ଚୀନ୍‌କୁ ଆଉ ଏକ ଶକ୍ତ ଝଟ୍‌କା, ସହଜରେ ବିକିପାରିବନି ୫ଜି ଉପକରଣ

ଭାରତୀୟ କଂପାନି କିଣିବା ପୂର୍ବରୁ ନେବେ ଅନୁମତି

ନୂଆଦିଲ୍ଲୀ: ଟେଲିକମ୍ ସେବା ପ୍ରଦାନ କରୁଥିବା କଂପାନିଗୁଡ଼ିକ ନିଜ ପସନ୍ଦ ଅନୁସାରେ ଯେକୌଣସି କଂପାନି ଠାରୁ ଉପକରଣ ଆଣିପାରିବେ ନାହିଁ। ଜାତୀୟ ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରକୁ ଦୃଷ୍ଟିରେ ରଖି ଟେଲିକମ୍ ବିଭାଗ ପକ୍ଷରୁ ଟେଲିକମ୍ ଲାଇସେନ୍ସ ସର୍ତ୍ତରେ ସଂଶୋଧନ କରାଯାଇଛି। ଟେଲିକମ୍ ଉପକରଣ ଉପରେ ଅତିରିକ୍ତ ସର୍ତ୍ତ ଲଦିବାର କ୍ଷମତା ସରକାରଙ୍କୁ ମିଳିଛି। ଚୀନ୍‌କୁ ଦୃଷ୍ଟିରେ ରଖି ଏହି ସଂଶୋଧନ କରାଯାଇଥିବା ଅନୁମାନ କରାଯାଉଛି। ଏହା ଚୀନ୍‌ ପାଇଁ ଏକ ଶକ୍ତ ଝଟ୍‌କା ସଦୃଶ। କାରଣ ଭାରତ ୫ଜି ଟେଲିକମ୍ ବିପ୍ଳବ ଆଡ଼କୁ ଗତି କରୁଥିବା ବେଳେ ଏକ୍ଷେତ୍ରରେ ଉପକରଣରେ ବିପୁଳ ପୁଞ୍ଜିନିବେଶର ସମ୍ଭାବନା ରହିଛି। ୪ଜି ବିପ୍ଳବ ସମୟରେ ଅଧିକାଂଶ କଂପାନି ଚୀନ୍‌ର ସଂସ୍ଥା ହୁୱେଇ ଓ ଜେଡ୍‌ଟିଇ ଠାରୁ ଉପକରଣ ଆଣିଥିଲେ।

ମାତ୍ର ୫ଜି ‌ନେଟ୍‌ୱର୍କରେ ଚୀନ୍‌ ଉପକରଣ ଲାଗିବାର ସମ୍ଭାବନା ବହୁତ କମ୍ ରହିଛି। ଟେଲିକମ୍ ଉପକରଣ ଜରିଆରେ ଚୀନ୍‌ ଭାରତ ଉପରେ ନଜର ରଖୁଥିବା ସହ ଗୁଇନ୍ଦାଗିରି କରୁଥିବା ନେଇ ଅନେକ ସମୟରେ ଅଭିଯୋଗ ହୁଏ। ଯେହେତୁ ସ୍ମାର୍ଟ ଉପକରଣଗୁଡ଼ିକୁ ଯେକୌଣସି ସ୍ଥାନରେ ରହି ପରିଚାଳନା କରାଯାଇପାରୁଛି ତେଣୁ ସେଗୁଡ଼ିକୁ ଚୀନ୍‌କୁ ସୁହାଉଛି। ଅଧିକାଂଶ କଂପାନିର ସର୍ଭର ଚୀନ୍‌ରେ ଥିବାରୁ ଭାରତ ସରକାର ଉକ୍ତ କଂପାନିଗୁଡ଼ିକ ହାସଲ କରୁଥିବା ତଥ୍ୟ ଉପରେ ନଜର ରଖିପାରୁନାହାନ୍ତି।

ଟେଲିକମ୍ ଲାଇସେନ୍ସ ସର୍ତ୍ତରେ ସଂଶୋଧନ କରି ଟେଲିକମ୍ ଉପକରଣର ବର୍ଗ ନିର୍ଧାରଣ କରିବା ଲାଗି ଏକ ସ୍ବତନ୍ତ୍ର କର୍ତ୍ତୃପକ୍ଷ ଗଠନ କରାଯିବ। ଉପକରଣ ଓ ଯନ୍ତ୍ରାଂଶର ବିଶ୍ବାସଯୋଗ୍ୟ ଉତ୍ସ କେଉଁଗୁଡ଼ିକ ତାହା ମଧ୍ୟ ଏହି କର୍ତ୍ତୃପକ୍ଷ ଜଣାଇବ। କେଉଁ ଦେଶରୁ କିମ୍ବା କଂପାନି ଠାରୁ କେଉଁ ପ୍ରକାର ଜିନିଷ କିଣାଯାଇପାରିବ ନାହିଁ ତାହା ମଧ୍ୟ ଏହି କର୍ତ୍ତୃପକ୍ଷ ଜଣାଇବ। ଆସନ୍ତା ଜୁନ୍ ୧୫ରୁ କଂପାନିଗୁଡ଼ିକ କେବଳ ‌ବିଶ୍ବାସଯୋଗ୍ୟ ଉତ୍ସରୁ ଉପକରଣ କିଣିବେ। ଯଦି କୌଣସି କଂପାନି ଏଭଳି ଉତ୍ସ ବାହାରୁ ଉପକରଣ ମଗାଇବାକୁ ଚାହି‌ବେ ତେବେ ସେଥିପାଇଁ ପ୍ରଥମେ ଏହି କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ। ଭାରତୀୟ ଟେଲିକମ୍ କଂପାନିଗୁଡ଼ିକ ମୁଖ୍ୟତଃ ଚୀନ୍‌ରୁ ଉପକରଣ ମଗାଇଥାନ୍ତି।

ଗତବର୍ଷ ଲଦାଖ୍‌ର ଗଲ୍‌ୱାନ ଘାଟିରେ ଚୀନ୍ ସେନା ସହ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହେବା ପରେ ଚୀନ୍ ପ୍ରତି ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚୀନ୍‌ ଉପରେ ବିଭିନ୍ନ ପ୍ରକାରରେ ଅର୍ଥନୈତିକ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। ଭାରତରେ ଲୋକପ୍ରିୟ ଥିବା ଚୀନ୍‌ର ଆପ୍‌ଗୁଡ଼ିକୁ ନିଷିଦ୍ଧ କରିବା ପରେ ସଡ଼କ ଓ ଭିତ୍ତିଭୂମି ପ୍ରକଳ୍ପରୁ ଚୀନ୍‌ କଂପାନିଗୁଡ଼ିକୁ ବିଦା କରାଯାଇଥିଲା। ଏବେ ଟେଲିକମ୍ ଉପକରଣ ପାଇଁ କଠୋର ସର୍ତ୍ତ ଲାଗୁ କରାଯାଇଥିବାରୁ ଚୀନ୍‌ ଉପରେ ଅତିରିକ୍ତ ଚାପ ସୃଷ୍ଟି ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର