ନୂଆଦିଲ୍ଲୀ: ଖଣିଜ ପଦାର୍ଥ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି। ଦେଶର ମୋଟ ଖଣିଜ ଉତ୍ପାଦନ ପ୍ରତି ଓଡ଼ିଶାର ଅବଦାନ ୨୪.୬୮ ପ୍ରତିଶତ ରହିଛି ବୋଲି କେନ୍ଦ୍ର ଖଣି ମନ୍ତ୍ରଣାଳୟ ୨୦୧୯-୨୦ ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି। ୨୦୧୮-୧୯ରେ ରାଜ୍ୟରେ ଉତ୍ପାଦନ ୩୦,୨୫୬ କୋଟି ଟଙ୍କା ମୂଲ୍ୟର ଖଣିଜ ପଦାର୍ଥ ଉତ୍ପାଦନ ହୋଇଥିଲା ଯାହା ୨୦୧୭-୧୮ରେ ହୋଇଥିବା ୨୦,୧୭୭ କୋଟି ଟଙ୍କା ମୂଲ୍ୟର ଉତ୍ପାଦନ ତୁଳନାରେ ବହୁତ ଅଧିକ। ରିପୋର୍ଟ ଅନୁଯାୟୀ, ଦେଶର ୬୫.୦୭ ପ୍ରତିଶତ ବକ୍ସାଇଟ୍, ୩୯୭୧ ହଜାର ଟନ୍ର କ୍ରୋମାଇଟ୍ ଓଡ଼ିଶାରେ ଉତ୍ପାଦନ ହୋଇଛି। ୨୦୧୭-୧୮ ତୁଳନାରେ ରାଜ୍ୟରେ ୧୪.୧ ପ୍ରତିଶତ ଅଧିକ କ୍ରୋମାଇଟ୍ ଉତ୍ପାଦନ ହୋଇଛି। କ୍ରୋମାଇଟର ସମସ୍ତ ଉତ୍ପାଦନ ଓଡିଶାରେ ହୋଇଥିଲା। ଦେଶର ୫୫ ପ୍ରତିଶତ ଲୁହାପଥର ମଧ୍ୟ ଓଡ଼ିଶାରେ ଉତ୍ପାଦନ କରାଯାଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୧୮-୧୯ ରେ ରାଜ୍ୟରେ ୮୬ କୋଟି ଟଙ୍କା ମୂଲ୍ୟର ଲଘୁ ଖଣିଜ ପଦାର୍ଥ ଉତ୍ପାଦନ ହୋଇଥିଲା। ୨୦୧୫-୧୬ ରୁ ୨୦୧୮-୧୯ ପର୍ଯ୍ୟନ୍ତ ଓଡ଼ିଶା ୧୭, ୨୩, ୧୯୭ ଲକ୍ଷ ଟଙ୍କା ହାସଲ କରିଛି। ଦେଶରେ ଥିବା ୨୨ଟି ଖଣିଜ ସମ୍ପଦ ଭିତ୍ତିକ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ସର୍ବାଧିକ ଖଣିଜ ରୟାଲ୍ଟି ପାଇଛି।
ଡିସେମ୍ବର ୩୧, ୨୦୧୯ ସୁଦ୍ଧା ଓଡିଶାରେ ଏମ୍ଏମ୍ଡିଆର ସଂଶୋଧନ ଆଇନ ୨୦୧୫ ଅନ୍ତର୍ଗତ ୭୬ଟି ମିନେରାଲ ବ୍ଲକ୍ର ଆକ୍ସନ ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି। ରାଜ୍ୟରେ ଜାନୁଆରିରୁ ନଭେମ୍ବର ୨୦୧୯ ମଧ୍ୟରେ ଗୋଟିଏ ମାଇନିଂ ପ୍ଳାନ୍କୁ ଅନୁମୋଦନ କରାଯାଇଥିବା ବେଳେ ଗୋଟିଏ ମାଇନିଂ ପ୍ଳାନକୁ ଅନୁମୋଦନ ପ୍ରଦାନ କରାଯାଇ ନଥିଲା। ସମୀକ୍ଷା କରାଯାଇ ୧୮ଟି ମାଇନିଂ ପ୍ଲାନକୁ ଅନୁମୋଦନ ଦିଆଯାଇଥିବା ବେଳେ ୧୫ଟିକୁ ସ୍ବୀକୃତି ପ୍ରଦାନ କରାଯାଇନଥିଲା ବୋଲି ରିପୋର୍ଟରେ କୁହାଯାଇଛି।