ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ୨ ଲକ୍ଷ ୧୦ ହଜାର ୫୪୬ କୋଟି ୩୫ ଲକ୍ଷ ଟଙ୍କାର ଅଗ୍ରାଧିକାର କ୍ଷେତ୍ର ଋଣ ମଧ୍ୟରୁ ୧ ଲକ୍ଷ ୪୫ ହଜାର ୧୭୨ କୋଟି ୬୫ ଲକ୍ଷ ଟଙ୍କା ପ୍ରଦାନ କରିବାରେ ରାଜ୍ୟର ବ୍ୟାଙ୍କଗୁଡ଼ିକ ଗତ ଡିସେମ୍ବର ୩୧ ସୁଦ୍ଧା ସକ୍ଷମ ହୋଇଛନ୍ତି। ଅଗ୍ରାଧିକାର କ୍ଷେତ୍ର ପାଇଁ ମୋଟ ଋଣ ଯୋଜନାର ୬୮.୯୫ ପ୍ରତିଶତ ଋଣ ବ୍ୟାଙ୍କଗୁଡ଼ିକ ଦେଇଛନ୍ତି। ଅକ୍ଟୋବରରୁ ଡିସେମ୍ବର ଅବଧିରେ ବ୍ୟାଙ୍କଗୁଡ଼ିକ ଏ ବାବଦରେ ୪୧,୨୮୩ କୋଟି ୫୪ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଛନ୍ତି। କୃଷି ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଋଣ ପ୍ରଦାନ ହାର ଯଥାକ୍ରମେ ୭୫.୩୮% ଏବଂ ୭୩.୪୮% ରହିଛି। କିନ୍ତୁ ଶିକ୍ଷା, ଗୃହ, ରପ୍ତାନି ଓ ଅନ୍ୟାନ୍ୟ ଅଗ୍ରାଧିକାର କ୍ଷେତ୍ରର ଋଣ ପ୍ରଦାନ ଭଲ ନାହିଁ। ଶିକ୍ଷା କ୍ଷେତ୍ରରେ ମୋଟ୍‌ ଋଣ ଯୋଜନାର ୩୫.୪୮%, ଗୃହ ନିର୍ମାଣରେ ୩୧.୨୯%, ରପ୍ତାନି କ୍ଷେତ୍ରରେ ୫୩.୧୨% ଏବଂ ଅନ୍ୟାନ୍ୟ ଅଗ୍ରାଧିକ‌ାର କ୍ଷେତ୍ରରେ ୪୦.୨୮% ଋଣ ଦେଇ ପାରିଛନ୍ତି। ବ୍ୟାଙ୍କର ଋଣ ଜମା ଅନୁପାତ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ୭୫.୪୪% ରହିଛି। ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏସ୍‌ଏଲ୍‌ବିସି ଓଡ଼ିଶାର ଅଧ୍ୟକ୍ଷ ବିଜୟକୁମାର ନିବୃତି କାମ୍ବଲେଙ୍କ ସହ-ଅଧ୍ୟକ୍ଷତ‌ାରେ ଆଜି ହୋଇଥିବା ୧୭୮ତମ ହୋଇଥିବା ବୈଠକରୁ ଏହା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ଗର୍ଗ ବାର୍ଷିକ ଋଣ ଯୋଜନାର ୧୦୦% ହାସଲ ପାଇଁ ପରାମର୍ଶ ଦେଇଥିଲେ। ଗୃହ, ଶିକ୍ଷା, ସାମାଜିକ ଭିତ୍ତିଭୂମି ଏବଂ ରପ୍ତାନି କ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି ଉପରେ ଗୁରୁତ୍ବ ଦେଇଥିଲେ। ରାଜ୍ୟରେ ଋଣ-ଜିଏସ୍‌ଡିପି ଅନୁପାତ ବୃଦ୍ଧି କରି ଅନ୍ୟ ରାଜ୍ୟଗୁଡ଼ିକ ସହ ସମକକ୍ଷ ହେବାକୁ କହିଥିଲେ।

