ନୂଆଦିଲ୍ଲୀ: ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ୍‌ରେ ପୁଣି ତ୍ରୁଟି ଦେଖାଦେଇଛି। ତାହାକୁ ଶୀଘ୍ର ସଜାଡ଼ିବା ଲାଗି ସରକାର ସଫ୍‌ଟଓୟାର ସେବା ପ୍ରଦାନକାରୀ ସଂସ୍ଥା ଇନ୍‌ଫୋସିସ୍‌କୁ ନିର୍ଦେଶ ଦେଇଛନ୍ତି। ବହୁ ବ୍ୟବହାରକାରୀ ଇ-ଫାଇଲିଂ ପୋର୍ଟାଲ୍‌ରେ କାମ କରିବାରେ ଅସୁବିଧା ସାମ୍ନା କରିବା ପରେ ସେ ବିଷୟରେ ଜଣାଇଥିଲେ। ପୋର୍ଟାଲ୍ ହ୍ୟାକ୍ ହୋଇଥିବା ପ୍ରଥମେ ସନ୍ଦେହ କରାଯାଇଥିଲା। ସେହି ଆଶଙ୍କାକୁ ସରକାର ଖଣ୍ଡନ କରିଛନ୍ତି। ଆୟକର ଇ-ଫାଇଲିଂ ପୋର୍ଟାଲ୍ ହ୍ୟାକ୍ ହୋଇନାହିଁ। ସେଥିରେ ଯେଉଁ ତ୍ରୁଟି ଦେଖାଦେଇଛି ତାହାକୁ ସଜାଡ଼ିବାକୁ ଇନ୍‌ଫୋସିସ୍‌କୁ କୁହାଯାଇଥିବା ସରକାର ଜଣାଇଛନ୍ତି।

Advertisment

ଏହି ପୋର୍ଟାଲ୍ ଆରମ୍ଭ ହେବା ପରଠାରୁ ବୈଷୟିକ ତ୍ରୁଟି ପାଇଁ ବିବାଦରେ ରହିଛି। ଇନ୍‌ଫୋସିସ୍‌ର ବରିଷ୍ଠ ଅଧିକାରୀମାନଙ୍କ ଏକ ଟିମ୍‌ କାର୍ଯ୍ୟ କରିବା ପରେ ତାହାର ସମାଧାନ ହୋଇଥିଲା। ଏଥର ପୋର୍ଟାଲ୍‌ର ସର୍ଚ ବ୍ୟବସ୍ଥାରେ ତ୍ରୁଟି ଦେଖିବାକୁ ମିଳିଛି। ଏହା ଜାଣିବା ପରେ ଆୟକର ବିଭାଗ ଇନ୍‌ଫୋସିସ୍‌କୁ ଯୋଗାଯୋଗ କରିଥିଲା। ଘଟଣାର ଶୀଘ୍ର ସମାଧାନ କରିବାକୁ ଅଗ୍ରାଧିକାର ଭିତ୍ତି‌ରେ କାମ ହେଉଛି ବୋଲି ଇନ୍‌ଫୋସିସ୍‌ ପକ୍ଷରୁ କୁହାଯାଇଛି। ଅର୍ଥ ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟ କରିଛି ଯେ ପୋର୍ଟାଲ୍‌ର କୌଣସି ତଥ୍ୟ ହେରଫେର ହୋଇନାହିଁ। ସଂଯୋଗର ବିଷୟ ହେଉଛି ମଙ୍ଗଳବାର ହେଉଛି ଏହି ପୋର୍ଟାଲ୍‌ର ପ୍ରଥମ ବାର୍ଷିକୀ। ଗତବର୍ଷ ପୋର୍ଟାଲ୍‌ରେ ବହୁବାର ତ୍ରୁଟି ଦେଖାଦେବାରୁ ସରକାର ଆୟକର ରିଟର୍ଣ୍ଣ ଓ ତତ୍‌ ସମ୍ପର୍କିତ ଫର୍ମ ଦାଖଲ ସମୟ ସୀମା ବଢ଼ାଇବାକୁ ବାଧ୍ୟ ହୋଇଥିଲେ।