ନୂଆଦିଲ୍ଲୀ: ରିଲାଏନ୍ସ କମ୍ୟୁନିକେସନ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଆଉ ୧୪୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏଥି ସହିତ ତାଙ୍କର ଜବତ ହୋଇଥିବା ମୋଟ ସମ୍ପତ୍ତି ପରିମାଣ ୯୦୦୦ କୋଟି ଟଙ୍କାରୁ ଅଧିକ ହୋଇଛି। ଅନିଲ ଓ ତାଙ୍କ କମ୍ପାନିର ନଭି ମୁମ୍ବାଇ, ଚେନ୍ନାଇ, ପୁଣେ ଓ ଭୁବନେଶ୍ବରରେ ଥିବା ସମ୍ପତ୍ତି ଜବତ କରାଯାଇଛି। ଭୁବନେଶ୍ବରରେ ଅନିଲଙ୍କ କମ୍ପାନିର ଜମି ଓ କୋଠା ଜବତ ହୋଇଥିବା ଜଣାପଡ଼ିଛି।
ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (ଆର୍ଏଚ୍ଏଫ୍ଏଲ୍) ଓ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଲିମିଟେଡ୍ (ଆର୍ସିଏଫ୍ଏଲ୍)ରେ ପାଣ୍ଠିର ବ୍ୟାପକ ହେରଫେର ହୋଇଥିବା ଅଭିଯୋଗର ଇଡି ତଦନ୍ତ କରୁଥିବା ବେଳେ ସେହି ମାମଲାରେ ବିଭିନ୍ନ ସମ୍ପତ୍ତି ଜବତ କରାଯାଉଛି। ଏହା ପୂର୍ବରୁ ଚଳିତ ମାସ ୩ ତାରିଖରେ ଅନିଲଙ୍କ ରିଲାଏନ୍ସ ଗ୍ରୁପ୍ର ଏକ ୧୩୨ ଏକର ଜମିକୁ ଜବତ କରାଯାଇଥିଲା ଯାହାର ମୂଲ୍ୟ ହେଉଛି ୪୪୬୨.୮୧ କୋଟି ଟଙ୍କା। ଏହା ବ୍ୟତୀତ ଗ୍ରୁପ୍ର ୪୦ରୁ ଅଧିକ ସମ୍ପତ୍ତିକୁ ବି ଜବତ କରାଯାଇଛି। ମୁମ୍ବାଇର ପାଲି ହିଲ୍ରେ ଥିବା ଅନିଲଙ୍କ ଘରକୁ ମଧ୍ୟ ଜବତ କରାଯାଇଛି। ସେହି ସମ୍ପତ୍ତିଗୁଡ଼ିକର ମୋଟ୍ ମୂଲ୍ୟ ହେଉଛି ୩୦୮୪ କୋଟି ଟଙ୍କା। ତଦନ୍ତରୁ ଇଡି ଜାଣିବାକୁ ପାଇଛି ଯେ ୨୦୧୭ରୁ ୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କ ପକ୍ଷରୁ ଆର୍ଏଚ୍ଏଫ୍ଏଲ୍କୁ ୨୯୬୫ କୋଟି ଟଙ୍କା ଓ ଆର୍ସିଏଫ୍ଏଲ୍କୁ ୨୦୪୫ କୋଟି ଟଙ୍କା ଦିଆଯାଇଥିଲା। ସେହି ଟଙ୍କାର ବ୍ୟାପକ ହେରଫେର କରି ଅନ୍ୟତ୍ର ପଠାଇ ଦିଆଯାଇଥିଲା।
ଫଳରେ ୨୦୧୯ ବେଳକୁ ଉଭୟ କମ୍ପାନିର ଏହି ଋଣ ଏନ୍ପିଏରେ ପରିଣତ ହୋଇଥିଲା। ଏବେବି ଆର୍ଏଚ୍ଏଫ୍ଏଲ୍ ଉପରେ ୧୩୫୩ କୋଟି ଟଙ୍କା ଓ ଆର୍ସିଏଫ୍ଏଲ୍ ଉପରେ ୧୯୮୪ କୋଟି ଟଙ୍କା ବାକି ପଡ଼ିଛି। ଏହି ଋଣ କାରବାରରେ ୟେସ୍ ବ୍ୟାଙ୍କକୁ ମୋଟ୍ ୨୭୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଅନିଲଙ୍କ କମ୍ପାନିକୁ ଦିଆଯାଇଥିବା ଋଣ ପ୍ରକ୍ରିୟା ମଧ୍ୟ ସନ୍ଦେହଜନକ ଥିଲା। ଯେଉଁଦିନ ଋଣ ପାଇଁ ଆବେଦନ କରାଗଲା ତାହା ସେହିଦିନ ମଞ୍ଜୁର ହେବା ସହ ଋଣ ଆବଣ୍ଟନ କରାଯାଇଥିଲା। କ୍ଷେତ୍ର ପରିଦର୍ଶନ ଓ ବୈଠକ ଭଳି ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇଥିଲା। ଏହି ଘଟଣାରେ ମନି ଲଣ୍ଡରିଂ ହୋଇଥିବା ଇଡି ସନ୍ଦେହ କରି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/79ZgEJBcf8jssc2AeKTW.jpg)