ଭୁବନେଶ୍ବର : ସାରା ବିଶ୍ବରେ ବିଶ୍ବ ତାପନ (ଗ୍ଲୋବାଲ୍ ୱାର୍ମିଂ)ର ପ୍ରଭାବ ଉପରେ ଆଲୋଚନା ହେଉଥିବା ବେଳେ ଓଡ଼ିଶା ପ୍ରତିବର୍ଷ ବିଭିନ୍ନ ବିପର୍ଯ୍ୟୟକୁ ସାମ୍ନା କରୁଛି। ଆମେ ପରିବେଶର ଯତ୍ନ ନନେବା ପର୍ଯ୍ୟନ୍ତ କୋଭିଡ୍, ବାତ୍ୟା ଏବଂ ବନ୍ୟା ଭଳି ବିପର୍ଯ୍ୟୟକୁ ସାମ୍ନା କରୁଥିବା ବୋଲି ରାଜ୍ୟର ଶକ୍ତି, ଶିଳ୍ପ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି। ଫିକି ଓଡ଼ିଶା ରାଜ୍ୟ ପରିଷଦର ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି ପରିବେଶ ମିତବ୍ୟୟୀ ପଦକ୍ଷେପ ଗ୍ରହଣ କରିବା ଓ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସେ ରାଜ୍ୟ ତଥା ଦେଶର ଶିଳ୍ପସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଆମକୁ ପ୍ରକୃତିର ସୁରକ୍ଷା କରିବାକୁ ପଡ଼ିବ ଏବଂ ଜିରୋ-ଡିସ୍ଚାର୍ଜ ଦିଗରେ କାମ କରିବାକୁ ହେବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି। ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ଛଅଟି ଶିଳ୍ପ କ୍ଷେତ୍ର ଯଥା ପର୍ଯ୍ୟଟନ; ଖାଦ୍ୟ ପ୍ରକ୍ରିୟାକରଣ, ରାସାୟନିକ, ପ୍ଲାଷ୍ଟିକ୍ ଓ ପେଟ୍ରୋକେମିକାଲକ୍ସ,; ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ, ଧାତବ କ୍ଷେତ୍ରର ଆନୁଷଙ୍ଗିକ ଶିଳ୍ପ ଏବଂ ବୟନ ଓ ପୋଷାକ କ୍ଷେତ୍ର ବହୁତ ଭଲ ପ୍ରଦର୍ଶନ କରୁଛି। ଅଧିକ ପୁଞ୍ଜିନିବେଶ ଓ ବିକାଶ ଲାଗି ଆମକୁ ଆଇଟି ଓ ଇଲେକ୍ଟ୍ରୋନିକ୍ସ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଓଡ଼ିଶାକୁ ସୁଯୋଗର ଗନ୍ତାଘର ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଏବେ ଉପକୂଳରୁ ଆଗକୁ ବଢ଼ି ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଭାଗରେ ଥିବା ଶିଳ୍ପ ପାଇଁ ଜମି ବ୍ୟାଙ୍କକୁ ହାସଲ କରିବାକୁ ପଡ଼ିବ।
ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ରାଜ୍ୟ ପାଇଁ ଅଧିକ ପ୍ରଗତିଶୀଳ ଶିଳ୍ପ ନୀତି ଆଣିବା ଓ ପୁଞ୍ଜିନିବେଶକୁ ସୁହାଇବା ଭଳି ପରିବେଶ ସୃଷ୍ଟି କରିବା ପ୍ରତି ସରକାର ପ୍ରତିବଦ୍ଧ ରହିଛନ୍ତି। ରାଜ୍ୟର ପ୍ରମୁଖ ଶିଳ୍ପ କ୍ଷେତ୍ର ଯଥା ଖଣି, ମେଟାଲର୍ଜି, ବୟନ, ଖାଦ୍ୟ ପ୍ରକ୍ରିୟାକରଣ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରର ପ୍ରଦର୍ଶନ ବହୁତ ଭଲ ରହିଛି। ଶିଳ୍ପନୀତିକୁ ଅଧିକ ପ୍ରଗତିଶୀଳ ଓ ଦୂରଦୃଷ୍ଟି ସମ୍ପନ୍ନ କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି।
ଇପିକଲ୍ର ଏମ୍ଡି ତଥା ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଡକ୍ଟର ନିତୀନ ବି ଜାୱଲେ କହିଛନ୍ତି ଯେ ଓଡ଼ିଶା ଆଜି ଯେଉଁ ସ୍ଥାନରେ ପହଞ୍ଚିଛି ତାହାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ଫିକି। ପରବର୍ତୀ ପର୍ଯ୍ୟାୟର ଶିଳ୍ପ ବିକାଶ ଲାଗି ଉଭୟ ଫିକି ଓ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ସମାନ ରହିଛି। ବ୍ୟାପକ ଶିଳ୍ପ ବିକାଶ ଲକ୍ଷ୍ୟ ହାସଲ କରିବା ଲାଗି କେବଳ ବଡ଼ ଧରଣର ପୁଞ୍ଜିନିବେଶ ନୁହେଁ ବରଂ କ୍ଷୁଦ୍ର ଓ ମଧ୍ୟମ କ୍ଷେତ୍ରର ଶିଳ୍ପ ସଂସ୍ଥା ଲାଗି ପୁଞ୍ଜିନିବେଶ ହାସଲ କରିବାରେ ଫିକି ସହାୟକ ହୋଇଛି ବୋଲି ସେ କହିଛନ୍ତି। ଭିଜନ ୨୦୩୦ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ଯେ ରାଜ୍ୟ ଭିତରେ ୫୦% ଧାତବରେ ମୂଲ୍ୟ ଯୋଗ କରିବା ଲାଗି ଯୋଜନା ରହିଛି। ଏଥିରେ ଏମ୍ଏସ୍ଏମ୍ଇକୁ ସାମିଲ କରାଯିବ।
ଏହି ଅବସରରେ ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ତଥା ସମ୍ବାଦ ଗ୍ରୁପ୍ର ଏମ୍ଡି ମୋନିକା ନୈୟାର ପଟ୍ଟନାୟକ କହିଛନ୍ତି ଯେ ମେକ୍ ଇନ୍ ଓଡ଼ିଶା, କୃଷି ଓଡ଼ିଶା ଓ ଓଡ଼ିଶା ୫୦ ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଲାଗି ଫିକି ଓଡ଼ିଶା ରାଜ୍ୟ ସରକାରଙ୍କ ଜାତୀୟ ଶିଳ୍ପ ସହଯୋଗୀ ଭାବେ କାର୍ଯ୍ୟ କରୁଛି। ସରକାରଙ୍କ ଟିକାକରଣ ଅଭିଯାନ ଓ ମେଡିକାଲ୍ ଅକ୍ସିଜେନ୍ ଯୋଗାଣ ସଂଗ୍ରହ କରିବା ଲାଗି ଗଠନ କରାଯାଇଥିବା ଟାସ୍କଫୋର୍ସରେ ମଧ୍ୟ ଫିକି ଏକ ଅଂଶ ହୋଇ ରହିଛି ବୋଲି ସେ କହିଛନ୍ତି।
ସରକାରଙ୍କ ଉଦ୍ୟମ ଯୋଗୁଁ ଶିଳ୍ପ ଉପରେ ବାତ୍ୟାର ସର୍ବନିମ୍ନ ପ୍ରଭାବ ରହିଥିବାରୁ ଫିକିର ସାଧାରଣ ସମ୍ପାଦକ ଦିଲ୍ଲୀପ ଚେନୟ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଫିକିର ଉପ ସାଧାରଣ ସମ୍ପାଦକ ଅରୁଣ ଚାୱଲା କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ସହ ମିଶି ଫିକି ତରଫରୁ ୱେବିନାର୍ ସିରିଜ୍ ଆୟୋଜନ କରାଯାଉଛି। ସମ୍ଭାବ୍ୟ ନିବେଶକମାନଙ୍କ ଦ୍ବାରା ତାହା ବିଶେଷ ଭାବେ ଆଦୃତ ହୋଇଛି।
ଫିକିର ଏହି ଭର୍ଚୁଆଲ୍ ବାର୍ଷିକ ସାଧାରଣ ବୈଠକରେ ଫିକି ଜାତୀୟ ପର୍ଯ୍ୟଟନ ପରିଷଦର ସହ ଅଧ୍ୟକ୍ଷ ଜେ କେ ମହାନ୍ତି, ଫିକି ଓଡ଼ିଶା ଏମ୍ଏସ୍ଏମ୍ଇ କମିଟିର ଅଧ୍ୟକ୍ଷ ଜେ କେ ରଥ, ଏସ୍ଏନ୍ଏମ୍ ଗ୍ରୁପ୍ର ଏମ୍ଡି ପ୍ରବୋଧ ମହାନ୍ତି, ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ର ରେସିଡେଣ୍ଟ୍ ଡାଇରେକ୍ଟର ଏସ୍ ଏସ୍ ଉପାଧ୍ୟାୟ, ସମ୍ବାଦର ସିଓଓ କମଳାକାନ୍ତ ମହାପାତ୍ର, ଇମ୍ଫାର କର୍ପୋରେଟ୍ ବ୍ୟାପାର ମୁଖ୍ୟ କିଶୋର ମହାନ୍ତି, ଫିକି ଏଫ୍ଏଲ୍ଓର ଅଧ୍ୟକ୍ଷା ସୁନିତା ମହାନ୍ତି, ଫିକି ଓଡ଼ିଶା ମୁଖ୍ୟ ସଞ୍ଜୀବ ମହାନ୍ତି ଓ ଶିଳ୍ପ ଜଗତର ପ୍ରାୟ ୭୫ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।