ନୂଆଦିଲ୍ଲୀ: ସରକାରଙ୍କ ଦ୍ୱାରା ବଜେଟ୍ରେ ଘୋଷଣା କରାଯାଇଥିବା ଭିତ୍ତିଭୂମି ପ୍ରକଳ୍ପ ଓ ସାମାଜିକ ମଙ୍ଗଳ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ବର୍ଷକୁ ୫୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଫଳରେ ଦେଶର ଶ୍ରମ ବଜାରକୁ ପ୍ରତିବର୍ଷ ପ୍ରବେଶ କରୁଥିବା ୧ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିଯିବ। ବଜେଟ୍ରେ ପ୍ରଥମ ଥର ପାଇଁ ଏପ୍ରକାର ଆକଳନ କରାଯାଇଛି। ଦେଶରେ ଜାତୀୟ ରାଜପଥ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ, ସ୍ୱଚ୍ଛ ଭାରତ ମିସନ ଅଧୀନରେ ପାଇଖାନା ତିଆରି, ଏମ୍ଜିଏନ୍ଆର୍ଇଜିଏସ୍ରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ, ଶୀତଳ ଭଣ୍ଡାର, ଫୁଡ୍ ପାର୍କ ସ୍ଥାପନ ଏବଂ ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ଆଦିରେ ଏହି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
କେଉଁ କ୍ଷେତ୍ରରେ କେତେ
ମେଗା ଫୁଡ୍ ପାର୍କ ୯୫ ହଜାର
ଶୀତଳ ଭଣ୍ଡାର ଓ ଅନ୍ୟ କୃଷି ଭିତ୍ତିଭୂମି ୭୫ ହଜାର
ଏମ୍ଏସ୍ଏମ୍ଇରେ ପିଏମ୍ଇଜିପି ୨,୯୪ ହଜାର
ଭାରତମାଳାରେ ସଡ଼କ ନିର୍ମାଣ ୧୦ ଲକ୍ଷ
ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ୩୦ ଲକ୍ଷ
(ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି)
ସରକାରଙ୍କ ନିଜସ୍ୱ ଯୋଜନା ଯୋଗୁ ଅନେକଗୁଡ଼ିଏ ନିଯୁକ୍ତି ସୃଷ୍ଟି ହେବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ବଜେଟ୍ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଏହି ସୂଚନା ଦେଇଥିଲେ ଯେ ୨ କୋଟି ପାଇଖାନା ନିର୍ମାଣ ଯୋଗୁଁ ୧୬.୯୨ କୋଟିର ଶ୍ରମଦିବସ ସୃଷ୍ଟି ହେବ। ସେହିଭଳି ଗ୍ରାମାଞ୍ଚଳରେ ୫୧ ଲକ୍ଷ ଘର ନିର୍ମାଣ ଯୋଗୁଁ ୪୬.୫୫ କୋଟି ଶ୍ରମଦିବସ, ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ପାଇଁ ୨୮.୩୫ କୋଟି ଶ୍ରମଦିବସ, ଏମ୍ଜିଏନ୍ଆର୍ଇଜିଏ ଅଧୀନରେ ୨୩୦ କୋଟି ଶ୍ରମଦିବସ ସୃଷ୍ଟି ହେବ। ଏସବୁକୁ ମିଶାଇଲେ ୩୨୧.୮ କୋଟି ଶ୍ରମଦିବସ ସୃଷ୍ଟି ହେବ। ଦିନକୁ ୮ ଘଣ୍ଟା ହିସାବରେ ମାସକୁ ୨୬ ଦିନ ବିଚାରକୁ ନେଲେ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣରେ ବର୍ଷକୁ ଏଥିଯୋଗୁ ୧୨.୮୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏତଦ୍ବ୍ୟତୀତ ମେଗା ଫୁଡ୍ ପାର୍କ ସ୍ଥାପନରେ ୯୫ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି, ଶୀତଳ ଭଣ୍ଡାର ଓ କୃଷି ସମ୍ପର୍କିତ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ ବାବଦରେ ୭୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏତଦ୍ବ୍ୟତୀତ ଏମ୍ଏସ୍ଏମ୍ଇ ବିଭାଗରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମରେ ୨,୯୪,୦୦୦ ନିଯୁକ୍ତି ସୃଷ୍ଟି ହେବ। ଭାରତମାଳା ପ୍ରକଳ୍ପ ଅଧୀନରେ ହେବାକୁ ଥିବା ବ୍ୟାପକ ସଡ଼କ ନିର୍ମାଣ ଯୋଗୁ ୧୪.୨ କୋଟି ଶ୍ରମଦିବସ ସୃଷ୍ଟି ହେବ। ରେଳବାଇ ପ୍ରକଳ୍ପ ଦ୍ୱାରା ୫ କୋଟି ଶ୍ରମଦିବସ ସୃଷ୍ଟି ହେବ। ଏଥିଯୋଗୁଁ ସଡ଼କରେ ୫୬ ହଜାର ଏବଂ ରେଳରେ ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅନୁପାତରେ ହିସାବ କଲେ ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ପାଇଁ ୧୬୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାରୁ ଏ କ୍ଷେତ୍ରରେ ପ୍ରାୟ ୩୦ ଲକ୍ଷ ନିଯୁକ୍ତି ମିଳିବ। ଏସବୁ ବିଚାରକୁ ନେଲେ ୨୦୧୮-୧୯ ବଜେଟ୍ରେ ଯେଉଁସବୁ ବ୍ୟୟବରାଦ ବିଭିନ୍ନ ସରକାରୀ ଯୋଜନା ଓ ସ୍କିମ୍ ପାଇଁ କରାଯାଇଛି ସେଥିରେ ୪୮ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ତେବେ ଏଥିରେ କୃଷି କ୍ଷେତ୍ରର ନିଯୁକ୍ତିକୁ ବିଚାରକୁ ନିଆଯାଇନାହିଁ। ଏଥିସହିତ ମୁଦ୍ରା ଋଣ ପ୍ରଦାନ ଲକ୍ଷ୍ୟ ୩ ଲକ୍ଷ କୋଟି ଟଙ୍କା ରଖାଯାଇଛି। ଏ କ୍ଷେତ୍ରରେ ମଧ୍ୟ ଯେଉଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ତାହା ବିଚାରକୁ ନିଆଯାଇ ନାହିଁ।