ନୂଆଦିଲ୍ଲୀ: ଗତକାଲି ବଜେଟ୍‌ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଦେଶର ୧୦ କୋଟି ପରିବାର ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ଯୋଜନାର ନାମ ରହିଛି ‘ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା’। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ହେଲେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଖର୍ଚ କରିବାକୁ ପଡ଼ିବ। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବର୍ଷକୁ ୧୧ ହଜାର କୋଟି ଟଙ୍କା ଦରକାର ପଡ଼ିବ। ଚଳିତ ବର୍ଷ ଅକ୍ଟୋବର ୨ ତାରିଖରୁ ଏହି ଯୋଜନା ଆରମ୍ଭ କରାଯିବ। ଏହାକୁ କ୍ୟାସ୍‌ଲେସ୍‌ ସ୍କିମ୍‌ ଭାବେ ଲାଗୁ କରାଯିବାର ସମ୍ଭାବନା ରହିଛି। ଲୋକମାନେ ଉଭୟ ସରକାରୀ ଏବଂ ଘରୋଇ ହସ୍‌ପିଟାଲ୍‌ଗୁଡ଼ିକରେ ଚିକିତ୍ସା କରାଇପାରିବେ। ଯେଉଁ ସ୍ଥାନରେ କେବଳ ସରକାରୀ ହସ୍‌ପିଟାଲ୍‌ ରହିଛି ସେଠାରେ ଲୋକମାନେ ସେହି ହସ୍‌ପିଟାଲ୍‌ରେ ନିଜର ଚିକିତ୍ସା କରାଇବେ। ଯେଉଁ ସ୍ଥାନରେ ଉଭୟ ସରକାରୀ ଏବଂ ଘରୋଇ ହସ୍‌ପିଟାଲ୍‌ ରହିଛି ଲୋକମାନେ ନିଜ ପସନ୍ଦର ହସ୍‌ପିଟାଲ୍‌ରେ ଚିକିତ୍ସା ସୁବିଧା ହାସଲ କରିପାରିବେ। ଯେହେତୁ ଏହି ସ୍କିମ୍‌କୁ କ୍ୟାସ୍‌ଲେସ୍‌ ରୂପେ ଲାଗୁ କରାଯିବ ତେଣୁ ମେଡିକାଲ୍‌ରେ ଭର୍ତି ହେବା ବେଳେ ଲୋକମାନଙ୍କୁ ବିଶେଷ କିଛି ଖର୍ଚ କରିବାକୁ ପଡ଼ିବ ନାହିଁ।
ସରକାର ଘୋଷଣା କରିଛନ୍ତି ଯେ ଏହା ହେବ ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟ ସେବା ଯୋଜନା। ଆମେରିକାର ଓବାମାକେୟାର ଭଳି ଏହି ଯୋଜନାର ନାମ ମୋଦିକେୟାର ଦେବା ଉପରେ ମଧ୍ୟ ବିଚାର କରାଯାଉଥିବା ଜଣାପଡ଼ିଛି। କିନ୍ତୁ ନାମକୁ ଏପର୍ଯ୍ୟନ୍ତ କୌଣସି ନିର୍ଦିଷ୍ଟ ନିଷ୍ପତ୍ତି ନିଆଯାଇନାହିଁ। ଚଳିତ ବର୍ଷ ବଜେଟ୍‌ରେ ଏହି ଯୋଜନା ପାଇଁ ୨୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଯୋଜନା କାର୍ଯ୍ୟକାରୀ ହେବା ପରେ ବଳକା ଅର୍ଥ ଯୋଗାଡ଼ କରାଯିବ। ଏଥିରେ ରାଜ୍ୟଗୁଡ଼ିକର ମଧ୍ୟ ଖର୍ଚ ଭାଗ ରହିବ। ବୀମା ସୁରକ୍ଷା ପାଇଁ ଯେଉଁ ପ୍ରିମିୟମ୍‌ ପ୍ରଦାନ କରାଯିବ ତାହାର କିଛି ଭାଗ କେନ୍ଦ୍ର ସରକାର ଓ ବଳକା ଅର୍ଥ ରାଜ୍ୟ ସରକାର ବହନ କରିବେ। