ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବର୍ଷିକିଆ ଫାସ୍ଟ୍ୟାଗ୍ ପାସ୍ ଘୋଷଣା କରିଛନ୍ତି। ଏହି ପାସ୍ର ମୂଲ୍ୟ ୩୦୦୦ ଟଙ୍କା ରଖାଯାଇଛି ଯାହା ଆସନ୍ତା ଅଗଷ୍ଟ ୧୫ରୁ ମିଳିବ। ପାସ୍ ସକ୍ରିୟ ହେବା ତାରିଖଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ। ସେଥିରେ ୨୦୦ ଥର ଟୋଲ୍ବୁଥ୍ ଅତିକ୍ରମ କରିହେବ। ଏହି ପାସ୍ କେବଳ ଘରୋଇ ଗାଡ଼ି ଯଥା କାର୍, ଜିପ୍, ଭ୍ୟାନ୍ ଆଦି ଲାଗି ମିଳିବ। ପାସ୍କୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି, ଯାହା ଜରିଆରେ ଦେଶ ସାରା ରାଜପଥରେ ଥିବା ଟୋଲ୍ବୁଥ୍ଗୁଡ଼ିକରେ ତାହା କାମ କରିବ ବୋଲି ଗଡ଼କରୀ କହିଛନ୍ତି। ବର୍ଷିକିଆ ଫାସ୍ଟ୍ୟାଗ୍ ପାସ୍କୁ ସକ୍ରିୟ କରିବା କିମ୍ବା ନବୀକରଣ କରିବା ଲାଗି ଖୁବ୍ଶୀଘ୍ର ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ)ର ଯାତ୍ରା ଆପ୍, ଏନ୍ଏଚ୍ଏଆଇ ୱେବସାଇଟ୍ ଓ ସଡ଼କ ପରିବହନ ମନ୍ତ୍ରଣାଳୟ ୱେବସାଇଟ୍ରେ ଏକ ଅଲଗା ଲିଙ୍କ୍ ଉପଲବ୍ଧ ହେବ।
ସେଥିରେ ସରଳ ଓ ସୁବିଧାଜନକ ପ୍ରକ୍ରିୟା ଉପଲବ୍ଧ କରାଯିବ। ୬୦ କିଲୋମିଟର ବ୍ୟବଧାନରେ ଥିବା ଟୋଲ ପ୍ଲାଜାକୁ ନେଇ ଦୀର୍ଘଦିନରୁ ରହିଥିବା ଚିନ୍ତାକୁ ଏହି ପାସ୍ ଦୂର କରିବ ଏବଂ ଟୋଲ୍ ଦେୟ ସହଜ ହେବ ବୋଲି ଗଡ଼କରୀ କହିଛନ୍ତି। ଟୋଲ୍ ପ୍ଲାଜାରେ ଅପେକ୍ଷା କରିବାକୁ ପଡ଼ୁଥିବା ସମୟ କମ୍ କରି, ଭିଡ଼ କମ୍ କରି ଏବଂ ବିବାଦ ସମାଧାନ କରି ଏହି ବାର୍ଷିକ ପାସ୍ ପ୍ରତିଦିନ ଲକ୍ଷ ଲକ୍ଷ ଘରୋଇ ଯାନ ଚାଳକମାନଙ୍କୁ ଦ୍ରୁତ, ସୁଗମ ଓ ଉତ୍ତମ ଯାତ୍ରା ଅନୁଭୂତି ପ୍ରଦାନ କରିବ ବୋଲି ସେ କହିଛନ୍ତି। ୨୦୨୧ ଫେବ୍ରୁଆରି ୧୫ରୁ ସବୁ ଚାରିଚକିଆ ଯାନବାହନ ଲାଗି ଫାସ୍ଟ୍ୟାଗ୍ ବାଧ୍ୟତାମୂଳକ କରାଯାଇଥିଲା। ଚାଳକମାନେ ନିଜର କେୱାଇସି ଦସ୍ତାବିଜ ଦାଖଲ କରି ଅପରେଟରମାନଙ୍କଠାରୁ ଫାସ୍ଟ୍ୟାଗ୍ ହାସଲ କରୁଛନ୍ତି। ତାହାକୁ ଗାଡ଼ି ସାମ୍ନାରେ ଥିବା କାଚରେ ଲଗାଯାଇଛି। ବର୍ତ୍ତମାନ ସମୟରେ ଫାସ୍ଟ୍ୟାଗ୍କୁ ନିୟମିତ ବ୍ୟବଧାନରେ ରିଚାର୍ଜ କରିବାକୁ ପଡ଼ୁଛି। ମାତ୍ର ବର୍ଷିକିଆ ପାସ୍ ଆସିବା ପରେ ସେହି ଝିନଝଟ ଦୂର ହେବ। ବର୍ତ୍ତମାନ ସମୟରେ ଗୋଟିଏ ଗାଡ଼ି ୨୦୦ ଥର ଟୋଲ୍ ପ୍ଲାଜା ଅତିକ୍ରମ କଲେ ପାଖାପାଖି ୧୦ ହଜାର ଟଙ୍କାର ଶୁଳ୍କ ଗଣିବାକୁ ପଡ଼ୁଛି। ବର୍ଷିକିଆ ପାସ୍ରେ କିନ୍ତୁ ୩୦୦୦ ଟଙ୍କାରେ ସେହି କାମ ହୋଇଯିବ।