ହିଂସା ବିଗାଡ଼ୁଛି ଅର୍ଥନୀତି: ବର୍ଷକୁ କ୍ଷତି ୮୦ ଲକ୍ଷ କୋଟି ଟଙ୍କା

ମୁଣ୍ଡପିଛା କ୍ଷତି ୪୦ ହଜାର ଟଙ୍କା

ନୂଆଦିଲ୍ଲୀ: ଭାରତ ଏବଂ ବିଶ୍ୱର ଅର୍ଥ ବ୍ୟବସ୍ଥା ପାଇଁ ହିଂସା କେବଳ ଏକ ବଡ଼ ସମସ୍ୟା ନୁହେଁ ଅର୍ଥନୀତି ପାଇଁ ମଧ୍ୟ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ୨୦୧୭ରେ ହିଂସା ଯୋଗୁଁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୧୧୯୦.୫୧ ବିଲିଅନ ଆମେରିକୀୟ ଡଲାର ବା ପ୍ରାୟ ୮୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି କ୍ଷତି ସହିବାକୁ ପଡ଼ିଛି। ଭାରତର ମୋଟ ଘରୋଇ ଉତ୍ପାଦ ବା ଜିଡିପିର ୯ ପ୍ରତିଶତ ହିଂସା ପାଇଁ ହରାଇବାକୁ ପଡ଼ିଛି। ସେହିଭଳି ଭାରତୀୟଙ୍କ ମୁଣ୍ଡପିଛା କ୍ଷତି ହୋଇଛି ୫୯୫.୪ ଡଲାର ବା ୪୦ ହଜାର ଟଙ୍କାରୁ ଅଧିକ। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇକୋନୋମିକ୍ସ ଆଣ୍ଡ୍‌ ପିସ୍‌ (ଆଇଇପି) ନାମକ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହା ଜଣାଯାଇଛି। ସେହିଭଳି ହିଂସା ଯୋଗୁଁ ବିଶ୍ୱ ଅର୍ଥନୀତିକୁ ଗତ ବର୍ଷ ୧୪.୭୬ ଟ୍ରିଲିଅନ୍‌ ଆମେରିକୀୟ ଡଲାରର କ୍ଷତି ହୋଇଛି। ବିଶ୍ୱ ଜିଡିପିର ଏହା ୧୨.୪ ପ୍ରତିଶତ ବା ବିଶ୍ୱସ୍ତରରେ ଏହା ମୁଣ୍ଡ ପିଛା ୧୯୮୮ ଡଲାର ରହିଛି।