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସରକାର ଲୋକମାନଙ୍କୁ ଏବେ ୩୦ ହଜାର ଟଙ୍କାର ବୀମା ସୁବିଧା ପ୍ରଦାନ କରୁଛନ୍ତି। ପାଞ୍ଚ ଲକ୍ଷ ଟଙ୍କାର ବୀମା ସୁବିଧା ଲାଗୁ ହେଲେ ବୀମାରାଶି ପରିମାଣ ୧୫୦୦% ବଢ଼ିଯିବ। ପାଞ୍ଚ ଲକ୍ଷ ଟଙ୍କାର ବୀମା ପାଇଁ ପ୍ରତି ପରିବାର ପିଛା ବର୍ଷକୁ ୧୧୦୦ ଟଙ୍କା ଖର୍ଚ ହେବ। ନିତି ଆୟୋଗ ପକ୍ଷରୁ ଟ୍ଵିଟ୍‌ କରି କୁହାଯାଇଛି ଯେ ପରିବାର ସଦସ୍ୟ ସଂଖ୍ୟା ଯେତେ ଅଧିକ ଥିଲେ ମଧ୍ୟ ସବୁ ସଦସ୍ୟଙ୍କୁ ବୀମା ସୁବିଧା ମିଳିପାରିବ। ଯଦିଓ ଏହି ବୀମା ଯୋଜନା ଏକ ମହତ୍ୱକାଂକ୍ଷୀ ଯୋଜନା କିନ୍ତୁ ମାତ୍ର ୨ ହଜାର କୋଟି ଟଙ୍କାର ବ୍ୟୟବରାଦରେ ଏତେ ବଡ଼ ଯୋଜନା କିଭଳି କାର୍ଯ୍ୟକାରୀ ହେବ ତାହାକୁ ନେଇ ବିଶେଷଜ୍ଞମାନେ ସନ୍ଦେହ ପ୍ରକଟ କରିଛନ୍ତି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ପ୍ରସ୍ତାବିତ ବୀମା ଯୋଜନା ପାଇଁ ବର୍ଷକୁ ଯେଉଁ ୧୧ ହଜାର କୋଟି ଟଙ୍କା ଖର୍ଚ ହେବ, ସେଥି ମଧ୍ୟରୁ ୭ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ବହନ କରିବେ ଏବଂ ବଳକା ୪ ହଜାର କୋଟି ଟଙ୍କା ରାଜ୍ୟ ସରକାର ଦେବେ। ଆଗାମୀ ଦିନରେ ଏହି ଯୋଜନା ଉପରେ ସରକାର ଆହୁରି କାମ କରିବେ ଏବଂ ଆଉ ୫ ହଜାର କୋଟି ଟଙ୍କା ଏଥିପାଇଁ ଆବଣ୍ଟନ କରିବେ ବୋଲି ଅଧିକାରୀ ଜଣକ କହିଛନ୍ତି।

Advertisment

ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଚଳିତ ବର୍ଷ ବଜେଟ୍‌ରେ ଅନେକ ଘୋଷଣା କରାଯାଇଥିଲେ ମଧ୍ୟ ମୋଟ ସ୍ୱାସ୍ଥ୍ୟ ଖର୍ଚର ଜିଡିପି ପ୍ରତି ଅବଦାନ ମାତ୍ର ୧% ପାଖାପାଖି ରହିଛି ଯାହା ଅନ୍ୟ ଦେଶଗୁଡ଼ିକ ତୁଳନାରେ ବହୁତ କମ୍‌। ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବ୍ୟୟବରାଦ ପରିମାଣ ୫୬,୨୨୬ କୋଟି ଟଙ୍କା ରହିଛି ଯାହା ଗତବର୍ଷ ତୁଳନାରେ ୧୨% ଅଧିକ।

ଉଲ୍ଲେଖଯୋଗ୍ୟ, ଭାରତର ମୁଣ୍ଡପିଛା ସ୍ୱାସ୍ଥ୍ୟ ପରିମାଣ ହେଉଛି ମାତ୍ର ୨୬୭ ଡଲାର ଯାହା ବିଶ୍ୱ ହାର ୧୨୭୧ ଡଲାରଠାରୁ ବହୁତ କମ୍‌। ମୁଣ୍ଡପିଛା ସ୍ୱାସ୍ଥ୍ୟ ଖର୍ଚରେ ଇଣ୍ଡୋନେସିଆ ଏବଂ କେତେକ ଆଫ୍ରିକୀୟ ରାଷ୍ଟ୍ରଠାରୁ ମଧ୍ୟ ପଛରେ ରହିଛି।

