ଆଣ୍ଟି-ଭାଇରାଲ୍ ପୋଷାକ: ସଂକ୍ରମଣରୁ ସୁରକ୍ଷା ଦେବାର ପ୍ରତିଶ୍ରୁତି, ୫୦୦ ଟଙ୍କାରୁ କମ୍ ଦାମ୍‌ରେ ବି ମିଳୁଛି

ଭୁବନେଶ୍ବର: କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ନେଇ ସାରା ଦେଶ ଚିନ୍ତିତ ‌ଥିବା ବେଳେ ପୋଷାକ ନିର୍ମାତାଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ସୃଷ୍ଟି କରିଛି। ଗତବର୍ଷ ମହାମାରୀ ସମୟରେ ଅନେକ ନାମୀଦାମୀ କଂପାନି ଆଣ୍ଟି ଭାଇରାଲ୍ ପୋଷାକ ବିକ୍ରି ଆରମ୍ଭ କରିଥିଲେ। କରୋନା ମହାମାରୀର ପ୍ରଭାବ ହ୍ରାସ ପାଇବା ପରେ ସେଗୁଡ଼ିକର ଚାହିଦା ମଧ୍ୟ କମିଥିଲା। ଏବେ ସଂକ୍ରମଣ ଉପର ମୁହାଁ ରହିଥିବାରୁ ଲୋକମାନେ ପୁଣି ଥରେ ସେଭଳି ପୋଷାକ ପ୍ରତି ଆଗ୍ରହ ଦେଖାଇଛନ୍ତି। ଆଣ୍ଟି ଭାଇରାଲ୍ ପୋଷାକଗୁଡ଼ିକ ଲୋକମାନଙ୍କୁ ସୁରକ୍ଷା ଓ ସ୍ବଚ୍ଛତାର ପ୍ରତିଶ୍ରୁତି ଦେଉଛି। ରିଲାଏନ୍ସ, ଅରବିନ୍ଦ, ଆଦିତ୍ୟ ବିର୍ଲା, ଡୋନିୟର, ରେମଣ୍ଡ୍‌ ସିୟାରାମ୍, ଆଲେନ୍ ସୋଲି, ଭାନ୍ ହୁସେନ୍, ପିଟର ଇଂଲଣ୍ଡ୍‌ ଭଳି ନାମୀଦାମୀ ସଂସ୍ଥା ତରଫରୁ ଆଣ୍ଟି ଭାଇରାଲ୍ ପୋଷାକ ବିକ୍ରି କରାଯାଉଛି। ଗତବର୍ଷ ମହାମାରୀ ଦେଖା ଦେବା ପରେ ତାହାର ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା କରାଯିବାରୁ ପୋଷାକ ‌ସୋ’ରୁମ୍‌ଗୁଡ଼ିକ ବନ୍ଦ ରହିଥିଲା।

ବ୍ୟବସାୟ ବଞ୍ଚାଇ ରଖିବା ଲାଗି ସେମାନେ ଆଣ୍ଟି ଭାଇରାଲ୍ ମାସ୍କ ତିଆରି କରିବା ଆରମ୍ଭ କରିଥିଲେ। ପରବର୍ତୀ ‌ସମୟରେ ସେମାନେ ଫେସନେବଲ୍ ଓ କାଜୁଆଲ୍‌ ଓୟାର ଆଦି ତିଆରି କରିଥିଲେ ଯାହା ଗ୍ରାହକଙ୍କ ଦ୍ବାରା ବିଶେଷ ଭାବେ ଆଦୃତ ହୋଇଥିଲା। ଆଦିତ୍ୟ ବିର୍ଲା ଫେସନ୍ ଆଣ୍ଡ୍ ରିଟେଲ୍‌ର ଏକ ସଂସ୍ଥା ପିଟର ଇଂଲଣ୍ଡ ତରଫରୁ ଆଣ୍ଟି ଭାଇରାଲ୍ ସାର୍ଟ ଓ ମାସ୍କ ବିକ୍ରି କରାଯାଉଛି। କଂପାନି ତରଫରୁ ଡିସ୍‌ପୋଜେବଲ୍ ମାସ୍କ, ରିୟୁଜେବଲ୍ କପଡ଼ା ମାସ୍କ, ଆଣ୍ଟି ଭାଇରାଲ୍ ସାର୍ଟ ଓ ମାସ୍କ ଏବଂ ନିମ୍ ତୁଳସୀ ସମ୍ଭାରକୁ ଉନ୍ମୋଚନ କରାଯାଇଥିଲା। କଂପାନି କେବଳ ଭାରତ ନୁହେଁ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକୁ ମଧ୍ୟ ଆଣ୍ଟି ଭାଇରାଲ୍‌ କପଡ଼ାରେ ତିଆରି ପୋଷାକ ପଠାଇଥିଲା। ଗତବର୍ଷ ଏପ୍ରିଲ୍‌ରେ ଡୋନିୟର ତରଫରୁ ଆଣ୍ଟି-ଭାଇରାଲ୍ ‌ଫ୍ୟାବ୍ରିକ୍‌ ଉନ୍ମୋଚନ କରାଯାଇଥିଲା।