Advertisment

adadadas

ଏଥିସହିତ ମହିଳା, ଏସ୍‌ସି, ଏସ୍‌ଟି ଏବଂ ଦୁର୍ବଳ ବର୍ଗଙ୍କୁ ଧ୍ୟାନରେ ରଖି ଋଣ ପ୍ରବାହକୁ ତ୍ବରାନ୍ବିତ କରିବା ସହିତ ନାବାର୍ଡର ଆକଳନ ଅନୁଯାୟୀ, ୨୦୨୫-୨୬ ଆର୍ଥିକବର୍ଷ ପାଇଁ ବାର୍ଷିକ ଋଣ ଯୋଜନା ୨.୫୨ ଲକ୍ଷ କୋଟି ଟଙ୍କା ରଖାଯାଇଥିବା ସେ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନିୟମିତ ବ୍ୟବଧାନରେ ପିଏମ୍‌ ସ୍ବନିଧି ଯୋଜନାର ସମୀକ୍ଷା କରୁଛନ୍ତି। ତେଣୁ ଏହି ଯୋଜନାକୁ ପର୍ଯ୍ୟାପ୍ତ ଋଣ ପ୍ରଦାନ ପାଇଁ ସେ ପରାମର୍ଶ ଦେଇଥିଲେ। ନିକଟରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଆର୍ଥିକ ସହାୟତା ଯୋଜନା ଆରମ୍ଭ କରାଯାଇଛି। ତେଣୁ ଏହି ଯୋଜନାକୁ ଋଣ ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଥିଲେ। ଶ୍ରୀ କାମ୍ବଲେ ୩୧ ଡିସେମ୍ବର ସୁଦ୍ଧା ବ୍ୟାଙ୍କଗୁଡ଼ିକ ୬୮.୯୫% ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ହାସଲ କରିବା ଏବଂ ପିଏମ୍‌ଜେଜେବିୱାଇ, ପିଏମ୍‌ଏସ୍‌ବିୱାଇ, ପିଏମ୍‌ଜେଡିୱାଇ ଭଳି ସାମାଜିକ ସୁରକ୍ଷା ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟକୁ ସଂପୂର୍ଣ୍ଣ ଭାବେ ହାସଲ କରିଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଆର୍ଥିକ ବର୍ଷ ପାଇଁ ରଖାଯାଇଥିବା ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ହାସଲ ପାଇଁ ସେ ବ୍ୟାଙ୍କଗୁଡ଼ିକୁ ମିଳିତ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ପିଏମ୍‌ ବିଶ୍ବକର୍ମା ଯୋଜନାରେ ଖରାପ ପ୍ରଦର୍ଶନ ପାଇଁ ଚିନ୍ତାବ୍ୟକ୍ତ କରିଥିଲେ। ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନି‌ର୍ଦ୍ଦେଶକ ଡ ସାରଦା ପ୍ରସନ୍ନ ମହାନ୍ତି ଓଡ଼ିଶାରେ ଖୁଚୁରା ଏବଂ ଖାଦ୍ୟ ମୁଦ୍ରାସ୍ଫୀତି ଅଧିକ ରହୁଥିବା ସଂପର୍କରେ ଉଲ୍ଲେଖ କରିଥିଲେ। ସେହିଭଳି ଜାତୀୟ ସ୍ତର ତୁଳନାରେ ଓଡ଼ିଶାରେ ଋଣ ଅଭିବୃଦ୍ଧି ହାର କମ୍ ରହିବା ନେଇ ମଧ୍ୟ ଚିନ୍ତାବ୍ୟକ୍ତ କରିଥିଲେ। 

ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ପିଏମ୍‌ଇଜିପି, ପିଏମ୍‌ଏଫ୍‌ଏମ୍‌ଇ, ପିଏମ୍‌ ମୁଦ୍ରା, ଷ୍ଟାଣ୍ଡ୍‌ ଅପ୍‌ ଇଣ୍ଡିଆ ଭଳି ସରକାରୀ ପ୍ରାୟୋଜିତ ଯୋଜନାଗୁଡ଼ିକ ପ୍ରଦାନ ଘରୋଇ ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନରେ ଉନ୍ନତି ଆଣିବା ଲାଗି ଗୁରୁତ୍ବାରୋପ କରିଥିଲେ। ଏଥିସହିତ ଗୃହ ଏବଂ ଶିକ୍ଷା କ୍ଷେତ୍ରକୁ ଋଣ ପ୍ରବାହ ଅନୁଧ୍ୟାନ କରିବା ଲାଗି ଏକ କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ। ପିଏମ୍‌ଜେଜେବିୱାଇ ଏବଂ ପିଏମ୍‌ଏସ୍‌ବିୱାଇ ଭଳି ସାମାଜିକ ସୁରକ୍ଷା ଯୋଜନାରେ ଦାବି ସମାଧାନ ପରିସଂଖ୍ୟାନ ଦେବାପାଇଁ ଏସ୍‌ଏଲ୍‌ବିସିକୁ କହିଥିଲେ। କୃଷି ବିଭାଗର ପ୍ରମୁଖ ସଚିବ ଡ ଅରବିନ୍ଦ କୁମାର ପାଢ଼ୀ, ଏସ୍‌ଏଲ୍‌ବିସି ଓଡ଼ିଶାର ଆବାହକ ଗୌତମ ପାତ୍ର, ଏସ୍‌ଏଲ୍‌ବିସି ଓଡ଼ିଶା ପ୍ରଭାରୀ ଲିଙ୍ଗରାଜ ନାୟକ ସମେତ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।