ଭୁବନେଶ୍ବର: ରାଜ୍ୟରେ ପିଆଜ ଦର ହୁ ହୁ ହୋଇ ବଢ଼ିଚାଲିଛି। ଗତ କିଛି ଦିନ ଭିତରେ ଏହା ଦୁଇଗୁଣା ହୋଇଯାଇଛି। ୫୦ ଟଙ୍କାରୁ ଅଧିକ ମୂଲ୍ୟରେ ଅନେକ ସ୍ଥାନରେ ପିଆଜ ବିକ୍ରି ହେଉଛି। କିଛି ସ୍ଥାନରେ ଏହା ୬୦ ଟଙ୍କାରୁ ଅଧିକ ବି ହେଲାଣି। ପିଆଜ ମୂଲ୍ୟରେ ଏଭଳି ବୃଦ୍ଧି ସାଧାରଣ ଖାଉଟିକୁ ଚିନ୍ତାରେ ପକାଇଛି। ଅନ୍ୟାନ୍ୟ ପରିବା ଦରବୃଦ୍ଧି ଭିତରେ ପିଆଜ ହଠାତ୍ ବଢ଼ିଯିବା ଦ୍ବାରା ଗ୍ରାହକମାନେ ଅସୁବିଧାରେ ପଡ଼ିଛନ୍ତି। ନାସିକ୍‌ରେ ପିଆଜ ମୂଲ୍ୟ ବଢ଼ିଥିବାରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଥିବା କୁହାଯାଉଛି।

Advertisment

ଖୁଚୁରା ବଜାର ଉପରେ ଦର ନିୟନ୍ତ୍ରଣ ବ୍ୟବସ୍ଥା କିଛି ନଥିବାରୁ ଖୁଚୁରା ବଜାରରେ ଦରରେ ଏଭଳି ଭିନ୍ନତା ରହୁଛି। ଦୋକାନୀ ମନଇଚ୍ଛା ବ୍ୟବସାୟ କରୁଛନ୍ତି ବୋଲି ବିଶେଷଜ୍ଞ କହିଛନ୍ତି। ନଭେମ୍ବର ମାସରେ ନୂଆ ପିଆଜ ଆସିଲେ ଦରବୃଦ୍ଧିରୁ ଆଶ୍ବସ୍ତି ମିଳିବ ବୋଲି ସେମାନେ ମତ ଦେଇଛନ୍ତି। ଓଡ଼ିଶା କୁବେରପୁରୀ ବ୍ୟବସାୟୀ ସଂଘର ସଂପାଦକ ଶକ୍ତିଶଙ୍କର ମିଶ୍ରଙ୍କ କହିବାନୁଯାୟୀ, ପିଆଜ ଦାମ ଗତ କିଛିଦିନ ମଧ୍ୟରେ ବଢ଼ିଯାଇଛି। ଭଲ କିସମ ପିଆଜ ଏବେ ପାଇକାରୀ ବଜାରରେ କିଲୋଗ୍ରାମ ପିଛା ୪୮ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଆସନ୍ତା ଦୀପାବଳି ବେଳକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି ସେ ମତ ଦେଇଛନ୍ତି। ଭୁବନେଶ୍ବରକୁ ଦିନକୁ ୧୫୦ ଟନରୁ ୨୦୦ ଟନ ପିଆଜ ଆସୁଛି। ଯୋଗାଣରେ କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।

ସେହିଭଳି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ରାଜ୍ୟକୁ ମୁଖ୍ୟତଃ ପିଆଜ ପାଇଁ ଏବେ ନାସିକ ବଜାର ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଗାମୀ ଦିନରେ କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶରୁ ପିଆଜ ଆସିଲେ ଦର ସ୍ବାଭାବିକ ହେବ। ତେଣୁ ଏଥିପାଇଁ ମାସେ ପାଖାପାଖି ସମୟ ଲାଗିବ ବୋଲି ସେ ମତ ଦେଇଛନ୍ତି। ତେବେ ପାଇକାରୀ ବଜାରରୁ ଖୁଚୁରା ବଜାରକୁ ପିଆଜ ଆସିବା ଭିତରେ କେଉଁ ସ୍ଥାନରେ ଦର କେତେ ରହୁଛି ତାହା ସ୍ପଷ୍ଟ ହେଉନାହିଁ। କିଏ କେତେ ମୂଲ୍ୟରେ କିଣିଲା ଏବଂ କେତେ ମୂଲ୍ୟରେ ବିକିଲା ତାହାର ତଦାରଖ ବ୍ୟବସ୍ଥା ବି ନାହିଁ। ମୂଲ୍ୟ ନିୟନ୍ତ୍ରଣ ବ୍ୟବସ୍ଥାକୁ କଡ଼ାକଡ଼ି କରାଗଲେ ଦାମ୍‌ ଅପେକ୍ଷାକୃତ ଭାବେ କମ୍‌ ରୁହନ୍ତା ବୋଲି ବଜାର ବିଶ୍ଳେଷକମାନେ ମତ ଦେଇଛନ୍ତି। ‌