ଅନେକ ବ୍ରାଣ୍ଡ୍‌
ଲୁଇ ଫିଲିପ୍‌, ଭାନ୍ ହୁସେନ୍, ପିଟର ଇଂଲଣ୍ଡ୍‌, କ୍ରିମ୍‌ସନ୍ କ୍ଲବ୍, ଏମ୍‌ସିଆର୍‌, ଗ୍ରିଟ୍‌ଷ୍ଟୋନସ୍‌, କବଚ, ଲଷ୍ଟ୍‌ କେଭସ୍‌, ବଡି କେୟାର କିଡସ୍‌, ଲଷ୍ଟ୍‌ କେଭସ୍‌, ଆଲ୍‌ବିନି, ଟର୍ମସ୍‌ଓୟାର, ଡିଜେଲ୍ ଆଣ୍ଟିଭାଇରାଲ୍ ଡେନିମ୍, ଗ୍ରାଡୋ, ଅର୍ମାନି, ଆଲ୍‌କିସ୍‌

୫୦୦ ଟଙ୍କାରୁ କମ୍ ଦାମ୍‌ରେ ବି ମିଳୁଛି
ଆଣ୍ଟି-ଭାଇରାଲ୍‌ କପଡ଼ାରେ ତିଆରି ହେଉଥିବା ପୋଷାକଗୁଡ଼ିକର ଦାମ୍ ଭିନ୍ନ ଭିନ୍ନ ରହିଛି। ଆଣ୍ଟି-ଭାଇରାଲ୍ ସାର୍ଟ ଓ ଟି-ସାର୍ଟର ଦାମ୍ ୨୫୦ ଟଙ୍କାରୁ ଆରମ୍ଭ ହୋଇଛି। ଗ୍ରାହକମାନେ ଅନ୍‌ଲାଇନ୍‌ରେ ଏହି ସାର୍ଟର ବରାଦ ଦେଇପାରିବେ। ଗ୍ରାହକମାନେ ୧୫୦୦ ଟଙ୍କାରୁ ଅଧିକ ମୂଲ୍ୟର ଆଣ୍ଟି-ଭାଇରାଲ୍‌ ପୋଷାକ ମଧ୍ୟ କିଣିପାରିବେ। ୫୦୦ ଟଙ୍କାରୁ କମ୍, ୫୦୦-୭୫୦ ଟଙ୍କା, ୭୫୦-୧୦୦୦ ଟଙ୍କା, ୧୦୦୦-୧୫୦୦ ଟଙ୍କା ଓ ୧୫୦୦ ଟଙ୍କାରୁ ଅଧିକ ଦାମ୍‌ରେ ଆଣ୍ଟି-ଭାଇରାଲ୍ ସାର୍ଟ ବିକ୍ରି ହେଉଛି। ଗ୍ରାହକମାନେ ନାମୀଦାମୀ କଂପାନିର ସ୍ବତନ୍ତ୍ର ଷ୍ଟୋର୍‌, ସୁପର ମାର୍କେଟ୍‌ ଓ ମଲ୍‌ ଆଦିରୁ ଆଣ୍ଟି-ଭାଇରାଲ୍‌ ପୋଷାକ କିଣିପାରିବେ। କଟନ, ରେୟନ ଓ ସିନ୍ଥେଟିକ୍‌ କପଡ଼ାର ପୋଷାକ ବିକ୍ରି ପାଇଁ ଉପଲବ୍ଧ ରହିଛି। ଗ୍ରାହକମାନେ ଅନ୍‌ଲାଇନ୍‌ରେ କିଣାକିଣି କଲେ ବିଭିନ୍ନ ପ୍ରକାର ରିହାତି ଓ ଅଫରର ଲାଭ ପାଇପାରିବେ।

ସମ୍ବନ୍ଧିତ ଖବର