବରୁ ଏହି କଂପାନିର ନାମ ପିପଭବ ଡିଫେନ୍ସ ଆଣ୍ଡ୍‌ ଅଫ୍‌ସୋର ଇଞ୍ଜିନିୟରିଂ ଥିଲା। ଅନିଲ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୁପ୍ ଏହାକୁ ଅଧିଗ୍ରହଣ କରି ୨୦୧୬ ଜାନୁଆରିରେ କଂପାନିକୁ ନିଜ ନିୟନ୍ତ୍ରଣକୁ ଆଣିଥିଲା। ଏହା ପରେ ଉକ୍ତ କଂପାନିରେ ଅନିଲ ଅମ୍ବାନି ବିପୁଳ ପରିମାଣର ନିବେଶ କରିଥିଲେ। ‌ତାହାର ସିଂହ ଭାଗ ଋଣ ପରିଶୋଧ କରିବାରେ ବ୍ୟବହାର କରାଯାଇଥିଲା।

ସମ୍ବନ୍ଧିତ ଖବର