ହିଂସାଜନତି କ୍ଷତି କହିଲେ କାହାକୁ ବୁଝାଯିବ ସେ ସମ୍ପର୍କରେ ମଧ୍ୟ ଏଥିରେ ସଂଜ୍ଞା ନିରୂପଣ କରାଯାଇଛି। ମୁଖ୍ୟତଃ ହିଂସାକୁ ରୋକିବା ଏବଂ ହିଂସାଜନିତ ପରିଣାମକୁ ଏହି କ୍ଷତିରେ ସାମିଲ କରାଯାଇଛି। ଏତଦ୍‌ବ୍ୟତୀତ ହିଂସାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ମୂଲ୍ୟ ସହିତ ହିଂସାକୁ ଏଡ଼ାଯାଇ ପାରିଥିଲେ ଖର୍ଚ୍ଚ ହୋଇଥିବା ରାଶିରୁ ଯେଉଁ ବହୁଗୁଣ ଲାଭ ମିଳିଥାନ୍ତା ତାହାକୁ ଏଥିରେ ବିଚାରକୁ ନିଆଯାଇଛି। ଅର୍ଥନୀତିର ପରିଭାଷାରେ ଏହାକୁ ଇକୋନୋମିକ ମଲ୍ଟିପ୍ଲାୟର କୁହାଯାଇଥାଏ। ବିଶ୍ୱର ୧୬୩ଟି ଦେଶ ଏବଂ ଅଞ୍ଚଳକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟ ଅନୁଯାୟୀ ମଣିଷ ଘରେ, କାର୍ଯ୍ୟସ୍ଥଳୀରେ, ସାଙ୍ଗସାଥୀଙ୍କ ମେଳରେ ବା ବର୍ଣ୍ଣ, ଧର୍ମ ଏବଂ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ଶିକାର ହେଉଛି। କିନ୍ତୁ ଏସବୁ ସଂଘର୍ଷ ହିଂସାର ରୂପ ନେଉନାହିଁ।
୨୦୧୬ ତୁଳନାରେ ୨୦୧୭ରେ ବିଶ୍ୱରେ ହିଂସାଜନିତ କ୍ଷତି ୨.୧ ପ୍ରତିଶତ ବୃଦ୍ଧି ଘଟିଛି। ମୁଖ୍ୟତଃ ଆଭ୍ୟନ୍ତରୀଣ ନିରାପତ୍ତା ଖର୍ଚ୍ଚ ବୃଦ୍ଧି ପାଇଁ ଏହା ହୋଇଛି। ଦେଶଗୁଡ଼ିକ ମଧ୍ୟରେ ସିରିଆ ସର୍ବାଧିକ ହିଂସାଜନିତ କ୍ଷତି ସହିଛି। ସିରିଆ ଜିଡିପିର ୬୮ ପ୍ରତିଶତ କ୍ଷତି ହୋଇଥିବାବେଳେ ଏହା ପଛକୁ ଆଫାଗାନିସ୍ତାନ ( ୬୩%), ଇରାକ୍‌ (୫୧%) ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ଏଲ ସାଲଭାଡୋର, ଦକ୍ଷିଣ ସୁଦାନ, କେନ୍ଦ୍ରୀୟ ଆଫିି୍ରକାନ ରିପବ୍ଲିକ୍‌, ସାଇପ୍ରସ, କଲମ୍ବିଆ, ଲେସୋଥୋ ଏବଂ ସୋମାଲିଆ ରହିଛନ୍ତି। ଅପେକ୍ଷାକୃତ ଅଧିକ ଶାନ୍ତି ରହୁଥିବା ଦେଶ ଗୁଡ଼ିକର ଲୋକଙ୍କ ମୁଣ୍ଡ ପିଛା ଜିଡିପି ବୃଦ୍ଧି ବାର୍ଷିକ ୨.୮ ପ୍ରତିଶତ ହାରରେ ବୃଦ୍ଧି ଘଟୁଥିବାବେଳେ କମ୍‌ ଶାନ୍ତି ରହୁଥିବା ଦେଶଗୁଡ଼ିକର ମୁଣ୍ଡପିଛା ଜିଡିପି ଅଭିବୃଦ୍ଧି ହାର ମାତ୍ର ୧ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ହିଂସାଯୋଗୁ ସବୁଠୁ କମ୍‌ କ୍ଷତି ସହିଥିବା ଦେଶ ଗୁଡ଼ିକ ମଧ୍ୟରେ ସ୍ୱିଜରଲାଣ୍ଡ ଶୀର୍ଷରେ ରହିଥିବାବେଳେ ଏହା ପଛକୁ ଇଣ୍ଡୋନେସିଆ ଏବଂ ବୁର୍କିନା ଫାସୋ ରହିଛନ୍ତି। ଚୀନ୍‌ ଅର୍ଥନୀତିକୁ ୧୭୦୫ ବିଲିଅନ ଡଲାରର ହିଂସାଜନିତ କ୍ଷତି ବୋଝ ପଡ଼ିଥିବାବେଳେ ବ୍ରାଜିଲକୁ ୫୧୧୩୬୫ ନିୟୁତ ଡଲାର, ରୁଷିଆକୁ ୧୦୧୪ ବିଲିଅନ ଡଲାର କ୍ଷତି ସହିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର