ଅନିଲ ଅମ୍ବାନିଙ୍କୁ ଆଉ ଏକ ଧକ୍କା, ୧୨୦୦ କୋଟି ଅସୁଲ କରିବ ଷ୍ଟେଟ୍‌ ବ୍ୟାଙ୍କ

ମୁମ୍ବାଇ: ଦେଶର ସର୍ବବୃହତ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସାନ ଭାଇ ତଥା ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନିଙ୍କ ସଙ୍କଟ କମ ହେବା ବଦଳରେ ବଢ଼ିବାରେ ଲାଗିଛି। ଋଣ ସଙ୍କଟରେ ଫସିଯାଇଥିବା ଅନିଲ ଇତିମଧ୍ୟରେ ଅନେକ ସଂସ୍ଥା ବିକ୍ରି ଓ ବନ୍ଦ କରିସାରିଲେଣି। କିନ୍ତୁ ଋଣ ଜାଲରୁ ସେ ଏପର୍ଯ୍ୟନ୍ତ ମୁକୁଳିପାରୁନାହାନ୍ତି। ତାଙ୍କ ଠାରୁ ୧୨୦୦ କୋଟି ଟଙ୍କାର ବ୍ୟକ୍ତିଗତ ଗ୍ୟାରେଣ୍ଟି ବାବଦ ରାଶି ଅସୁଲ କରିବା ଲାଗି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଉଦ୍ୟମ ଆରମ୍ଭ କରିଛି। ବ୍ୟାଙ୍କ ପକ୍ଷରୁ ନ୍ୟାସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ରେ ଏନେଇ ଆବେଦନ କରାଯାଇଛି। ରିଲାଏନ୍ସ କମ୍ୟୁନିକେସନ୍ସ ଓ ରିଲାଏନ୍ସ ଇନଫ୍ରାଟେଲ୍‌ ପାଇଁ ଋଣ ଯୋଗାଡ଼ କରିବା ବେଳେ ଅନିଲ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ। ସପ୍ତାହକ ଭିତରେ ଏହି ମାମଲାରେ ଉତ୍ତର ରଖିବା ଲାଗି ତାଙ୍କୁ ଏନ୍‌ସିଏଲ୍‌ଟି ପକ୍ଷରୁ କୁହାଯାଇଛି।

ଅନିଲ ଅମ୍ବାନିଙ୍କ ପ୍ରବକ୍ତା ଜଣାଇଛନ୍ତି ଯେ, ଯେଉଁ ଋଣକୁ ନେଇ ଚର୍ଚ୍ଚା ଚାଲିଛି ତାହା ରିଲାଏନ୍ସ କମ୍ୟୁନିକେସନ୍ସ ଓ ରିଲାଏନ୍ସ ଇନଫ୍ରାଟେଲ୍‌ ନେଇଥିବା ଋଣ। ଅନିଲ ବ୍ୟକ୍ତିଗତ ଭାବେ ଋଣ ନେଇନାହାନ୍ତି। ଏହି ଦୁଇ କଂପାନିର ଋଣ ସମାଧାନ ଯୋଜନାକୁ ଗତ ମାର୍ଚ୍ଚରେ ବ୍ୟାଙ୍କଗୁଡ଼ିକ ମଞ୍ଜୁର କରିଥିଲେ। ତାହା ଏବେ ଏନ୍‌ସିଏଲ୍‌ଟିର ଅନୁମୋଦନ ଅପେକ୍ଷାରେ ରହିଛି ବୋଲି ସେ କହିଛନ୍ତି। ନିଜ କଂପାନି ଲାଗି ଋଣ ଯୋଗାଡ଼ କରିବା ବେଳେ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇ ଅନିଲ ଦ୍ବିତୀୟ ଥର ପାଇଁ ଫସିଛନ୍ତି। ଏହା ପୂର୍ବରୁ ଚୀନ୍‌ର ତିନିଟି ବ୍ୟାଙ୍କ ଠାରୁ ଋଣ ଆଣିବା ବେଳେ ସେ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ। ସେହି ଋଣ ରାଶି ନଫେରିବା ପରେ ଚୀନ୍‌ର ବ୍ୟାଙ୍କଗୁଡ଼ିକ ବ୍ରିଟେନ୍‌ ଅଦାଲତରେ ମାମଲା ଦାୟର କରିଥିଲେ। ଉକ୍ତ ମାମଲା ଅନିଲଙ୍କ ବିପକ୍ଷରେ ଯାଇଥିଲା। ଚୀନ୍‌ ବ୍ୟାଙ୍କଗୁଡ଼ିକର ଋଣ ଅର୍ଥ ତୁରନ୍ତ ଫେରସ୍ତ କରିବା ଲାଗି କୋର୍ଟ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର