ଆମେରିକାରେ ଆଉ ୨୦.୫ ନିୟୁତ ଲୋକ ବେକାର

ୱାସିଂଟନ: ଗତ ଏପ୍ରିଲ୍‌ରେ କରୋନା ଭୂତାଣୁ ପ୍ରଭାବରେ ଆମେରିକାରେ ୨୦.୫ ନିୟୁତ ଲୋକ ଜୀବିକା ହରାଇ ବେକାର ହୋଇଛନ୍ତି। ଗତ ଦଶନ୍ଧୀ ଭିତରେ ଦେଶରେ ଯେତିକି ନିଯୁକ୍ତି ସୃଷ୍ଟି ହୋଇଥିଲା ସେହି ସଂଖ୍ୟା ଚାକିରି ଚାଲିଯାଇଥିବା ଜଣାପଡ଼ିଛି। ଫଳରେ ଆମେରିକାର ବେକାରି ହାର ୧୪.୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୦୯ର ବିଶ୍ବ ଅର୍ଥନୈତିକ ସଙ୍କଟ ପରେ ଏହା ଆମେରିକାର ସର୍ବୋଚ୍ଚ ବେକାରି ହାର। ଗତ ମାର୍ଚ୍ଚରେ ସେଠାରେ ୮୭୦,୦୦୦ ଲୋକ ଜୀବିକା ହରାଇଥିଲେ। ଆମେରିକାରେ ବେକାରି ହାର ୧୯୪୮ରେ ସର୍ବୋଚ୍ଚ ସ୍ତରରେ ଥିଲା। ଏହା ପରେ ତାହା ଦ୍ରୁତ ଗତିରେ ହ୍ରାସ ପାଇଥିଲା। ୧୯୩୯ ପରେ ଆମେରିକାରେ ପ୍ରଥମ ଥର ଲାଗି ଅଣ କୃଷି କ୍ଷେତ୍ରରେ ଏତେ ଅଧିକ ବେକାର ସୃଷ୍ଟି ହୋଇଛନ୍ତି। ଶିଳ୍ପ କ୍ଷେତ୍ରରେ ଅଧିକ ନିଯୁକ୍ତି ହ୍ରାସ ଘଟିଛି। ବିଳାସବ୍ୟସନ ଓ ଆତିଥେୟତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ତେବେ ଆମେରିକାର ଶ୍ରମ ବିଭାଗ ଜଣାଇଛି ଯେ ଅନେକ କର୍ମଚାରୀ ଛଟେଇ ହୋଇଥିଲେ ମଧ୍ୟ ଚାକିରିରେ ଥିବା ଦର୍ଶାଇଛନ୍ତି। ଯଦି ସଠିକ୍ ତଥ୍ୟ ମିଳିବ ତେବେ ବେକାରି ହାର ଆଉ ୫ ପ୍ରତିଶତ ଅଧିକ ହେବ।

ସମ୍ବନ୍ଧିତ ଖବର