ନୂଆଦିଲ୍ଲୀ: ରାଜପଥ ବ୍ୟବହାର କରୁଥିବା ଗାଡ଼ି ମାଲିକଙ୍କ ଶୁଳ୍କ ବୋଝ କମ୍ କରିବା ଲାଗି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଫାସ୍‌ଟ୍ୟାଗ୍‌ର ବାର୍ଷିକ ପାସ୍ ଆଣିବା ଉପରେ ବିଚାର କରୁଛନ୍ତି। ତିନି ହଜାର ଟଙ୍କାରେ ସେହି ପାସ୍ ମିଳିବ। ତାହା ଜରିଆରେ ଟୋଲ୍‌ ଗେଟ୍‌ଗୁଡ଼ିକରେ ଅସୀମିତ ଥର ଯାତ୍ରା କରିହେବ। ଫଳରେ ପ୍ରତି ଥର ଟୋଲ୍‌ ଗେଟ୍‌ରେ ଯିବା ବେଳେ ଫାସ୍‌ଟ୍ୟାଗ୍‌ରେ ବାଲାନ୍ସ ଅଛି ନା ନାହିଁ ବା ତାହା କାମ କରିବ ନାହିଁ ଭଳି ଲୋକଙ୍କ ମନରେ ଯେଉଁ ଉଦ୍‌ବେଗ ରହୁଛି, ତାହା ଦୂର ହେବ।

Advertisment

ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତ କରୁଛି ଯେଉଁଥିରେ ଗାଡ଼ି ମାଲିକଙ୍କୁ ଦୁଇ ପ୍ରକାର ବିକଳ୍ପ ପ୍ରଦାନ କରାଯିବ। ରାଜପଥ ବ୍ୟବହାରର ଦୂରତା ଅନୁସାରେ ଟୋଲ୍‌ ଦେବେ ନା ବାର୍ଷିକ ପାସ୍ ନେବେ ତାହା ପଚରାଯିବ। ବାର୍ଷିକ ପାସ୍ ଘରୋଇ ଗାଡ଼ି ମାଲିକଙ୍କୁ ପ୍ରଦାନ କରାଯିବ। ଯେଉଁମାନେ ବାର୍ଷିକ ପାସ୍ ଚୟନ କରିବେ ନାହିଁ, ସେମାନଙ୍କୁ ଦୂରତା ଆଧାରିତ ଶୁଳ୍କ ଦେବାକୁ ପଡ଼ିବ। ଅର୍ଥାତ ୧୦୦ କିମି ପାଇଁ ୫୦ ଟଙ୍କା। ବର୍ତ୍ତମାନ ପ୍ରଚଳନରେ ଥିବା‌ ଟୋଲ୍‌ ବ୍ୟବସ୍ଥା ସ୍ଥାନରେ ପରିବର୍ତ୍ତିତ ବ୍ୟବସ୍ଥା ଲାଗୁ କରାଯିବ। କିଛି ମାସ ପୂର୍ବରୁ ୧୫ ବର୍ଷ ପାଇଁ ୩୦ ହଜାର ଟଙ୍କାର ଟୋଲ୍‌ ଶୁଳ୍କ ସମ୍ପର୍କିତ ଆସିଥିବା ଏକ ପ୍ରସ୍ତାବକୁ ସରକାର ଖାରଜ କରିଥିଲେ। ତେବେ ଏବେ ସରକାର ଯେଉଁ ନୂଆ ନୀତି ପ୍ରସ୍ତୁତ କରୁଛନ୍ତି, ସେଥିରେ ଟୋଲ୍‌ ବୁଥ୍‌ଗୁଡ଼ିକୁ ଉଚ୍ଛେଦ କରିବା ଯୋଜନା ରହିଛି।

ଏହା ବଦଳରେ ସେନ୍‌ସର୍‌ ଆଧାରିତ ଡିଜିଟାଲ୍ ଟୋଲ୍ ବ୍ୟବସ୍ଥା ଲାଗୁ ହେବ। ଜିପିଏସ୍‌ ଓ ସ୍ବୟଂକ୍ରିୟ ଯାନ ଟ୍ରାକିଂ ବ୍ୟବସ୍ଥାକୁ ମିଶାଇ ଏହି ନୂତନ ବ୍ୟବସ୍ଥା ଲାଗୁ କରାଯିବ। ଦେଶରେ ଉପଗ୍ରହ ଆଧାରିତ ଟୋଲ୍ ବ୍ୟବସ୍ଥା ଲାଗୁ କରାଯିବା ନେଇ ଦୀର୍ଘଦିନରୁ ଆଲୋଚନା ହେଉଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏନେଇ ଅନେକ ଥର ଆଲୋଚନା କରିଛନ୍ତି। ଭବିଷ୍ୟତରେ ରାଜପଥରେ ଆଉ ଟୋଲ୍‌ ବୁଥ୍‌ ରହିବ ନାହିଁ ବୋଲି ମଧ୍ୟ ସେ କହିଥିଲେ। ଦେଶରେ ଫାସ୍‌ଟ୍ୟାଗ୍ ବ୍ୟବସ୍ଥା ଲାଗୁ ହେବା ପରେ ଟୋଲ୍ ପ୍ଲାଜାରେ ଗାଡ଼ିଗୁଡ଼ିକର ଅଟକିବା ସମୟ ଯଦିଓ ପୂର୍ବ ବ୍ୟବସ୍ଥା ତୁଳନାରେ କମ୍ ହୋଇଛି, କିନ୍ତୁ ଏବେବି ଅନେକ ସ୍ଥାନରେ ଭିଡ଼ ଦେଖିବାକୁ ମିଳୁଛି। କିନ୍ତୁ, ଟୋଲ୍‌ ସଂଗ୍ରହରେ ବ୍ୟାପକ ଉନ୍ନତି ହୋଇପାରିଛି।