ଯୋଜନା କିଭଳି ଲାଗୁ ହେବ
ଏହି ସ୍କିମ୍‌ ଅଧୀନରେ ଏକ ଜାତୀୟ ସ୍ତରର ସ୍ୱାସ୍ଥ୍ୟ ଏଜେନ୍ସି ଗଠନ କରାଯିବ। ରାଜ୍ୟ ସ୍ତରରେ ସ୍କିମ୍‌ର କାର୍ଯ୍ୟକାରିତାକୁ ଏହି ଏଜେନ୍ସି ତଦାରଖ କରିବ। ସ୍କିମ୍‌ର ହିତାଧିକାରୀମାନଙ୍କୁ ୨୦୧୧ର ସାମାଜିକ-ଅର୍ଥନୈତିକ ଜାତିଗଣ ଜନଗଣନା ହିସାବରେ ଚିହ୍ନଟ କରାଯିବ।
ନଗଦବିହୀନ ରହିବ
ବୀମା ଯୋଜନାରେ କ୍ୟାସ୍‌ଲେସ୍‌ ବା ନଗଦ ବିହୀନ ସୁବିଧା ମିଳିବ। ଏହି ଯୋଜନାକୁ ଟ୍ରଷ୍ଟ୍‍ କିମ୍ବା ବୀମା ମଡେଲ୍‌ ଆଧାରରେ କାର୍ଯ୍ୟକାରୀ କରାଯିବ। ରିମ୍ବର୍ସ ମଡେଲ୍‌ରେ ଏହାକୁ କାର୍ଯ୍ୟକାରୀ କରାଯିବ ନାହିଁ। କାରଣ ଏହି ମଡେଲ୍‌ରେ ବହୁ ଅସୁବିଧା ହୁଏ ବୋଲି ସମସ୍ତେ ଜାଣନ୍ତି। ସେଥିପାଇଁ କ୍ୟାସଲେସ୍‌ ମଡେଲ୍‌ରେ ହିଁ ଏହାକୁ କାର୍ଯ୍ୟକାରୀ କରାଯିବ।
ନିତି ଆୟୋଗର ପରିକଳ୍ପନା
ବୀମା ସୁରକ୍ଷା ହେଉଛି ନିିତି ଆୟୋଗର ପରିକଳ୍ପନା। ଦେଶରେ ଥିବା ସମସ୍ତ ପରିବାର ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସ୍କିମ୍‌ ଆଣିବା ପାଇଁ ନିତି ଆୟୋଗ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌୍‌ଲିଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଆରମ୍ଭରୁ ୨୫ କୋଟି ପରିବାର ପାଇଁ ଏହି ଯୋଜନା ଲାଗୁ କରିବା ସମ୍ଭବପର ମନେ ନହେବାରୁ ପ୍ରଥମେ ୧୦ କୋଟି ପରିବାରଠାରୁ ଏହାକୁ ଆରମ୍ଭ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।
ପାଣ୍ଠି ଯୋଗାଡ଼ ସମସ୍ୟା ନୁହେଁ:ମନ୍ତ୍ରୀ
ରାଷ୍ଟ୍ରୀୟ ସ୍ୱାଥ୍ୟ ସୁରକ୍ଷା ଯୋଜନା ପାଇଁ ପାଣ୍ଠି ଯୋଗାଡ଼ କରିବା ଏକ ସମସ୍ୟା ନୁହେଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଏହି ସ୍କିମ୍‌ ପାଇଁ ପାଣ୍ଠି ସମସ୍ୟା ରହିବ ନାହିଁ ବୋଲି କହିବା ସହିତ ସେ ଜଣାଇଛନ୍ତି ଯେ କିଭଳି ଭାବେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ତାହାର ପ୍ରତିଟି ବିଷୟ ଉପରେ କାମ ଜାରି ରହିଛି। ଖୁବ୍‌ଶୀଘ୍ର ଏହି ଯୋଜନାର ରୂପରେଖ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।